ନୂଆଦିଲ୍ଲୀ: ବେଶ୍ୟାବୃତ୍ତି ଉପରେ ଲାଗିଲା ପ୍ରତିବନ୍ଧକ । ଏଭଳି ଏକ ପଦକ୍ଷେପ ନେଇଛନ୍ତି ସ୍ପେନ୍ର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍ । ସେ କହିଛନ୍ତି ଯେ ସ୍ପେନ୍ରୁ ସମ୍ପୂର୍ଣ୍ଣ ଭାବରେ ବେଶ୍ୟାବୃତ୍ତିକୁ ବନ୍ଦ କରାଯିବ । ଏହା ଦ୍ୱାରା ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ରୋକା ଯାଇପାରିବ ବୋଲି କହିଛନ୍ତି ସାଞ୍ଚେଜ୍ । ୧୯୯୫ ରେ ବେଶ୍ୟାବୃତ୍ତିକୁ ସ୍ପେନ୍ରେ ଆଇନଗତ ସ୍ୱୀକୃତି ମିଳିଥିଲା । ଯାହା ଦ୍ୱାରା ଏହି ବ୍ୟବସାୟ ସାରା ଦେଶରେ ଚାହିଦା ବଢାଇଲା । ସୂଚନା ଅନୁଯାୟୀ, ଦେଶରେ ଘରୋଇ ବେଶ୍ୟାବୃତ୍ତି ଦ୍ୱାରା ଦୈନିକ ୨୬.୫ ମିଲିୟନ ଡଲାର ବ୍ୟବସାୟ ହେଉଛି । ଦେଶର ପ୍ରାୟ ୩ ଲକ୍ଷ ଲୋକ ଏହି ବୃତ୍ତିରେ ଜଡିତ ରହିଛନ୍ତି । ଭାଲେନ୍ସିଆ ସହରରେ ଅନୁଷ୍ଠିତ ସମ୍ମିଳନୀରେ ସାଞ୍ଚେଜ କହିଛନ୍ତି ଯେ, ଏକ ନୂଆ ନିୟମ ଲାଗୁ କରାଯିବ, ଯାହା ପରବର୍ତ୍ତୀ ପର୍ଯ୍ୟାୟରେ କାର୍ଯ୍ୟକାରୀ ହେବ । ସେ କହିଛନ୍ତି ଯେ, ଦେଶରୁ ସମ୍ପୂର୍ଣ୍ଣ ଭାବରେ ବେଶ୍ୟାବୃତ୍ତିକୁ ବନ୍ଦ କରାଯିବ, ଯାହା ଦ୍ୱାରା ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ସମ୍ପୂର୍ଣ୍ଣ ଭାବେ ରୋକା ଯାଇପାରିବ । ଏହି ବ୍ୟବସାୟ ଦ୍ୱାରା ମହିଳାମାନଙ୍କୁ ଦାସ ଭଳି ବ୍ୟବହାର କରାଯାଉଥିବାର ଅଭିଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ ସାଞ୍ଚେଜ । ସ୍ପେନରେ ବେଶ୍ୟାବୃତ୍ତି ସମ୍ବନ୍ଧରେ କୌଣସି ନିୟମ ନାହିଁ । ତଥାପି ମହିଳାମାନଙ୍କୁ ନେଇ ଯୌନ ଉତ୍ପୀଡ଼ନ ଦେବା ଓ ବଳପୂର୍ବକ ଦୁଷ୍କର୍ମ କରିବା ଆଦି ଅପରାଧ ବୋଲି ସ୍ପେନ ପକ୍ଷରୁ କୁହାଯାଇଛି । ଯଦି କେହି ନିଜ ଇଚ୍ଛାରେ ଟଙ୍କା ପାଇଁ ଏହି ବୃତ୍ତିକୁ ଆପଣାଏ ତେବେ ଏହା ପ୍ରତି କୌଣସି ଦଣ୍ଡାଦେଶ ନାହିଁ । ପ୍ରାୟତଃ ଏହି ବ୍ୟବସାୟ ହୋଟେଲ କିମ୍ବା ଲଜ୍ ଆଦିରେ ହୋଇଥାଏ । ସରକାରୀ ସଂସ୍ଥା ତଥା ସାମାଜିକ ଅନୁସନ୍ଧାନ କେନ୍ଦ୍ରର ସର୍ଭେରୁ ଜଣାପଡିଛି ଯେ ସ୍ପେନ୍ର ୩୦ ପ୍ରତିଶତ ପୁରୁଷ ଟଙ୍କା ଦେଇ ଯୌନ ସମ୍ପର୍କ ରଖୁଛନ୍ତି । ସ୍ପେନ୍ରେ ଏହି ବ୍ୟବସାୟଟି ଏତେ ମାତ୍ରାରେ ବିସ୍ତାର ହୋଇଥିଲା ଯେ ଜାତିସଂଘରେ ସ୍ପେନ୍କୁ ୟୁରୋପର ବେଶ୍ୟାଶାଳ ବୋଲି କୁହାଯାଉଥିଲା ।