ବୌଦ୍ଧ: ବୌଦ୍ଧରେ ୧୯୧୭ ମସିହାରେ ସହରର ପୁରୁଣା ବ୍ଲକ୍ ଛକ ଠାରେ ସବଜେଲ ନିର୍ମାଣ ହୋଇଥିଲା । ଏହି ସବଜେଲରେ ଆଜି ପର୍ଯ୍ୟନ୍ତ ବନ୍ଦୀମାନେ ରହିଆସୁଥିଲେ । କିନ୍ତୁ ଏହି ସବଜେଲରେ ବନ୍ଦୀଙ୍କ ପାଇଁ ନୂତନ କୋଠା ନିର୍ମାଣ କରାଯାଇନଥିବାରୁ ବହୁ ସମୟରେ ବନ୍ଦୀମାନଙ୍କ ରହିବା ପାଇଁ ଅସୁବିଧା ଦେଖାଦେଉଥିଲା । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସହର ଠାରୁ ଦୀର୍ଘ ୧୭ କି.ମି ଲାଣ୍ଡିବନ୍ଧ ଠାରେ ନୂତନ ଜେଲ ନିର୍ମାଣ କରାଯାଇଥିଲା । କିନ୍ତୁ ଏହି ନୂତନ ଜେଲଟି ନିର୍ମାଣ କରାଯାଇଥିଲେ ମଧ୍ୟ ସ୍ଥାନାନ୍ତରିତ ହୋଇପାରୁନଥିଲା । କିନ୍ତୁ ଗତ ଅକ୍ଟୋବର ୧୧ରେ ୫ଟି ସଚିବ ଭିକେ ପାଣ୍ଡିଆନ, ମୁଖ୍ୟ ଶାସନ ସଚିବ ଅସିତ ତ୍ରୀପାଠି ଓ ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ବୌଦ୍ଧ ଜିଲ୍ଲା ଗସ୍ତ କରି ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିବା ସହ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ୟା ପଚାରି ବୁଝିଥିଲେ । ଏହି ସମୟରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ମୁଖ୍ୟ ଚିକିତ୍ସାଳୟରେ ସ୍ଥାନ ଅଭାବ ଯୋଗୁଁ ବହୁ ଅସୁବିଧା ହେଉଥିବା ନେଇ ଦୃଷ୍ଟି ଆକର୍ଷଣ କରିଥିଲେ । ସଚିବଙ୍କ ଗସ୍ତର ୫ ଦିନ ପରେ ବୌଦ୍ଧ ଜିଲ୍ଲାରେ ଏକ ୨୦୦ ଶଯ୍ୟା ବିଶିଷ୍ଟ ନୂତନ ଚିକିତ୍ସାଳୟ ନିର୍ମାଣ କରାଯିବା ନେଇ ଘୋଷଣା କରାଯାଇଥିଲା । ଘୋଷଣା ପରେ ଜିଲ୍ଲାପାଳ ନୂତନ ଚିକିତ୍ସାଳୟ ଜେଲ ପରିସରରେ ନିର୍ମାଣ କରାଯିବ ବୋଲି ସୂଚନା ଦେବା ସହ ଜେଲ ନୂତନ କୋଠାକୁ ଯିବ ଓ ଖୁବଶୀଘ୍ର ନୂଆ ଚିକିତ୍ସାଳୟ କାର୍ଯ୍ୟ ଆରମ୍ଭ ହେବ ବୋଲି ମଧ୍ୟ ସୂଚନା ଦେଇଥିଲେ । ରବିବାର ସବ୍ ଜେଲଟି ଲାଣ୍ଡିବନ୍ଧକୁ ସ୍ଥାନାନ୍ତର ହୋଇଛି । ସବଜେଲରେ ଥିବା ବନ୍ଦୀମାନଙ୍କୁ କଡା ସୁରକ୍ଷା ମଧ୍ୟରେ ସ୍ଥାନାନ୍ତରିତ କରାଯାଇଛି । ଏନେଇ ଜେଲର ଜନାର୍ଦ୍ଧନ ମଲିକଙ୍କୁ ପଚାରିବାରୁ ସବଜେଲଟି ଲାଣ୍ଡିବନ୍ଧ ଠାରେ ନିର୍ମାଣ ହୋଇଥିବା ନୂଆ କୋଠାକୁ ସ୍ଥାନାନ୍ତର ହୋଇଛି ଏବଂ ୨୮୩ ଜଣ ବନ୍ଦୀ ଥିଲେ । ସେମାନଙ୍କୁ କଡା ସୁରକ୍ଷା ମଧ୍ୟରେ ନୂଆ ଜେଲକୁ ସ୍ଥାନାନ୍ତରିତ କରାଯାଇଥିବା କହିଛନ୍ତି ।