ଲକ୍ଷ୍ନୌ: ଉତ୍ତରପ୍ରଦେଶ ବାରବାଙ୍କୀ ଏବଂ ଅଯୋଧ୍ୟାରେ ଆତଙ୍କ ଖେଳାଇଥିବା ସାଇକୋ କିଲରକୁ ପୋଲିସ ଗିରଫ କରିଛି । ଅଯୋଧ୍ୟା ପୋଲିସ ସାଇକୋ କିଲର ଅମରେନ୍ଦ୍ରକୁ ମୱାଇ ଥାନା ଅଞ୍ଚଳରୁ ଗିରଫ କରାଯାଇଛି । ଅଭିଯୁକ୍ତ ଜଣକ ବାରବାଙ୍କୀରେ ୩ଟି ଏବଂ ଅଯୋଧ୍ୟାରେ ଜଣେ ମହିଳାଙ୍କୁ ହତ୍ୟା କରିଥିବା ଜଣାପଡିଛି । ଚାରିଟି ହତ୍ୟା କରିବା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିଲା । ଯାହାକୁ ପୋଲିସ ଅନେକ ଦିନରୁ ଖୋଜୁଥିଲା । ପୋଲିସ କହିବା ମୁତାବକ, ଅଭିଯୁକ୍ତ ଜଣକ ପ୍ରାପ୍ତ ବୟସ୍କା ମହିଳାମାନଙ୍କୁ ନିଜ ଜାଲରେ ଫସାଉଥିଲା । ସେମାନଙ୍କୁ ଦୁଷ୍କର୍ମ କରିବା ପରେ ନୃଶଂସତାର ସହିତ ହତ୍ୟା କରୁଥିଲା । ଆଉ ଏହି ସାଇକୋ କିଲରକୁ ଧରିବା ପାଇଁ ବାରବାଙ୍କୀ ପୋଲିସର ୬ଟି ଟିମ୍ ଲାଗିଥିଲା । କେବଳ ଏତିକି ନୁହେଁ ଅପରାଧୀକୁ ଧରିବା ପାଇଁ ପୋଲିସ ତା’ର ଫଟୋକୁ ସୋସିଆଲ ମିଡିଆରେ ସେୟାର କରି ଅପିଲ୍ ମଧ୍ୟ କରିଥିଲା ।
ଡିସେମ୍ବର ୫, ୨୦୨୨ରେ ମେୱଇର ଖୁସେଟୀ ଗାଁ ନିକଟରେ ୬୦ ବର୍ଷୀୟ ମହିଳା କିଛି କାମ ପାଇଁ ବାହାରକୁ ଯାଇଥିଲେ । ସନ୍ଧ୍ୟାରେ ଘରକୁ ନ ଫେରିବା ଯୋଗୁଁ ଘର ଲୋକ ଥାନାରେ ନିଖୋଜ ହୋଇଥିବା ଅଭିଯୋଗ ଦାଏର କରିଥିଲେ । ତା’ ପରଦିନ ମହିଳାଙ୍କ ଶବ ପୋଲିସକୁ ମିଳିଥିଲା । ମହିଳାଙ୍କ ଦେହରେ କୌଣସି କପଡା ନଥିଲା । ମୁହଁ ଏବଂ ମୁଣ୍ଡରେ ଆଘାତ ଲାଗିଥିଲା । ପୋଷ୍ଟମର୍ଟମ ରିପୋର୍ଟରେ ଗଳା ଚାପି ହତ୍ୟା ହୋଇଥିବା ପୋଲିସ ଜାଣିବାକୁ ପାଇଥିଲା । ସେହିପରି ରାମସେନୀଘାଟ ଠାରୁ ୪ କି. ମି ଦୂରରେ ଥିବା ଏକ ଗାଁରେ ୧୭ ଡିସେମ୍ବରରେ ଏକ ୬୨ ବର୍ଷ ବୟସ୍କାଙ୍କ ମୃତଦେହ ପୋଲିସକୁ ମିଳିଥିଲା । ଏହି ମୃତଦେହରେ ମଧ୍ୟ କୌଣସି କପଡା ନଥିଲା । ପୋଷ୍ଟମର୍ଟମ ରିପୋର୍ଟରେ ଦୁଷ୍କର୍ମ ପରେ ହତ୍ୟା ହୋଇଥିବା ପୋଲିସ ଜାଣିବାକୁ ପାଇଥିଲା । କିନ୍ତୁ ହତ୍ୟାକାରୀ ବିଷୟରେ ଜଣାପଡିନଥିଲା । ୨୯ ଡିସେମ୍ବରରେ ମଧ୍ୟ ସମାନ ଘଟଣା ପୋଲିସ ନିକଟକୁ ଆସିଥିଲା । ପୋଲିସ ଏହି ଖବର ଜାଣିବା ପରେ ଏହିସବୁ ହତ୍ୟାକାଣ୍ଡ ପଛରେ ଜଣେ ଲୋକ ଥିବା ସନ୍ଦେହ କରି ୬ଟିମ୍ ପ୍ରସ୍ତୁତ କରିଥିଲା । ଆଉ ହତ୍ୟାକାରୀ ସାଇକୋ କିଲର ଅମରେନ୍ଦ୍ରକୁ ଅଯୋଧ୍ୟାରୁ ଗିରଫ କରିଥିଲା ।