ଇମ୍ଫାଲ: ପୁଣି ଥରେ ଅଶାନ୍ତ ହୋଇଉଠିଛି ମଣିପୁର। ମୁହାଁମୁହିଁ ହୋଇଛନ୍ତି ସୁରକ୍ଷା କର୍ମୀ ଓ ସ୍ଥାନୀୟ ଅଞ୍ଚଳବାସୀ। ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ସୁରକ୍ଷା କର୍ମୀ ଗୁଳି ମାଡ଼ ସାଙ୍ଗକୁ ଲୁହବୁହା ଗ୍ୟାସର ପ୍ରୟୋଗ କରିବା ଯୋଗୁ ପୁଣି ଥରେ ତେଜି ଉଠିଛି ଅସନ୍ତୋଷ। ସୁରକ୍ଷାକର୍ମୀଙ୍କ ଗୁଳି ମାଡ଼ରେ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ବିକ୍ଷୋଭକାରୀ ଆହତ ହୋଇଛନ୍ତି । ମଣିପୁରର ଚୁରାଚାନ୍ଦପୁର-ବିଷ୍ଣୁପୁର ଜିଲ୍ଲା ସୀମାରେ ଘଟିଛି ଏହି ହିଂସାକାଣ୍ଡ । ସାମ୍ପ୍ରତିକ ସ୍ଥିତିକୁ ଦେଖି ମଣିପୁରର ୫ ଜିଲ୍ଲାରେ ପୁଣି ଥରେ କର୍ଫ୍ୟୁ ଲାଗୁ କରାଯାଇଛି।
ବିଷ୍ଣୁପୁର ଜିଲ୍ଲାର ଫୌଗକଚାଓ ଇଖାଇରେ ସେନା ବ୍ୟାରିକେଡ ହଟାଇବା ପାଇଁ ସିଓସିଓଏମ୍ (କୋଅର୍ଡିନେଟଇଂ କମିଟି ଅନ୍ ମଣିପୁର ଇଣ୍ଟିଗ୍ରିଟି) ଏବଂ ତାହାର ମହିଳା ଶାଖା ପକ୍ଷରୁ ଜିଲ୍ଲାର ସମସ୍ତ ବର୍ଗର ଲୋକଙ୍କୁ ଅନୁରୋଧ କରାଯାଇଥିଲା। ଫଳରେ ଶତାଧିକ ଲୋକ ଶହ ଶହ ଲୋକ ବିଷ୍ଣୁପୁର ଜିଲ୍ଲାରେ ଏକତ୍ରିତ ହୋଇଥିଲେ। ସେମାନେ ଇମ୍ଫାଲରୁ ଫୌଗକଚାଓ ଅଭିମୁଖେ ଯାଉଥିବା ପୁଲିସ୍ ଓ ସେନାକୁ ରୋକିବାକୁ ରାସ୍ତା ଉପରେ ବସି ପଡ଼ିଲେ। ବୁଧବାର ଶହ ଶହ ଆନ୍ଦୋଳନକାରୀ କର୍ଫ୍ୟୁ ଉଲ୍ଲଘଂନ କରି ସେନାର ବାରିକେଡ ଭାଙ୍ଗିବାକୁ ଚେଷ୍ଟା କରିଥିଲେ। ବାରିକେଡ ଯୋଗୁ ଚାଷ ଜମିକୁ ଯିବା ସମ୍ଭବ ହୋଇ ପାରୁନି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।