ନୂଆଦିଲ୍ଲୀ: ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ କରିଥିବା ମାମଲାରେ ତୃଣମୂଳ କଂଗ୍ରେସ (ଟିଏମ୍ସି) ସାଂସଦ ମହୁଆ ମୈତ୍ରଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । ଶିଳ୍ପପତି ଦର୍ଶନ ହିରାନନ୍ଦାନୀଙ୍କ ସତ୍ୟପାଠ ମିଳିଥିବା ଲୋକସଭା ଏଥିକ୍ସ କମିଟି କହିଛି । ନିଜର ସତ୍ୟପାଠରେ ଦର୍ଶନ ହିରାନନ୍ଦାନୀ ସ୍ୱୀକାର କରିଛନ୍ତି ଯେ ସେ ମହୁଆ ମୈତ୍ରଙ୍କୁ ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଲାଞ୍ଚ ଦେଇଥିଲେ । ଏହା ସହିତ ସେ କହିଛନ୍ତି, ମହୁଆ ନିଜର ଲୋକସଭା ଲଗ-ଇନ ପାସୱାର୍ଡ ତାଙ୍କୁ ପ୍ରଦାନ କରିଥିଲେ । ଏନଡିଟିଭିକୁ ଏକ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଏଥିକ୍ସ କମିଟି ମୁଖ୍ୟ ବିନୋଦ ସୋନକର କହିଛନ୍ତି, ଆମେ ଦର୍ଶନ ହିରାନନ୍ଦାନୀଙ୍କ ସତ୍ୟପାଠ ପାଇଛୁ । ଏହି ଅଭିଯୋଗ ଅତ୍ୟନ୍ତ ଗମ୍ଭୀର । କମିଟି ଅକ୍ଟୋବର ୨୬ରେ ନିଶିକାନ୍ତ ଦୁବେଙ୍କ ଅଭିଯୋଗର ଶୁଣାଣି କରିବ । ଆବଶ୍ୟକ ପଡ଼ିଲେ ମହୁଆ ମୈତ୍ରଙ୍କୁ ମଧ୍ୟ ଡକାଯିବ ।
ସୋନକର କହିଛନ୍ତି, ସାଂସଦ ମହୁଆଙ୍କ ବିରୋଧରେ ଆସିଥିବା ଅଭିଯୋଗ ଅତ୍ୟନ୍ତ ଗମ୍ଭୀର । ଏହି ଅଭିଯୋଗ ସମ୍ପର୍କରେ ନିଶିକାନ୍ତ ଦୁବେ ବାଚସ୍ପତିଙ୍କୁ ଚିଠି ଲେଖିଥିଲେ । ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏହି ଚିଠିକୁ ଏଥିକ୍ସ କମିଟିକୁ ପଠାଇଛନ୍ତି । ଅକ୍ଟୋବର ୨୬ରେ ସମସ୍ତ ପ୍ରମାଣ ସହ ଉପସ୍ଥିତ ରହିବାକୁ ଏଥିକ୍ସ କମିଟି ଉଭୟଙ୍କୁ କହିଛି । ଏଥିସହ ନିଶିକାନ୍ତ ଦୁବେଙ୍କ ବୟାନ ରେକର୍ଡ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ପରେ ଆବଶ୍ୟକ ହେଲେ ମହୁଆଙ୍କୁ ବି ଡକାଯିବ ବୋଲି ସେ କହିଛନ୍ତି ।
ଓହରିଲେ ମହୁଆଙ୍କ ଓକିଲ, ୩୧ରେ ପରବର୍ତ୍ତୀ ଶୁଣାଣି
ଅନ୍ୟ ଏକ ଘଟଣାକ୍ରମରେ ବ୍ୟକ୍ତିଗତ ଏବଂ ବୃତ୍ତିଗତ ସ୍ୱାର୍ଥରେ ଦ୍ୱନ୍ଦ୍ୱ ଦୃଷ୍ଟିରୁ ମହୁଆଙ୍କ ଓକିଲ ମାମଲାରୁ ଓହରିଯାଇଛି । ତେଣୁ, ଦିଲ୍ଲୀ ହାଇକୋର୍ଟରେ ଏ ସମ୍ପର୍କରେ ମହୁଆଙ୍କ ପକ୍ଷରୁ କରାଯାଇଥିବା ମାନହାନି ମାମଲାର ଶୁଣାଣି ଅକ୍ଟୋବର ୩୧କୁ ଘୁଞ୍ଚିଯାଇଛି । ଆଜିର ଶୁଣାଣି ବେଳେ ସୁପ୍ରିମ୍ କୋର୍ଟ ଓକିଲ ଜୟ ଅନନ୍ତ ଦେହାଦ୍ରଇ ଅଦାଲତଙ୍କୁ କହିଥିଲେ, ମହୁଆଙ୍କ ଓକିଲ ଗୋପାଳ ଶଙ୍କରନାରାୟଣ ଗୁରୁବାର ରାତିରେ ତାଙ୍କ ସହିତ ଫୋନ୍ରେ କଥା ହୋଇ ତୃଣମୂଳ କଂଗ୍ରେସ ନେତ୍ରୀଙ୍କ ବିରୋଧରେ ସିବିଆଇରେ ଦାଏର ଅଭିଯୋଗ ପ୍ରତ୍ୟାହାର କରିବାକୁ କହିଥିଲେ ।
ସୂଚନାଯୋଗ୍ୟ, ସଂସଦରେ ପ୍ରଶ୍ନ ପଚାରିବାକୁ ମହୁଆ ମୈତ୍ର ଟଙ୍କା ନେଇଛନ୍ତି ବୋଲି ହେଉଥିବା ଅଭିଯୋଗ ସଂକ୍ରାନ୍ତରେ ଓକିଲ ଦେହାଦ୍ରଇ ହିଁ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କୁ ତଥାକଥିତ ପ୍ରମାଣ ଯୋଗାଇ ଦେଇଥିବା କୁହାଯାଉଛି । ଆଜିର ଶୁଣାଣି ସମୟରେ ଦେହାଦ୍ରଇଙ୍କୁ ଜଷ୍ଟିସ୍ ଦତ୍ତ କହିଲେ, ମୁଁ ଆଚମ୍ବିତ । ଏହି ମାମଲାରେ ଆପଣ ପ୍ରତିବାଦୀ ଓକିଲଙ୍କ ସହିତ ସମ୍ପର୍କ ରଖିଥିବା କଥା କ’ଣ ସତ? ଦେହାଦ୍ରାଇ କହିଲେ ଯେ, ମୁଁ ତାଙ୍କୁ ଜାଣେ ଏବଂ ସେଥିପାଇଁ କଥାବାର୍ତ୍ତା କରିବାକୁ ଉଦ୍ୟମ କରିଥିଲି । ତା’ପରେ ବିଚାରପତି ଦତ୍ତ କହିଲେ ଯେ, ଓକିଲ ଗୋପାଳ ଶଙ୍କରନାରାୟଣ ମଧ୍ୟସ୍ଥ ଭୂମିକା ନିର୍ବାହ କରୁଥିବାରୁ ଏହି ମାମଲାରେ ଲଢ଼ିବା ପାଇଁ ଯୋଗ୍ୟ ନୁହନ୍ତି ।