31.1 C
Bhubaneswar
Sunday, May 19, 2024
Homeଓଡିଶାସରକାରଙ୍କ ଦ୍ୱାରା ଧାନ କ୍ରୟ ବେଳେ କଟନି ଛଟନି ବନ୍ଦ କରିବା, ସମସ୍ତ ଚାଷୀମାନଙ୍କଠାରୁ ଧାନ...

ସରକାରଙ୍କ ଦ୍ୱାରା ଧାନ କ୍ରୟ ବେଳେ କଟନି ଛଟନି ବନ୍ଦ କରିବା, ସମସ୍ତ ଚାଷୀମାନଙ୍କଠାରୁ ଧାନ କ୍ରୟ ଓ ତୁରନ୍ତ ଦେୟ ଦାବୀ କରି ଓଡିଶା ବଞ୍ଚାଅ ଅଭିଯାନ ପକ୍ଷରୁ ଗଣଧାରଣା

ଭୁବନେଶ୍ୱର: ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଓଡିଶାରେ ଚାଷୀ ଉତ୍ପାଦିତ ଧାନ ବିକ୍ରି କରିବାରେ ଘୋର କ୍ଷତି ଓ ଅସୁବିଧାର ସମ୍ମୁଖୀନ ହେଉଛି । ରାଜ୍ୟ ସରକାର ଭାଗଚାଷୀମାନଙ୍କୁ ଚାଷୀର ମାନ୍ୟତା ଦେଇ ସରକାରୀ କ୍ରୟ କେନ୍ଦ୍ରରେ ଧାନ ବିକ୍ରି କରିବାର ଅଧିକାର ଦେଉନାହାନ୍ତି । ଚଳିତ ବର୍ଷ ଉତ୍କୃଷ୍ଠ ମାନର ଧାନ ଉତ୍ପାଦନ ହୋଇଥିଲେ ମଧ୍ୟ ରାଜ୍ୟର ସମସ୍ତ ଧାନ ବିକ୍ରିୟ କରୁଥିବା ଏଜେନ୍ସିମାନେ ଏହାଦ୍ୱାରା ଲାଭବାନ ହୋଇଛନ୍ତି । ଚାଷୀମାନଙ୍କୁ ଅଖା ଓ ପରିବହନ ବାବଦ ଖର୍ଚ୍ଚ ଦେବା ବ୍ୟବସ୍ଥା ଥିଲେ ସୁଦ୍ଧା ଚାଷୀମାନଙ୍କୁ ଦିଆଯାଇନାହିଁ । ଚାଷୀମାନଙ୍କୁ ଟୋକନ ଦେବା ପରେ ମଧ୍ୟ ସପ୍ତାହ ସପ୍ତାହ ଧରି ଧାନ କିଣାଯାଉନାହିଁ ଏବଂ ବିକ୍ରି ଦେୟ ମଧ୍ୟ ଦେବାର ଅହେତୁକ ବିଳମ୍ବ ହେଉଛି ।

ଏହାର ପ୍ରତିବାଦ କରି ଆଜି ଏଠାରେ ସମତାକ୍ରାନ୍ତି ଦଳ, ସିପିଆଇ(ଏମ୍‌), ସିପିଆଇ, ସିପିଆଇ(ଏମ୍‌-ଏଲ୍‌) ଲିବରେସନ, ଅଲ୍ ଇଣ୍ଡିଆ ଫରସ୍ୱାର୍ଡ ବ୍ଲକ, ସମାଜବାଦୀ ପାର୍ଟି, ସମୃଦ୍ଧ ଓଡିଶା, ରାଷ୍ଟ୍ରିୟ ଜନତାଦଳ, ଜନତାଦଳ(ୟୁନାଇଟେଡ) ଆର.ପି.ଆଇ ଆଦି ୧୦ଟି ବିରୋଧୀ ରାଜନୈତିକ ଦଳକୁ ନେଇ ଗଠିତ ଓଡିଶା ବଞ୍ଚାଅ ଅଭିଯାନ ପକ୍ଷରୁ ମହାତ୍ମା ଗାନ୍ଧୀ ମାର୍ଗରେ ଏକ ରାଜ୍ୟସ୍ତରୀୟ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି ।

ରାଜ୍ୟର ବିଭିନ୍ନ ସ୍ଥାନରୁ ଶହ ଶହ ଧାରଣାକାରୀଙ୍କୁ ଉଦବୋଧନ ଦେଇ ନେତୃବୃନ୍ଦ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଚାଷୀ ବିରୋଧୀ ମନୋଭାବର ତୀବ୍ର ଆଲୋଚନା କରିଥିଲେ । ରାଜ୍ୟ ସରକାର ଧାନ କ୍ରୟ ବ୍ୟବସ୍ଥାକୁ ମିଲରମାନଙ୍କ ହାତରେ ଟେକି ଦେଇଛନ୍ତି ବୋଲି ବକ୍ତାମାନେ ଅଭିଯୋଗ କରିଥିଲେ । ନୟାଗଡ ଭଳି ଜିଲ୍ଲା ବାହାର ମିଲରମାନଙ୍କୁ ଧାନ କିଣିବା ଦାୟିତ୍ୱ ଦେବା ଯୋଗୁଁ ସେମାନେ ମୋଟେ ଧାନ କିଣୁନାହାଁନ୍ତି । ଫଳରେ ଚାଷୀ ବାଧ୍ୟ ହୋଇ ଶସ୍ତାରେ ଧାନ ବିକ୍ରି କରୁଛନ୍ତି ।

ଓଡିଶା ରାଜ୍ୟ ସରକାର ଧାନର କ୍ୱିଣ୍ଟାଲ୍ ପ୍ରତି ୨୯୫୦ ଟଙ୍କା ହେବା ଦରକାର ବୋଲି ବିଧାନସଭାରେ ଏକ ସର୍ବଦଳୀୟ ସଂକଳ୍ପ ପାରିତ କରିଦେଇ ଚୁପ୍ ହୋଇଗଲେ । ଏଣେ ସାରା ରାଜ୍ୟରେ ଅଭାବୀ ଦରରେ ହଜାର ହଜାର କ୍ୱିଣ୍ଟାଲ ଧାନ ପଡୋଶୀ ରାଜ୍ୟର ବେପାରୀ ମାନେ କିଣି ନେଉଛନ୍ତି । କେରଳ, ଛତିଶଗଡ ଆଦି ରାଜ୍ୟରେ ରାଜ୍ୟ ସରକାର କେନ୍ଦ୍ର ଧାର୍ଯ୍ୟ କରିଥିବା ଧାନ ଦର ଉପରେ ବୋନସ ଦେଉଥିବା ବେଳେ ଓଡିଶା ରାଜ୍ୟ ସରକାର ଟଙ୍କାଟିଏ ମଧ୍ୟ ବୋନସ ଦେଉନାହାଁନ୍ତି । ଏବେ ଧାନ ବିକ୍ରିରେ ପ୍ରତିବର୍ଷ ସର୍ବନିମ୍ନ ୩୦୦୦କୋଟି ଟଙ୍କାର ଦୁର୍ନୀତି ହେଉଛି ।

କେନ୍ଦ୍ର ସରକାର ସରକାରୀ କ୍ରୟ ବ୍ୟବସ୍ଥା ଉଚ୍ଛେଦ କରି ଘରୋଇ କର୍ପୋରେଟମାନଙ୍କ ହାତରେ ଧାନ କ୍ରୟ, ବିକ୍ରୟ ବ୍ୟବସ୍ଥା ଟେକିଦେବା ପାଇଁ ବିଶେଷ ଆଗ୍ରହୀ । ସେଥିପାଇଁ ଭାରତୀୟ ଖାଦ୍ୟ ନିଗମ(ଏଫ.ସି.ଆଇ) ପରି କେନ୍ଦ୍ରୀୟ ସଂସ୍ଥାକୁ ପଙ୍ଗୁ କରିଦେଇ ଘରୋଇ କମ୍ପାନନୀମାନଙ୍କୁ ଏକଚାଟିଆ ବ୍ୟବସ୍ଥା ପାଇଁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି । ଫଳରେ ଚାଷୀମାନେ ଆହୁରି କମ୍ ଦରରେ ଧାନ କରିବାକୁ ବାଧ୍ୟ ହେବେ ଏବଂ ଖୁଚୁରା ବଜାରରେ ଚାଉଳ ଦର କମ୍ପାନୀମାନେ ସ୍ଥିର କରିବେ । ଏହାଦ୍ୱାରା ଖାଉଟିମାନେ ସର୍ବନିମ୍ନ ଖାଦ୍ୟ ନିରାପତ୍ତାରୁ ବଂଚିତ ହେବେ । ଦେଶର ଆନ୍ଦୋଳନ ଯୋଗୁଁ କେନ୍ଦ୍ର ସରକାର ଗୃହୀତ ୩ଟି କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ବାଧ୍ୟ ହେଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ଧାନ ସମେତ ସମସ୍ତ କୃଷିଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ ଦେବା ପାଇଁ ଆଇନଗତ ଦରଜା ପ୍ରଣୟନ କରୁନାହାଁନ୍ତି । ଫଳରେ ଚାଷୀ ଧାନ, ଗହମ ଆଜି ସମସ୍ତ କୃଷିଜାତ ସାମଗ୍ରୀ ଚାଷୀ ଶସ୍ତା ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛି ।

