28.1 C
Bhubaneswar
Friday, September 19, 2025
Homeଆଇପିଏଲ୍‌-୨୦୨୩ଆଇପିଏଲ୍‌-୨୦୨୩: ରାଜସ୍ଥାନକୁ ହରାଇଲା ପଞ୍ଜାବ

ଆଇପିଏଲ୍‌-୨୦୨୩: ରାଜସ୍ଥାନକୁ ହରାଇଲା ପଞ୍ଜାବ

ଗୌହାଟୀ: ଓପ୍ନର୍ ଶିଖର ଧୱନ୍ ଏବଂ ପ୍ରଭସିମ୍‌ରନ୍ ସିଂହଙ୍କ ଅର୍ଦ୍ଧଶତକ ତଥା ନାଥନ୍ ଏଲିସ୍‌ଙ୍କ ୪ ୱିକେଟ୍ ବଳରେ ପଞ୍ଜାବ କିଙ୍ଗ୍‌ସ ୬ ରନ୍‌ରେ ରାଜସ୍ଥାନ ରୟାଲ୍‌ଙ୍କୁ ହରାଇ ଚଳିତ ଆଇପିଏଲ୍‌ରେ ଦ୍ୱିତୀୟ ବିଜୟ ହାସଲ କରିଛି । ସ୍ଥାନୀୟ ବାସପାରା ଷ୍ଟାଡିଅମ୍‌ରେ ଖେଳାଯାଇଥିବା ଲିଗ୍‌ର ଅଷ୍ଟମ୍ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍‌ସ ୨୦ ଓଭର୍‌ରେ ୪ ୱିକେଟ୍ ବିନିମୟରେ ୧୯୭ ରନ୍ କରିଥିବା ବେଳେ ଜବାବରେ ରାଜସ୍ଥାନ ୯ ୱିକେଟ୍‌ରେ ୧୯୨ ରନ୍ କରିବାକୁ ସମର୍ଥ ହୋଇଥିଲା । ଶେଷ ଆଡ଼କୁ ସିମରନ୍ ହେଟ୍‌ମେୟାର (୩୬) ଓ ଧ୍ରୁବ ଜୁରେଲ୍ (୩୨³) ଧୂଆଁଧାର ବ୍ୟାଟିଂ କରିଥିଲେ । ମଧ୍ୟ ରାଜସ୍ଥାନକୁ ବିଜୟୀ କରାଇ ପାରିନଥିଲେ । ୧୯୮ ରନ୍‌ର ପିଛା କରୁଥିବା ରାଜସ୍ଥାନ ପାୱାର୍ ପ୍ଲେ’ରେ ୫୭ ରନ୍ ମଧ୍ୟରେ ୩ଟି ୱିକେଟ୍ ହରାଇ ବିପଦରେ ପଡ଼ିଥିଲା । ଯଶସ୍ୱୀ ଜୟସ୍ୱାଲ୍ (୧୧), ଜୋସ୍ ବଟଲର୍ (୧୯) ଓ ରବିଚନ୍ଦ୍ରନ୍ ଅଶ୍ୱିନ (୦) ପ୍ୟାଭିଲିଅନ୍ ଫେରିଥିଲେ ।

ଏହାପରେ କ୍ୟାପ୍‌ଟେନ୍ ସଞ୍ଜୁ ସାମ୍‌ସନ୍ ଦେବଦତ୍ତ ପାଡ଼ିକଲ୍‌ଙ୍କ ସହ ଇନିଂସ୍ ଆଗକୁ ବଢ଼ାଇ ନେଉଥିବା ବେଳେ ସାମ୍‌ସନ୍ ଆଉଟ୍ ହୋଇଯିବା ଫଳରେ ରନ୍ ଗତି କମିଯାଇଥିଲା । ସାମ୍‌ସନ୍ ରାଜସ୍ଥାନ ପାଇଁ ସର୍ବାଧିକ ରନ୍ ସଂଗ୍ରହକାରୀ ବ୍ୟାଟର୍ ହୋଇଛନ୍ତି । ସେ ୨୫ ବଲ୍‌ରୁ ଏକ ଛକା ଓ ଚାରି ଚୌକା ସହାୟତାରେ ୪୨ ରନ୍ କରି ନିଜର ୧୯ତମ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ । ନାଥନ୍ ଏଲିସ୍‌ଙ୍କ ବଲ୍‌ରେ ବଦଳ ଖେଳାଳି ମାଥ୍ୟୁ ଶଟ୍ ତାଙ୍କ କ୍ୟାଚ୍ ଧରିଥିଲେ । ପାଡିକଲ୍ ୨୧, ରିଆନ୍ ପରାଜ୍ ୨୦ ରନ୍ କରି ଆଉଟ୍ ହେବାପରେ ହେଟ୍‌ମେୟର୍ (୬) ଓ ଧ୍ରୁବ ଜୁରେଲ୍ (୩୨) ଧୂଆଁଧାର ବ୍ୟାଟିଂ କରି କିଛିଟା ଆଶା ସୃଷ୍ଟି କରିଥିଲେ ମଧ୍ୟ ହେଟ୍‌ମେୟାରଙ୍କ ଆଉଟ୍ ପରେ ଏହା ମଉଳି ଯାଇଥିଲା । ଜେସନ୍ ହୋଲ୍ଡର୍ ୧ ରନ୍ କରି ଆଉଟ୍ ହୋଇଥିବା ବେଳେ ନାଥନ୍ ଏଲିସ୍ ୪ଟି ଏବଂ ଅର୍ଶଦୀପ୍ ସିଂହ ଦୁଇଟି ୱିକେଟ୍ ଅକ୍ତିଆର କରିଥିଲେ ।

