ପୁରୀ : ଗୁରୁବାର ଭଉଁରୀ ତିଥିରେ ରଥଖଳା ଠାରେ ୩ରଥର ୩ଟି ଅଖ ସହ ୬ଟି ଚକ ସଂଯୋଗ ପୂର୍ବକ ଚକ ଅଖ ଡ଼େରା ନୀତି ସମ୍ପନ୍ନ ହେବା ପରେ ପରମ୍ପରା ଅନୁଯାୟୀ ନିର୍ମାଣ କାର୍ଯ୍ୟ ବନ୍ଦ ରହିଥିଲା । ସକାଳ ୮ଟା ୩୦ମିନିଟ୍ରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଗା ଓ ପୂର୍ବାହ୍ନ ୧୧ଟାରୁ ୧୧ଟା ୩୦ମିନିଟ୍ ମଧ୍ୟରେ ଚକ ଅଖ ଡ଼େରା ନୀତି ପରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୧ଟା ୩୦ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା । ଗୁୁରୁବାର ୧୮୮ଜଣ ନିର୍ମାଣକାରୀ ନିୟୋଜିତ ହୋଇଥିଲେ । ସେମାନଙ୍କ ମଧ୍ୟରେ ୩ରଥର ୭୪ଜଣ ମହାରଣା, ୭୦ଜଣ ଭୋଇ ସେବକ, ୪ଜଣ କରତି ସେବକ, ଜଣେ ପାହି ମହାରଣା, ୧୭ଜଣ ଓଝା ବା କମାର ସେବକ, ୨ଜଣ ତୁମ୍ବ ବିନ୍ଧ କାରିଗର, ୧୯ଜଣ ରୂପକାର ସେବକ ଓ ଜଣେ ରଥଖଳା ସହାୟକ ଅନ୍ତର୍ଭୁକ୍ତ ।
ବୁଧବାର ତାଳଧ୍ୱଜ ରଥର ୬ଟି ଚକ କାର୍ଯ୍ୟ ଶେଷ ହୋଇଥିଲା । ଗୁରୁବାର ଆଉ ଗୋଟିଏ ଚକର ନିର୍ମାଣ ସରିବା ପରେ ମୋଟ ୭ଟି ଚକ ସମ୍ପୂର୍ଣ୍ଣ ହୋଇଛି । ଅଷ୍ଟମ ଚକର ତୁମ୍ବରେ ଅର ସଂଯୋଗ ହୋଇ ଜନ୍ତାଗାଡ଼ ଠାରେ ସିଙ୍ଗଡ଼ା ବାଡ଼ିଆ ସରିଥିଲା । ଆଜି ମାପ ପ୍ରକାରେ ବଳକା ଅଂଶ ଅରରୁ କଟାଯାଇ ପଇ ସଂଯୋଗ ପାଇଁ ଅରସାଲ କାମ ଚାଲୁ ରହିଛି । ୪ଗୋଟି ପଇର ବିନ୍ଧକାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏଥିସହିତ ୭ଟି ଅଖ ମଧ୍ୟରୁ ୬ଟି ଅଖର ୨ପାଶ୍ୱର୍ ଗୋଲେଇ କାର୍ଯ୍ୟ ଶେଷ ହୋଇ ଶେଷ ଅଖଟିର ୨ପାଖ ଚଉପଟ କାର୍ଯ୍ୟ ଚାଲୁ ରହିଛି । ଦେବଦଳନ ରଥର ୫ଟି ଚକ କାମ ଶେଷ ହୋଇଥିଲା । ଗୁରୁବାର ଦିନ ଆଉ ଗୋଟିଏ ଚକର ନିର୍ମାଣ କାର୍ଯ୍ୟ ସରିବା ପରେ ୬ଟି ଚକର କାମ ଶେଷ ହୋଇଛି । ସପ୍ତମ ଚକର ତୁମ୍ବରେ ଅର ଲାଗି ସରି ସିଙ୍ଗଡ଼ା ବାଡ଼ିଆ ହୋଇ ୩ରଥର ବଳକା ଅଂଶ ମାପ ଅନୁଯାୟୀ କଟାଯାଇଛି ଓ ଅରରେ ସାଲ କାମ ଶେଷ ହୋଇଛି ।
