ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ବରୁଣେଇରେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ପାଇକ ବିଦ୍ରୋହ ସ୍ମାରକୀର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଥିଲା । ସେଠାରେ ହେବାକୁ ଥିବା ପାଇକ ମେମୋରିଆଲ ଫାଉଣ୍ଡେସନର ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଷ୍ଟ୍ରପତି କହିଛନ୍ତି ଯେ, “ବରୁଣେଇ ହେଉଛି ବୀରଭୂମି । ପାଇକମାନେ ବହୁତ ସ୍ୱାଭିମାନୀ ଥିଲେ । ଇଂରେଜମାନଙ୍କ ବିରୋଧରେ ଲଢ଼ିଥିଲେ ।” ପାଇକ ବିଦ୍ରୋହର ନେତୃତ୍ୱ ନେଇଥିବା ବକ୍ସି ଜଗବନ୍ଧୁଙ୍କ ପ୍ରଶଂସା କରି ରାଷ୍ଟ୍ରପତି କହିଛନ୍ତି, ଇଂରେଜମାନେ ଏହି ବିପ୍ଲବକୁ ଦମନ କରିଥିଲେ ମଧ୍ୟ ପାଇକ ବିଦ୍ରୋହ ସ୍ମରଣୀୟ। ସେ ଆହୁରି କହିଛନ୍ତି, ଓଡ଼ିଶା ହିଁ ଚଣ୍ଡାଶୋକକୁ ପରିଣତ କରିଥିଲା । ଏହି ଅବସରରେ ସେ ଉତ୍କଳମଣି ଗୋପବନ୍ଧୁ ଦାସ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଅବଦାନକୁ ମଧ୍ୟ ଉଲ୍ଲେଖ କରିଥିଲେ । ଏହା ପ୍ରତିଷ୍ଠିତ ହେବାପରେ ଏଠାକୁ ଆସି ପର୍ଯ୍ୟଟକମାନେ ପାଇକମାନଙ୍କ ବୀରଗାଥା ସଂପର୍କରେ ଜାଣିପାରିବେ ବୋଲି ସେ କହିଛନ୍ତି ।
ଏଥିସହ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପାଇକ ବିଦ୍ରୋହ ସ୍ମାରକୀର ନିର୍ମାଣ ପାଇଁ ପ୍ରଶଂସା ମଧ୍ୟ କରିଥିଲେ। ତେବେ ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଧର୍ମପତ୍ନୀ ସବିତା କୋବିନ୍ଦ, ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ, ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।
https://onakhabar.com/2019/12/08/ram-nath-kovind/