ଚଳିତ ବର୍ଷ କେନ୍ଦ୍ର ସରକାର ବାର୍ଷିକ ବଜେଟରେ ଖାଦ୍ୟ ନିରାପତ୍ତା, ବାବଦ ୯୦୦୦୦କୋଟି, ସାର ସବସିଡି ୫୦,୦୦୦ କୋଟି ହ୍ରାସ କରିବା ଯୋଗୁଁ ଖାଦ୍ୟ ନିରାପତ୍ତା ବିପନ୍ନ ହେବ । ପୂର୍ବରୁ ଚାଷୀର ଆୟ ଦ୍ୱିଗୁଣିତ କରିବା ବାହାସ୍ପୋଟ ମାରୁଥିବା କେନ୍ଦ୍ର ସରକାର ପ୍ରଧାନ ମନ୍ତ୍ରୀ କିଷାନ ଫଣ୍ଡ ୬୮,୦୦୦ କୋଟିକୁ କମାଇ ୬୦ ହଜାର କୋଟି କରୀବା ଯୋଗୁଁ ଏଥିରୁ ବଞ୍ଚିତ ଅନେକ ଚାଷୀ ଆହୁରି ଅଧିକ କ୍ଷତିର ସମ୍ମୁଖୀନ ହେବେ ।

ଏହି ଧାରଣାକୁ ୧୦ଟି ବିରୋଧୀ ଦଳ ନେତାଙ୍କୁ ନେଇ ଏକ ସଭାପତିମଣ୍ଡଳୀ ପରିଚାଳନା କରିଥିଲେ । ଓଡିଶା ବଞ୍ଚାଅ ଅଭିଯାନର ଆବାହକ ପୂର୍ବତନ କେନ୍ଦ୍ର ବ୍ରଜ କିଶୋର ତ୍ରିପାଠୀ, ସିପିଆଇ(ଏମ୍‌) ଓଡିଶା ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ, ସି.ପି.ଆଇ , ରାଜ୍ୟ ସମ୍ପାଦକ ଅଭୟ ସାହୁ, ସି.ପି.ଆଇ(ଏମ୍‌-ଏଲ୍‌) ଲିବରେସନ ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର, ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ ରାଜ୍ୟ ସମ୍ପାଦକ ଜ୍ୟୋତିରଂଜନ ମହାପାତ୍ର, ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା, ଆର.ଜେ.ଡି ନେତା ହେମନ୍ତ ବାବୁ, ଜନତାଦଳ(ୟୁ) ନେତା ଚିତ୍ତରଞ୍ଜନ ମହାନ୍ତି, ସମୃଦ୍ଧ ଓଡିଶା ରାଜ୍ୟ ସଭାପତି ଡଃ ଯତୀଶ ମହାନ୍ତି, ସମତାକ୍ରାନ୍ତି ଦଳର ରାଜ୍ୟ ସମ୍ପାଦକ ପ୍ରଭାତ ସାମନ୍ତରା, ସି.ପି.ଆଇ ଆଶୀଷ କାନୁନଗୋ, ଫରୱାର୍ଡ ବ୍ଲକ ପୂର୍ଣ୍ଣଚନ୍ଦ୍ର ପାଢି, ଆର.ପି.ଆଇ ସଭାପତି ଶେଖ୍ ଅବଦୁଲ୍‌ଲ ୱାଲି, ପଞ୍ଚନନ ଧାଙ୍ଗଡା ମାଝି, ସୁଦର୍ଶନ ଦାଶ, ସର୍ବେଶ୍ୱର ମିଶ୍ର, ଶାନ୍ତିଲତା ମହାରଣା, ଅଶୋକ ପ୍ରଧାନ, ସୁଦର୍ଶନ ପ୍ରଧାନ ପ୍ରମୁଖ ଉଦବୋଧନ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking