ବ୍ୟାଙ୍କକ: ଥାଇଲାଣ୍ଡ ଓପନ୍ରେ ଭାରତର ଶୀର୍ଷ ଶଟ୍ଲର୍ ପିଭି ସିନ୍ଧୁଙ୍କ ଚିତ୍ତାକର୍ଷକ ଯାତ୍ରାରେ ଶନିବାର ବ୍ରେକ୍ ଲାଗିଛି । ସୁପର୍ ୫୦୦ ଟୁର୍ଣ୍ଣାମେଣ୍ଟ୍ର ମହିଳା ସିଙ୍ଗଲ୍ସ ସେମିଫାଇନାଲ୍ରେ ଦୁଇଥରର ଅଲିମ୍ପିକ୍ ପଦକ ବିଜୟିନୀ ସିନ୍ଧୁଙ୍କୁ ଅଲିମ୍ପିକ୍ ଚାମ୍ପିଅନ୍ ଏବଂ ବିଶ୍ୱର ନଂ.୪ ଖେଳାଳି ଚୀନ୍ର ଚେନ୍ ୟୁ ଫେଇ ୨୧-୧୭, ୨୧-୧୬ ସିଧା ଗେମ୍ରେ ପରାଜିତ କରିଛନ୍ତି । ସିନ୍ଧୁଙ୍କ ପରାଜୟ ସହ ଟୁର୍ଣ୍ଣାମେଣ୍ଟ୍ରେ ଭାରତର ଅଭିଯାନ ଶେଷ ହୋଇଛି ।
ଏହି ମ୍ୟାଚ୍ ପୂର୍ବରୁ ତୃତୀୟ ସିଡ୍ ଚେନ୍ଙ୍କ ବିପକ୍ଷରେ ଷଷ୍ଠ ସିଡ୍ ସିନ୍ଧୁଙ୍କ ବିଜୟ ରେକର୍ଡ ୬-୪ ଥିଲା । ମାତ୍ର ସେ ଚୀନ୍ର ଏହି ଖେଳାଳିଙ୍କ ବିପକ୍ଷରେ ସେପରି ଦମ୍ଦାର ପ୍ରଦର୍ଶନ କରିପାରି ନଥିଲେ । ଅନ୍ୟପକ୍ଷରେ ଚେନ୍ ଆକ୍ରମଣାତ୍ମକ ପ୍ରଦର୍ଶନ କରି ବିଜୟୀ ହୋଇଥିଲେ । ହାଇଦ୍ରାବାଦର ୨୬ ବର୍ଷୀୟା ଖେଳାଳି ଶେଷଥର ପାଇଁ ୨୦୧୯ ବିଡ୍ଲ୍ୟୁଏଫ୍ ୱାର୍ଲ୍ଡ ଟୁର୍ ଫାଇନାଲ୍ସରେ ଚେନ୍ଙ୍କଠାରୁ ପରାଜିତ ହୋଇଥିଲେ ।
ମ୍ୟାଚ୍ର ପ୍ରଥମ ଗେମ୍ରେ ୩-୩ରେ ସ୍କୋର୍ ସମାନ ରଖିବା ପରେ ସିନ୍ଧୁ ବ୍ରେକ୍ ବେଳକୁ ୭-୧୧ରେ ପଛୁଆ ରହିଥିଲେ । ଏହାପରେ ଚେନ୍ ରାଲିରେ ପ୍ରଭାବ ଜାରି ରଖିବା ସହ ପାଞ୍ଚ ଗେମ୍ ପଏଣ୍ଟ ହାସଲ କରିଥିଲେ । ସିନ୍ଧୁ ଦୁଇଟି ଗେମ୍ ପଏଣ୍ଟ ବଞ୍ଚାଇଥିଲେ ମଧ୍ୟ ଚୀନ୍ ଖେଳାଳି ସହଜରେ ପ୍ରଥମ ଗେମ୍ ଜିତିନେଇଥିଲେ । ଦ୍ୱିତୀୟ ଗେମ୍ରେ ବିଶ୍ୱର ନଂ.୭ ସିନ୍ଧୁ ଉନ୍ନତ ପ୍ରଦର୍ଶନ କରି ପ୍ରଥମେ ୬-୩ ଅଗ୍ରଣୀ ହାସଲ କରି ବ୍ରେକ୍ ବେଳକୁ ଦୁଇ ପଏଣ୍ଟ୍ ଆଗରେ ରହିଥିଲେ ।
ମାତ୍ର ଚୀନ୍ ଖେଳାଳି ଉନ୍ନତ ପ୍ରଦର୍ଶନ କରି ୧୫-୧୨ ହୋଇଥିଲେ । ଏହାପରେ ସିନ୍ଧୁ ଲୟ ବଜାୟ ରଖିବାରେ ବିଫଳ ହେବାରୁ ଚେନ୍ ଚାରିଟି ମ୍ୟାଚ୍ ପଏଣ୍ଟ୍ ହାସଲ କରି ବିଜୟୀ ହୋଇଥିଲେ । ଚଳିତ ସିଜନ୍ରେ ସୟଦ୍ ମୋଦୀ ଇଣ୍ଟରନ୍ୟାସ୍ନାଲ୍ ଓ ସ୍ୱିସ୍ ଓପନ୍ରେ ଦୁଇଟି ସୁପର୍ ୩୦୦ ଟାଇଟଲ୍ ଏବଂ ବ୍ୟାଡ୍ମିଣ୍ଟନ୍ ଏସିଆ ଚାମ୍ପିଅନ୍ଶିପ୍ରେ ବ୍ରୋଞ୍ଜ୍ ପଦକ ଜିତିଥିବା ସିନ୍ଧୁ ପରବର୍ତ୍ତୀ ଟୁର୍ଣ୍ଣାମେଣ୍ଟ୍ ଇଣ୍ଡୋନେସିଆ ମାଷ୍ଟର୍ସ ସୁପର୍ ୫୦୦ରେ ଭାଗନେବେ । ଏହି ଟୁର୍ଣ୍ଣାମେଣ୍ଟ୍ ଜାକର୍ତ୍ତାରେ ଜୁନ୍ ୭ରୁ ୧୨ ପର୍ଯ୍ୟନ୍ତ ଆୟୋଜିତ ହେବ ।