ପୁରୀ: ଶ୍ରୀକ୍ଷେତ୍ରରେ ଐତିହ୍ୟ ପ୍ରକଳ୍ପକୁ ବିରୋଧ କରି ହେବାକୁ ଥିବା ପଦଯାତ୍ରାକୁ ମିଳିଲାନି ଅନୁମତି । ଆସନ୍ତାକାଲି ପୁରୀରେ ଏହି ପଦଯାତ୍ରା ହୋଇଥାନ୍ତା । ଏଥିପାଇଁ ଐତିହ୍ୟ ପ୍ରକଳ୍ପକୁ ବିରୋଧ କରୁଥିବା ଅନେକ ବ୍ୟକ୍ତି, ସଂଗଠନ ପୁରୀ ଆସିଥାନ୍ତେ । ନିଜେ ଭୁବନେଶ୍ୱର ସାଂସଦ ଅପରାଜିତା ମଧ୍ୟ ପଦଯାତ୍ରାରେ ସାମିଲ ହେବେ ବୋଲି କହିଥିଲେ । ଏବେ କିନ୍ତୁ ପଦଯାତ୍ରାକୁ ଜିଲ୍ଲା ପ୍ରଶାସନ ଅନୁମତି ଦେଇନାହିଁ । ଅନ୍ୟପଟେ ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନର ଆବାହକ ବିନୟ ନୃସିଂହ ମହାପାତ୍ର କହିଛନ୍ତି ଯେ, ଆସନ୍ତାକାଲି ପଦଯାତ୍ରା ହେବାର ଥିଲା ।
କିନ୍ତୁ ଏହି ପଦଯାତ୍ରାକୁ ଅନୁମତି ମିଳିନି । ତେଣୁ ଆଉ ପଦଯାତ୍ରା ନୁହେଁ କେବଳ ଆଲୋଚନା ମାଧ୍ୟମରେ ହେବ ସମାଧାନ । ମଙ୍ଗଳବାର ଜିଲ୍ଲାପାଳଙ୍କ ସହ ବୈଠକ ପରେ ଶ୍ରୀମନ୍ଦିର ବଞ୍ଚାଅ ଆନ୍ଦୋଳନର ଆବାହକ ବିନୟ ନୃସିଂହ ମହାପାତ୍ର ଏହି ସୂଚନା ପ୍ରଦାନ କରିଥିଲେ । ଉଲ୍ଲେଖଯୋଗ୍ୟ, ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପକୁ ନେଇ ଏବେ ଶ୍ରୀକ୍ଷେତ୍ର ଦୁଇଗୋଷ୍ଠୀରେ ବିଭାଜିତ ହୋଇଯାଇଛି । ସହରର ୯୦ ପ୍ରତିଶତ ଲୋକେ ପ୍ରକଳ୍ପ ସପକ୍ଷରେ ଥିବାବେଳେ ଆଉ କିଛି ରାଜନୈତିକ ଦଳର ନେତା ଓ ସଙ୍ଗଠନ ଏହାକୁ ବିରୋଧ କରୁଛନ୍ତି । ଆନ୍ଦୋଳନକୁ ମୁହଁ ତୋଡ ଜବାବ ଦେବାକୁ ଯାଇ ପୁରୀର ଅଧିକାଂଶ ସଙ୍ଗଠନ ଏକଜୁଟ ହୋଇଥିଲେ । ତେଣୁ ଆସନ୍ତାକାଲି ପଦଯାତ୍ରା ହୋଇଥିଲେ ଆଇନ ଶୃଙ୍ଖଳା ବିଗିଡିବାର ସମ୍ବାବନା ମଧ୍ୟ ଥିଲା ।