ପୂର୍ବରୁ ବ୍ୟାଟିଂ ଆମନ୍ତ୍ରଣ ପାଇ ପଞ୍ଜାବ କିଙ୍ଗ୍‌ସ ଓପ୍ନର୍ ପ୍ରଭସିମ୍‌ରନ୍ ସିଂହ ଓ ଶିଖର ଧୱନ୍‌ଙ୍କ ଅର୍ଦ୍ଧଶତକ ସହାୟତାରେ ୨୦ ଓଭର୍‌ରେ ୪ ୱିକେଟ୍ ହରାଇ ୧୯୭ ରନ୍ କରିଥିଲା । ୨୮ ବଲ୍‌ରେ ଆଇପିଏଲ୍‌ର ନିଜର ପ୍ରଥମ ଅର୍ଦ୍ଧଶତକ ପୂରଣ କରିଥିବା ପ୍ରଭସିମରନ୍ ୩୪ ବଲ୍‌ରେ ସାତ ଚୌକା ଓ ତିନି ଛକା ବଳରେ ୬୦ ରନ୍ କରିଥିଲେ । ଅନ୍ୟପକ୍ଷରେ କ୍ୟାପ୍‌ଟେନ୍ ଶିଖର ଧୱନ୍ ୫୬ ବଲ୍‌ରେ ନଅ ଚୌକା ଓ ତିନି ଛକା ସହାୟତାରେ ଅପରାଜିତ ୮୬ ରନ୍ କରି ଲିଗ୍‌ରେ ନିଜର ୪୮ତମ ଅର୍ଦ୍ଧଶତକ ହାସଲ କରିଥିଲେ । ଉଭୟଙ୍କ ମଧ୍ୟରେ ପ୍ରଥମ ୱିକେଟ୍ ପାଇଁ ୫୮ ବଲ୍‌ରେ ୯୦ ରନ୍‌ର ଭାଗୀଦାର ହୋଇଥିଲା । ଉଭୟ ପାୱାର୍ ପ୍ଲେ (୬ ଓଭର୍‌)ରେ ୬୩ ରନ୍ ଯୋଡ଼ିଥିଲେ । ଏହା ମଧ୍ୟରୁ ପ୍ରଭସିମ୍‌ରନ୍ ଏକାକୀ ୪୫ ରନ୍ କରିଥିଲେ । ତେବେ ଦଶମ ଓଭର୍‌ର ଚତୁର୍ଥ ବଲ୍‌ରେ ଜେସନ୍ ହୋଲ୍ଡର୍ ପ୍ରଭସିମ୍‌ରନ୍‌ଙ୍କୁ ବଟଲର୍‌ଙ୍କ ହାତରେ କ୍ୟାଚ୍ କରାଇ ଏହି ଯୋଡ଼ି ଭାଙ୍ଗିଥିଲେ । ଏହାପରେ ବ୍ୟାଟିଂ ପାଇଁ ଆସିଥିବା ଭାନୁକା ରାଜପାକ୍ଷେ (୧) ରିଟାୟର୍ଡ ହର୍ଟ ହୋଇ ଫେରିଥିଲେ । ତାଙ୍କ ସ୍ଥାନରେ ଆସିଥିବା ଜିତେଶ ଶର୍ମା ୨୭ ରନ୍ କରିଥିବା ବେଳେ ଚହଲଙ୍କ ବଲ୍‌ରେ ରିୟାନ୍ ପରାଗଙ୍କୁ କ୍ୟାଚ୍ ଦେଇ ଫେରିଥିଲେ । ଜିତେଶ ଓ ଧୱନ୍‌ଙ୍କ ମଧ୍ୟରେ ତୃତୀୟ ୱିକେଟ୍ ପାଇଁ ୩୦ ବଲ୍‌ରେ ୬୦ ରନ୍‌ର ଭାଗୀଦାରୀ ହୋଇଥିଲା । ସିକନ୍ଦର ରଜା (୧)ଙ୍କୁ ଅଶ୍ୱିନ ବୋଲ୍ଡ ଆଉଟ୍ କରିଥିଲେ । ୨୦ତମ ଓଭର୍‌ର ଚତୁର୍ଥ ବଲ୍‌ରେ ଜୋସ୍ ବଟଲର୍ ଶାହରୁଖ୍ ଖାନ୍‌ଙ୍କ କ୍ୟାଚ୍ ଧରିଥିଲେ । ହୋଲ୍ଡର୍‌ଙ୍କୁ ଦ୍ୱିତୀୟ ୱିକେଟ୍ ମିଳିଥିଲା । ଶାହରୁଖ୍ ୧୦ ବଲ୍‌ରେ ଗୋଟିଏ ଚୌକା ସହାୟତାରେ ୧୧ ରନ୍ କରିଥିଲେ । ଧୱନ୍‌ଙ୍କ ସହିତ ସାମ୍ କୁରାନ୍ (୧) ଅପରାଜିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking