28.1 C
Bhubaneswar
Saturday, July 27, 2024
Homeଅପରାଧପ୍ରିଣ୍ଟ୍ରିଂ ପ୍ରେସ୍‌ରୁ ପ୍ରଶ୍ନପତ୍ର ଲିକ୍ ହୋଇଛି: ବାଲେଶ୍ୱର ଏସ୍‌ପି

ପ୍ରିଣ୍ଟ୍ରିଂ ପ୍ରେସ୍‌ରୁ ପ୍ରଶ୍ନପତ୍ର ଲିକ୍ ହୋଇଛି: ବାଲେଶ୍ୱର ଏସ୍‌ପି

ମାଷ୍ଟରମାଇଣ୍ଡ ସମେତ ୮ ଗିରଫ
ଭୁବନେଶ୍ୱର: ଓଡ଼ିଶା ଷ୍ଟାଫ ସିଲେକସନ୍ କମିଶନ ଦ୍ୱାରା ପରିଚାଳିତ ଜେଇ ସିଭିଲ୍ ମେନ୍ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ଘଟଣାର ମାଷ୍ଟରମାଇଣ୍ଡଙ୍କୁ ବାଲେଶ୍ୱର ପୁଲିସ ଆଜି ବିହାରରୁ ଗିରଫ କରିଛି । ସେ ହେଲେ ବିଶାଲ କୁମାର ଚୌରାସିଆ (୩୫) । ଏହି ମାମଲାରେ ଆଜି ଅନ୍ୟ ୭ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି । ସେମାନେ ହେଲେ ପଶ୍ଚିମବଙ୍ଗର ବିରେନ୍ଦ୍ର ସିଂ, ବିହାରର ବିକାଶ କୁମାର, ଗଞ୍ଜାମ ଜିଲ୍ଲାର ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ, ପଟ୍ଟା ସୁନିଲ, ଯାଜପୁର ଜିଲ୍ଲାର ସୁଶାନ୍ତ କୁମାର ସାହୁ, ବାଲେଶ୍ୱର ଜିଲ୍ଲାର ବଟ କୃଷ୍ଣ ବେହେରା ଏବଂ ପ୍ରସେନଜିତ ସାହୁ ।

ପୂର୍ବରୁ ପଶ୍ଚିମବଙ୍ଗର ଦୀଘାର ଏକ ଲଜ୍‌ରେ ବାଲେଶ୍ୱର ପୁଲିସ ଚଢ଼ଉ କରି ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଏହି ମାମଲାରେ ଏପର୍ଯ୍ୟନ୍ତ ୧୭ ଅଭିଯୁକ୍ତ ପୁଲିସ ହାତରେ ଧରାପଡ଼ିଛନ୍ତି । ତଦନ୍ତ ବେଳେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ପ୍ରଶ୍ନପତ୍ର ପ୍ରିଣ୍ଟିଂ ପ୍ରେସରୁ ଏହାକୁ ଗାଏବ୍ କରାଯାଇଥିଲା ବୋଲି ବାଲେଶ୍ୱର ଏସ୍‌ପି ସାଗରିକା ନାଥ କହିଛନ୍ତି । ଏହି ପ୍ରିଣ୍ଟିଂ ପ୍ରେସଟି ଓଡ଼ିଶା ବାହାରର ବୋଲି ଜଣାପଡ଼ିଛି । ପ୍ରିଣ୍ଟିଂ ପ୍ରେସର ହେଲ୍‌ପର ବିରେନ୍ଦ୍ର ସିଂହ ଏହି ପ୍ରଶ୍ନପତ୍ର ଲିକ୍‌ର ମାଷ୍ଟରମାଇଣ୍ଡ ବିଶାଲ କୁମାରଙ୍କ ସହଯୋଗୀ । ଏସ୍‌ପିଙ୍କ କହିବା ଅନୁସାରେ ବିରେନ୍ଦ୍ର ସିଂହର ଜଣେ ସଂପର୍କୀୟ ଭାଇ ଏବଂ ବିଶାଲ କୁମାର ଗୋଟିଏ ଗ୍ରାମର ବାସିନ୍ଦା । ମୋବାଇଲ ଫୋନ୍‌ର କଲ ରେକର୍ଡରୁ ଏହା ସ୍ପଷ୍ଟ ହୋଇଛି । ଗତ ୯ ତାରିଖରେ ବିକାଶ କୁମାରଙ୍କୁ ବିରେନ୍ଦ୍ର କହିଥିଲେ ଯେ ଏଠାରେ ଏକ ପ୍ରଶ୍ନପତ୍ର ଛପା ହେବାର ଅଛି । ତେବେ ଯେକୌଣସି ପ୍ରଶ୍ନପତ୍ର ହେଉ ପଛେ ତାହା ମୋର ଦରକାର ବୋଲି ବିଶାଲ କୁମାର ଚୌରାସିଆ ତାଙ୍କୁ କହିଥିଲେ । ଏଥିପାଇଁ ତମକୁ ଭଲ ଉପହାର ଦିଆଯିବ । ଲୋଭର ବଶବର୍ତ୍ତି ହୋଇ ଛପାଯାଇଥିବା ଗୋଟିଏ ପ୍ରଶ୍ନପତ୍ରକୁ ଚାଲାଖିରେ ବିରେନ୍ଦ୍ର ପ୍ରିଣ୍ଟିଂ ପ୍ରେସରୁ ନେଇ ଆସିଥିଲେ । ୧୧ ତାରିଖରେ ବିରେନ୍ଦ୍ର ବିଶାଲ କୁମାରକୁ ଫୋନ୍ ଯୋଗେ କହିଥିଲେ ଯେ ଓଡ଼ିଶା ଜେଇ ସିଭିଲ୍ ମେନ୍ ପରୀକ୍ଷାର ପ୍ରଶ୍ନପତ୍ର ଛପା ହେବାକୁ ଆସିଥିଲା । ତାଙ୍କ ପାଖରେ ଏହାର ଗୋଟିଏ କପି ଅଛି । ପରେ ବିଶାଲ କୁମାର ତାଙ୍କ ଠାରୁ ପ୍ରଶ୍ନପତ୍ର ସଂଗ୍ରହ କରିଥିଲେ ।

ଏହାପରେ ବିଶାଲ ତା’ର ମୁଖ୍ୟ ସହଯୋଗୀ ବିଜେନ୍ଦ୍ର କୁମାରକୁ ଯୋଗାଯୋଗ କରିଥିଲା । ଦୁହେଁ ମିଶି ଓଡ଼ିଶାର କିଛି ଦଲାଲଙ୍କୁ ଯୋଗାଯୋଗ କରିଥିଲେ । ଦଲାଲମାନେ ପ୍ରଶ୍ନପତ୍ର ବିକ୍ରି କରି ଟଙ୍କା କିପରି କମାଇବେ ସେଥିରେ ଲାଗି ପଡ଼ିଥିଲେ । ବିଶାଲ ଏବଂ ବିଜେନ୍ଦ୍ର ଦୁଇ ଜଣ ପ୍ରଶ୍ନପତ୍ର ଲିକ୍ କରୁଥିବା ପେଶାଦାର ବ୍ୟକ୍ତି ବୋଲି ପୁଲିସ ଜାଣିବାକୁ ପାଇଛି । ଯାହାଙ୍କୁ ବାହାର ରାଜ୍ୟର ପୁଲିସ ପୂର୍ବରୁ ଗିରଫ କରିଥିଲା । ପ୍ରଶ୍ନପତ୍ର ଲିକ୍ ମାମଲାରେ ସେମାନଙ୍କର ବହୁ ପୁରୁଣା ଟ୍ରାକ୍ ରେକର୍ଡ ରହିଛି । ମାଷ୍ଟରମାଇଣ୍ଡ ବିଶାଲ ସେଣ୍ଟ୍ରାଲ ଷ୍ଟାଫ ସିଲେକସନ୍ କମିଶନର ସବ୍‌-ଇନ୍ସ୍‌ପେକ୍ଟର ଏବଂ ଆସିଷ୍ଟାଣ୍ଟ ସବ୍‌-ଇନ୍ସ୍‌ପେକ୍ଟର ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ କରୁଥିଲା ବେଳେ ଦିଲ୍ଲୀ କ୍ରାଇମ୍‌ବ୍ରାଞ୍ଚ ହାତରେ ଗିରଫ ହୋଇ ଜେଲ ଯାଇଥିଲା । ଏହି ଦୁଇ ପରୀକ୍ଷାର ପ୍ରଶ୍ନପତ୍ରକୁ ଆଲାହାବାଦର ଏକ ପ୍ରିଣ୍ଟ୍ରିଂ ପ୍ରେସର ଜଣେ କର୍ମଚାରୀଙ୍କୁ ହାତ କରି ଲିକ୍ କରିଥିଲା । ଅନ୍ୟପକ୍ଷରେ ମାଣ୍ଟର ମାଇଣ୍ଡଙ୍କର ଅନେକ ପରିଚୟ ରହିଛି । ସେହିପରି ବିଜେନ୍ଦ୍ର ମଧ୍ୟପ୍ରଦେଶ ପ୍ରଶାସନିକ ସେବା ପରୀକ୍ଷା ଏବଂ ବିହାର ପ୍ରଶାସନିକ ସେବା ପରୀକ୍ଷା-୨୦୨୨ର ପ୍ରଶ୍ନପତ୍ର ଲିକ୍‌ରେ ସମ୍ପୃକ୍ତ ଥିଲା ।

ଅନ୍ୟପକ୍ଷରେ ମାଷ୍ଟରମାଇଣ୍ଡ ବିଶାଲ କୁମାର ଚୌରାସିଆ ଜଣେ ସରକାରୀ କର୍ମଚାରୀ । ସେ ବର୍ତ୍ତମାନ ବିହାରର ପାଟନାରେ ରୁରାଲ ଓା୍ୱର୍କ୍ସ ଡିପାର୍ଟମେଣ୍ଟ ଆର୍ଡଭାନ୍ସ ପ୍ଲାନିଂ ଡିଭିଜନ୍‌-୨ରେ କାର୍ଯ୍ୟରତ । ୨୦୧୩ରେ ସେଣ୍ଟ୍ରାଲ ଷ୍ଟାଫ ସିଲେକସନ୍ କମିଶନର ଏକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ୨୦୧୬ରେ ସେ ଆକାଉଣ୍ଟ ଜେନ୍‌ରାଲ ଅଫିସରେ ଡିଭିଜନାଲ ଆକାଉଣ୍ଟାଣ୍ଟ ଭାବେ କାମ କରୁଥିଲା । ପୂର୍ବରୁ ସେ ପଶ୍ଚିମବଙ୍ଗର ଦୁର୍ଗାପୁରରେ ଟ୍ୟାକ୍ସ ଆସିଷ୍ଟାଣ୍ଟ ଅଫିସର ଭାବେ କାର୍ଯ୍ୟକରୁଥିଲା । ଅନ୍ୟପକ୍ଷରେ ପାଟନାରେ ତା’ର ଏକ କୋଚିଂ ସେଣ୍ଟର ମଧ୍ୟ ରହିଛି । ତେବେ ଏହି ମାମଲାରେ ଓଡ଼ିଆ ସରକାରୀ କର୍ମଚାରୀଙ୍କ ଲିଙ୍କ୍ ରହିଛି କିମ୍ବା ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରୁ ନାହିଁ । ଏପର୍ଯ୍ୟନ୍ତ ଗିରଫ ହୋଇଥିବା ଲୋକମାନେ କେବଳ ମଧ୍ୟସ୍ଥ କାମ କରୁଥିଲେ । ଓଡ଼ିଶାରୁ ଏପର୍ଯ୍ୟନ୍ତ କୌଣସି ସରକାରୀ ଅଧିକାରୀଙ୍କ ସଂପୃକ୍ତି ଥିବା ନେଇ ଜଣାପଡ଼ିନାହିଁ ବୋଲି ବାଲେଶ୍ୱର ଏସ୍‌ପି କହିଛନ୍ତି । ଆଗକୁ ମାଷ୍ଟରମାଇଣ୍ଡକୁ ପୁଲିସ ରିମାଣ୍ଡରେ ଆଣିବାକୁ କୋର୍ଟଙ୍କ ନିକଟରେ ଆବେଦନ କରିବ । ମାଷ୍ଟରମାଇଣ୍ଡକୁ ଜେରା ବେଳେ ଏହି ମାମଲା ସମ୍ପର୍କରେ ଗୁରୁତ୍ୱପୂର୍ଣର୍ ତଥ୍ୟ ମିଳିବ । ତେବେ ଜେରା ପରେ ଗିରଫଦାରୀ ସଂଖ୍ୟା ଆଗକୁ ବଢ଼ିବାର ସମ୍ଭାବନା ରହିଛି ।

ସୂଚନାଯୋଗ୍ୟ, ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର ଏକ ହୋଟେଲରେ କିଛି ଦିନ ତଳେ ପ୍ରଶ୍ନପତ୍ର ନେଇ ଡିଲ୍ ଚାଲିଥିବା ବେଳେ ପୁଲିସ ଚଢ଼ଉ କରିଥିଲା । ସେଠାରୁ କିଛି ଡକ୍ୟୁମେଣ୍ଟ ସହ ଅନ୍ୟାନ୍ୟ ଜିନିଷ ଜବତ ହୋଇଥିଲା । ଏହା ପରେ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୬ ଟି କାର, ଗୋଟିଏ ବସ୍‌, ଅନେକ ସାର୍ଟିଫିକେଟ ଜବତ ହୋଇଥିଲା । ଏଥିସହ ୧୫ଟି ମୋବାଇଲ୍ ଫୋନ, ସାଇନ ହୋଇଥିବା ଏକାଧିକ ବ୍ଲାଙ୍କ ଚେକ୍ ଓ ନଗଦ ୨୨,୫୦୦ ଟଙ୍କା ମଧ୍ୟ ଜବତ ହୋଇଥିଲା । ପ୍ରିଣ୍ଟିଂ ପ୍ରେସ୍‌ର ହେଲ୍‌ପର ଘରୁ ନଗଦ ଲକ୍ଷେ ଟଙ୍କା ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking