ତାଳଚେର:କଲେଜ ଯାଉଥିବା ଛାତ୍ରୀଙ୍କୁ କମେଣ୍ଟ ମାରିବା ଓ ଅଶ୍ଲୀଳ ଇଙ୍ଗିତ କରିବା ଜଣେ ଯୁବକ ପାଇଁ ମହଙ୍ଗା ପଡ଼ିଛି । ଗାଁ ଲୋକେ ଧରି ତାକୁ ବହେ ଛେଚିଛନ୍ତି । ଖାଲି ଛେତିନାହାନ୍ତି, ଲଣ୍ଡା କରି ଚପଲ ମାଳ ପକାଇ ଗାଁ ଦାଣ୍ଡରେ ବୁଲାଇଛନ୍ତି । ଏପରି ଘଟଣା ଅନୁଗୁଳ ଜିଲ୍ଲା ତାଳଚେର ଥାନା ଅଞ୍ଚଳରେ ଘଟିଛି । ପ୍ରକାଶ, ତାଳଚେର ବ୍ଲକ କଣ୍ଢାଳ ପଞ୍ଚାୟତ ଅନ୍ତର୍ଗତ ବାଲୁଙ୍ଗା ବସ୍ତି ଅଂଚଳର ରାଜା ନାମକ ଜୈନିକ ଯୁବକ ସେହି ଅଞ୍ଚଳର ଝିଅ ବୋହୂଙ୍କୁ ଦେଖି କମେଣ୍ଟ କରିଥାଏ । ଗ୍ରାମବାସୀ ରାଜାକୁ ଏନେଇ ବାରମ୍ବାର ବୁଝାସୁଝା କରିଥିଲେ ମଧ୍ୟ ପୁନର୍ବାର ସେ ଝିଅବୋହୂ ମାନଙ୍କୁ ଦେଖି କେମଣ୍ଟ କରିଆସୁଥିଲା ।
ଗୁରୁବାର ତାଳଚେର ଥାନା ବାଲୁଙ୍ଗା ଗାଁର କେତେକ ଛାତ୍ରୀ କଲେଜ ଯାଉଥିଲେ । ତେବେ ରାସ୍ତାରେ ରାଜା ସହ ମୋଟ ୩ ଜଣ ଯୁବକ ନିଶାଶକ୍ତ ଅବସ୍ଥାରେ ସେମାନଙ୍କ ପିଛା କରି କମେଣ୍ଟ ମାରିଥିଲେ । ଛାତ୍ରୀମାନେ କ୍ଲାସ୍ ସାରି ଘରକୁ ଫେରିବା ପରେ ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ କହିଥିଲେ । ଏହା ପରେ ପରିବାର ଲୋକେ ଗାଁ ଲୋକଙ୍କୁ ଜଣାଇଥିଲେ । ଯୋଜନା ମୁତାବକ ଆଜି ଛାତ୍ରୀମାନେ କଲେଜ ଯାଉଥିଲେ । ଗୁରୁବାର ପରି ଆଜି ମଧ୍ୟ ସମ୍ପୃକ୍ତ ୩ ଯୁବକ ସେମାନଙ୍କୁ କମେଣ୍ଟ ମାରିଥିଲେ ।
ଛାତ୍ରୀଙ୍କ ପଛେ ପଛେ ଯାଉଥିବା ଗାଁ ଲୋକେ ସେମାନଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ । ମାତ୍ର ସେମାନଙ୍କୁ ଭିତରୁ ୨ ଜଣ ଚମ୍ପଟ ମାରିବାରେ ସଫଳ ହୋଇଥିଲେ । କିନ୍ତୁ ରାଜାକୁ ଧରି ପକାଇଥିଲେ । ଗାଁର ଯାତ୍ରା ପଡ଼ିଆକୁ ତାକୁ ନେଇ ବହେ ଛେଚି ଥିଲେ । ତା’ ମୁଣ୍ଡକୁ ଅର୍ଦ୍ଧ ଲଣ୍ଡା କରିବା ସହ ବେକରେ ଚପଲ ମାଳ ପକାଇ ଗାଁରେ ବୁଲାଇ ଥିଲେ । ପରେ ତାଳଚେର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଁ ଲୋକଙ୍କ କବଳରୁ ରାଜାକୁ ଉଦ୍ଧାର କରିବା ସହ ଥାନାରେ ଅଟକ ରଖି ପଚରାଉଚରା କରୁଛି ।