ମହିଳାଙ୍କ ଉପରକୁ ଏସିଡ ମାଡ

ମୁଜାଫରନଗର : ଦିନକୁ ମହିଳା ମାନଙ୍କ ପ୍ରତି ଅସଦାଚରଣ , ଦୁଷ୍କର୍ମ ଭଳି ଘଟଣା ବଢିବାରେ ଲାଗିଛି । ତେବେ ହାଇଦ୍ରାବାଦ ଡାକ୍ତରୀ ଛାତ୍ରୀଙ୍କ ଘଟଣା ହେଉ କି ଉନାଓ ଦୁଷ୍କର୍ମ ପୀଡିତାଙ୍କ ଘଟଣା ନ ଥମୁଣୁ ସେପଟେ ମୁଜାଫରପୁରରେ ଏଭଳି ଏକ ଘଟଣା ପୁଣି ଚାଞ୍ଚଲ୍ୟ ସୃଷ୍ଟି କରିଛି । ତେବେ ଏହି ଘଟଣାଟି ଉତ୍ତର ପ୍ରଦେଶର ଉନ୍ନାଓରେ ଜଣେ ଦୁଷ୍କର୍ମ ପୀଡ଼ିତାଙ୍କୁ ଜାଳିବା ଘଟଣାର ଦିନକ ପୂର୍ବରୁ ମୁଜାଫରନଗର ଜିଲ୍ଲାରେ ଜଣେ ୩୦ ବର୍ଷୀୟ ମହିଳାଙ୍କ ଉପରକୁ ଏସିଡ଼ ମାଡ଼ ହୋଇଛି । ମୁଜାଫରପୁର ପୋଲିସ ଶନିବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛି ।
ସୂଚନା ଅନୁସାରେ, ବୁଧବାର ରାତିରେ ୪ଜଣ ବ୍ୟକ୍ତି ମହିଳାଙ୍କ ଘରକୁ ବଳପୂର୍ବକ ପ୍ରବେଶ କରିଥିଲେ । ଏହା ପରେ ସେମାନେ ମହିଳାଙ୍କୁ କୋର୍ଟରୁ ମାମଲା ଫେରାଇ ଆଣିବାକୁ କହିଥିଲେ । ମାତ୍ର ମହିଳା ଜଣକ ଏଥିରେ ରାଜି ନ ହେବାରୁ ଏସିଡ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଏସିଡ ମାଡରେ ମହିଳାଙ୍କ ଶରୀର ୩୦ ପ୍ରତିଶତ ଜଳିଯାଇଛି ଏବଂ ମେରଠର ଏକ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି ।
ମହିଳାଙ୍କୁ ଏସିଡ ମାଡ଼ କରିଥିବା ବ୍ୟକ୍ତିମାନଙ୍କର ପରିଚୟ ମିଳି ସାରିଛି । ସେମାନେ ହେଲେ କସେରବା ନିବାସୀ ଆରିଫ, ଶାହନବାଜ, ଶରୀଫ ଓ ଆବିଦ । ଅଭିଯୁକ୍ତମାନେ ଫେରାର ଅଛନ୍ତି ଏବଂ ଖୁବ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ପୋଲିସ ଅଧିକାରୀ କହିଛନ୍ତି ।