ଏଥିସହିତ ୪ଟି ପଇର ବିନ୍ଧ ଶେଷ ହୋଇଛି । ଅଷ୍ଟମ ଚକ ପାଇଁ ତୁମ୍ବରେ ଅର ସଂଯୋଗ ଓ ଜନ୍ତାଗାଡ଼ରେ ସିଙ୍ଗଡ଼ା ବାଡ଼ିଆ ହୋଇ ଅରର ବଳକା ଅଂଶ କଟାଯିବା ପାଇଁ ମାପ ଚାଲିଛି । ଦେବୀ ରଥର ୬ଟି ଅଖ ମଧ୍ୟରୁ ୪ଟି ଅଖର ଗୋଲେଇ କାର୍ଯ୍ୟ ଶେଷ ହୋଇଥିଲା। ଗୁରୁବାର ଆଉ ଗୋଟିଏ ଅଖର ଗୋଲେଇ କାର୍ଯ୍ୟ ସରି ଶେଷ ଅଖଟିର ୨ପାଶ୍ୱର୍ର ଚଉପଟ କାମ ସରିଛି ଓ ଗୋଲେଇ କାମ ଆରମ୍ଭ ହୋଇଛି । ବୁଧବାର ଦିନ ନନ୍ଦିଘୋଷ ରଥ ପାଇଁ ୬ଟି ଚକର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା । ଗୁରୁବାର ଦିନ ଆଉ ୨ଟି ଚକର ନିର୍ମାଣ କାର୍ଯ୍ୟ ସରି ମୋଟ ୮ଟି ଚକର କାମ ସମ୍ପୂର୍ଣ୍ଣ ହୋଇଛି । ଏଥିସହିତ ନବମ ଚକର ତୁମ୍ବରେ ଅର ସଂଯୋଗ ହୋଇ ପଇ ପିନ୍ଧା କାମ ସରିଛି ଓ ପଇ ପରେ ବାନ୍ଧେଣୀ ପାଇଁ କଳସା କାମ ବାକି ରହିଛି ।
ଦଶମ ଚକ ତମ୍ବରେ ଅର ସଂଯୋଗ, ସିଙ୍ଗଡ଼ା ବାଡ଼ିଆ ଓ ପଇ ସାଲ ସରିଥିବା ବେଳେ ଏକାଦଶ ଚକର ତୁମ୍ବରେ ଅଖ ବିନ୍ଧ ସରି ଅରରେ ସିଙ୍ଗଡ଼ା ବାଡ଼ିଆ କାମ ଶେଷ ହୋଇଛି । ଏଥିସହିତ ନନ୍ଦିଘୋଷ ରଥର ୮ଟି ଅଖ ମଧ୍ୟରୁ ୬ଟି ଅଖର ଗୋଲେଇ କାର୍ଯ୍ୟ ସରି ୨ବ୍ରେକ ଅଖର ୨ପାଶ୍ୱର୍ ଚଉପଟ ଶେଷ ହୋଇ ଗୋଲେଇ କାର୍ଯ୍ୟ ବାକି ରହିଛି । ଭଉଁରୀ ସୁଦ୍ଧା ୩ରଥର ମୋଟ ୨୧ଟି ଚକ ନିର୍ମାଣ ଶେଷ ହୋଇଛି । ଦୋଳବେଦୀ ସ୍ଥିତ ଅସ୍ଥାୟୀ କମାରଶାଳରେ ଓଝା ସେବକମାନେ ଭଉଁରୀ ସ୍ଥିତିରେ ୩ରଥର ଚକ, ଅଖ ଡ଼େରା ନୀତି ପାଇଁ ୪ଟି ଲେଖାଏଁ ଅନୁକୂଳ ପନ୍ଦାରୀ ଚାବି ଯୋଗାଇବା ସହ ଦୁଇ ଦୁଇଟି ବଳା ରଥଖଳାକୁ ଯୋଗାଇଛନ୍ତି ।