କେନ୍ଦୁଝର: କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଳାଶପଙ୍ଗା ପଞ୍ଚାୟତର ମୁରୁସୁଆଁ ଗ୍ରାମରେ ୨୦୧୦ରୁ କାର୍ଯ୍ୟକ୍ଷମ ବ୍ରାଣ୍ଡ୍ ଷ୍ଟିଲ୍ ଆଣ୍ଡ୍ ପାୱାର୍ ପ୍ରାଇଭେଟ ଲିମିଟେଡ କାରଖାନା ପାଇଁ ଜମି ହରାଇଥିବା ପରିବାର ପକ୍ଷରୁ ନିଯୁକ୍ତି ଦାବିରେ ୧୯ତାରିଖଠାରୁ କାରଖାନା ମୁଖ୍ୟ ଫାଟକକୁ ଅବରୋଧ କରି ଆନ୍ଦୋଳନ ଆରମ୍ଭ ହୋଇଛି । କାରଖାନା ପ୍ରତିଷ୍ଠା ହେଲେ ଜମିହରାଙ୍କୁ ନିଯୁକ୍ତି ସହ ପାରିପାଶ୍ୱର୍ିକ ଅଞ୍ଚଳର ବିକାଶ ଭଳି ଲୋଭାଣିଆ ପ୍ରତିଶ୍ରୁତି ଦେଇ ପଶ୍ଚିମବଙ୍ଗ ରାଜ୍ୟର ଜଣେ ଅଣଓଡିଆ ଶିଳ୍ପପତି ଶାଗମାଛ ଦରରେ ୨୦୦୪ ମସିହାରେ ୨୨.୪୬ ଏକର ଜମି ମୁରୁସୂଆଁ ଗ୍ରାମବାସୀଙ୍କଠାରୁ ଜମି କ୍ରୟକରି କାରଖାନା ନିର୍ମାଣ ଆରମ୍ଭ କରିଥିଲେ ।
କାରଖାନା ନିର୍ମାଣ ଶେଷହୋଇ ଉତ୍ପାଦନକ୍ଷମ ହେଲେ ନିଯୁକ୍ତି ମିଳିବ ଏହି ଆଶାରେ ଜମିହରା ଏବଂ ସ୍ଥାନୀୟ ପ୍ରଭାବିତ ଗ୍ରାମବାସୀ କାରଖାନା କର୍ତ୍ତୃପକ୍ଷଙ୍କୁ ଅକୁଣ୍ଠ ସମର୍ଥନ ମଧ୍ୟ ଯୋଗାଇ ଆସିଲେ । ୨୦୧୦ରୁ କାରଖାନା ତା’ର ବ୍ୟବସାୟିକ ଉତ୍ପାଦନ ଆରମ୍ଭ କରିଥିବାବେଳେ ହାତଗଣତି କିଛି ଜମିହରାଙ୍କୁ ମାସିକ ସ୍ୱଳ୍ପ ବେତନରେ ନିଯୁକ୍ତି ଦେଇ ଅବଶିଷ୍ଟ ୨୦ଜଣ ଜମିହରାଙ୍କୁ କାରଖାନା କାର୍ଯ୍ୟକ୍ଷମର ୧୨ବର୍ଷ ପରେ ମଧ୍ୟ ନିଯୁକ୍ତି ଦିଆନଯିବା କମ୍ପାନୀ କର୍ତ୍ତୃପକ୍ଷଙ୍କ ଜମିହରାଙ୍କ ପ୍ରତି ଉଦାସୀନ ମନୋଭାବକୁ ସ୍ପଷ୍ଟ ପ୍ରମାଣିତ କରୁଛି । କମ୍ପାନୀ ଜମି ହାତେଇବା ପରେ ନିଯୁକ୍ତି ନଦେବାରୁ ଜମିହରାଙ୍କ ପକ୍ଷରୁ ନିଯୁକ୍ତି ଦାବିରେ କାରଖାନା ସମ୍ମୁଖରେ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଧାରଣା ଦିଆଯିବ ବୋଲି ବହୁ ପୂର୍ବରୁ କମ୍ପାନୀ କର୍ତ୍ତୃପକ୍ଷ ସମେତ ଜିଲ୍ଲା ଓ ପୁଲିସ ପ୍ରଶାସନକୁ ଲିଖିତ ଭାବେ ଅବଗତ କରାଯାଇଥିଲେ ହେଁ କୌଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ବୁଧବାରଠାରୁ ବାଧ୍ୟ ହୋଇ କାରଖାନା ମୁଖ୍ୟ ଫାଟକକୁ ଅବରୋଧ କରି ଆନ୍ଦୋଳନରେ ସାମିଲ ହୋଇଛୁ ବୋଲି ଜମିହରା ନିଯୁକ୍ତି ଆଶାୟୀ ରଣଜିତ୍ ମହାନ୍ତ, ଦୁଷ୍ମନ୍ତ ମହାନ୍ତ,ଲକ୍ଷ୍ମିଧର ମହାନ୍ତ, ଅଲେଖ ମହାନ୍ତ, ଚିତ୍ତରଞ୍ଜନ ମହାନ୍ତ, ପରମାନନ୍ଦ ମହାନ୍ତ, ଦିଲ୍ଲୀପ ମହାନ୍ତ, ଲାଲମୋହନ ମହାନ୍ତ, ଅଖିଳ ମହାନ୍ତ, ଡମ୍ବରୁଧର ମହାନ୍ତ, ବଳଭଦ୍ର ମହାନ୍ତ, ଗୋପାଳଚନ୍ଦ୍ର ମହାନ୍ତ, ନିର୍ମଳମାଝୀ, ଅନୀଲ ମାଝୀ, ମଙ୍ଗଳୁ ମୁଣ୍ଡା, ଉମେଶ ପାତ୍ର, ନରେଶ ପାତ୍ର ଜମିହରାଙ୍କୁ ସମର୍ଥନ ଜଣାଇ ପଳାଶପଙ୍ଗା ସରପଞ୍ଚ ବାସନ୍ତୀ ନାଏକ, ସମିତିସଭ୍ୟ ସଞ୍ଜୟ କୁମାର ନାଏକ ଓ ଜିଲ୍ଲା ପରିଷଦ ସଦସ୍ୟ ଲୀଳାବତୀ ମହାନ୍ତ ପ୍ରମୁଖ ଆନ୍ଦୋଳନକାରୀଙ୍କ ସହ ସାମିଲ ହୋଇଥିବାବେଳେ ଜମିହରାଙ୍କ ଦାବି ପୂରଣ ନେଇ କମ୍ପାନୀ କର୍ତ୍ତୃପକ୍ଷ କୌଣସି ଆଲୋଚନା କରିନଥିବା ଜଣାପଡିଛି ।
ଏଥିପୂର୍ବରୁ ୨୦୧୫ ମସିହାରେ ଜମିହରାମାନେ ଆନ୍ଦୋଳନ କରିବାରୁ ୧ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି କାରଖାନା ବନ୍ଦ ରହିଥିଲା। ପ୍ରଶାସନ, ଜମିହରା ଏବଂ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା ପରେ ୫୯ଜଣଙ୍କୁ ନିଯୁକ୍ତି ଦେବା ପରେ କାରଖାନା ପୁନଃ ଉତ୍ପାଦନ ଆରମ୍ଭ କରିଥିଲା । ଉକ୍ତ ସମୟରେ ବହୁ ଜମିହରା ଲୋକ ବାଦ୍ ପଡ଼ିଥିଲେ । ଦୀର୍ଘ ୭ବର୍ଷ ପରେ ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଜମିହରା ଲୋକ । କମ୍ପାନୀ ପକ୍ଷରୁ ଜମିହରା ପରିବାରର ନିଯୁକ୍ତି ସୁଯୋଗ ରୁ ବଞ୍ଚିତ ହୋଇଥିବା ୨୦ ଣଙ୍କୁ ତୁରନ୍ତ ଚୁକ୍ତି ମୁତାବକ ନିଯୁକ୍ତି ଦେବାକୁ ଦାବି କରିଛନ୍ତି । ସେହିପରି କମ୍ପାନୀ ଜାମୁଡିହା ସ୍କୁଲ ଛକଠାରୁ କାରଖାନା ଗେଟ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡ଼କ ରାସ୍ତାରେ ଭାରୀଯାନ ଚଳାଚଳ କରି ଗାଁ ରାସ୍ତା ନଷ୍ଟ କରୁଥିବା ଜାମୁଡିହା ଗ୍ରାମବାସୀ ଅଭିଯୋଗ କରିଛନ୍ତି । କମ୍ପାନୀ ନିଜସ୍ୱ ରାସ୍ତା ନକରି ଗାଁ ରାସ୍ତା ନଷ୍ଟ କରୁଥିବାରୁ ପିଚୁରାସ୍ତା ଖୁବ୍ କମ୍ ଦିନରେ ନଷ୍ଟ ହୋଇ ଗମନାଗମନ ଅନୁପଯୋଗୀ ହୋଇପଡୁଛି ।