ନୂଆଦିଲ୍ଲୀ: ଶାସନ ପରିବର୍ତ୍ତନ ନାରାକୁ ନିନ୍ଦା କରିବା ସହିତ ନିର୍ବାଚନ କମିସନ (ଇସି) ବିରୋଧରେ କଂଗ୍ରେସର ଆନ୍ଦୋଳନକୁ ବରିଷ୍ଠ ବିଜେପି ନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତୀବ୍ର ସମାଲୋଚନା କରିଛନ୍ତି। କଂଗ୍ରେସ ଦେଶରେ ଅରାଜକତା ସୃଷ୍ଟି କରି କ୍ଷମତା ଦଖଲ କରିବାକୁ ଷଡ଼ଯନ୍ତ୍ର କରୁଥିବା ସେ ଅଭିଯୋଗ କରିଛନ୍ତି।
ସୂଚନପାଯୋଗ୍ୟ, ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍ଆରଇଆର୍)କୁ ରଦ୍ଦ ଓ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ କଂଗ୍ରେସ କ୍ରମାଗତ ଭାବେ ବିରୋଧ ପ୍ରଦର୍ଶନ କରିଆସୁଛି। ଏହି ପ୍ରସଙ୍ଗରେ ରାଜନାଥ ସିଂହ କଂଗ୍ରେସର ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି। ଗଣତନ୍ତ୍ରର ଅର୍ଥ ଅରାଜକତା ସୃଷ୍ଟି କରିବା ନୁହେଁ ବୋଲି ରାଜନାଥ କହିଛନ୍ତି।ରାଜନାଥ ଅଭିଯୋଗ କରିଛନ୍ତି ଯେ, ବିଶୃଙ୍ଖଳାର ରାଜନୀତିରେ ଦେଶର ଯୁବପିଢ଼ିଙ୍କୁ ଅସ୍ତ୍ର ଭାବରେ ବ୍ୟବହାର କରିବାକୁ ଚେଷ୍ଟା କରାଯାଉଛି। କେତେକ ବାଂଲାଦେଶର ଘଟଣାବଳୀ ଅନୁସାରେ ଶାସନ ପରିବର୍ତ୍ତନ ଚାହୁଁଛନ୍ତି, ସେମାନଙ୍କର ସଂଘର୍ଷ ନା ନିର୍ବାଚନୀ ସଂସ୍କାର ପାଇଁ, ନା ଦେଶର ଯୁବପିଢ଼ିଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ, ବରଂ ଦେଶରେ ଅରାଜକତା ସୃଷ୍ଟି କରି କ୍ଷମତା ଦଖଲ କରିବାର କେବଳ ଷଡ଼ଯନ୍ତ୍ର।










