25.1 C
Bhubaneswar
Thursday, January 16, 2025
Homeଓଡିଶାରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟକାଳ ବର୍ଷେ ପୂରିଲା

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟକାଳ ବର୍ଷେ ପୂରିଲା

ନୂଆଦିଲ୍ଲୀ : ରାଷ୍ଟ୍ରପତିଭାବେ ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟକାଳ ମଙ୍ଗଳବାର ଏକବର୍ଷ ପୂରଣ କରିଛି । ୨୦୨୨ ଜୁଲାଇ ୨୫ରେ ଶ୍ରୀମତୀ ମୁର୍ମୁ ଦେଶର ପଞ୍ଚଦଶ ରାଷ୍ଟ୍ରପତିଭାବେ ଶପଥଗ୍ରହଣ କରିଥିଲେ । ଏକବର୍ଷ ମଧ୍ୟରେ ଟେକ୍ନୋଲୋଜି ଜରିଆରେ ଅଧିକରୁ ଅଧିକ ଲୋକ ରାଷ୍ଟ୍ରପତି ଭବନ ସହ ଜଡିତ ହୋଇପାରିଥିବାରୁ ଶ୍ରୀମତୀ ମୁର୍ମୁ ସନ୍ତୋଷବ୍ୟକ୍ତ କରିଛନ୍ତି । ଏହି ପଦ୍ଧତି ଆପଣେଇ ରାଷ୍ଟ୍ରପତି ଭବନର କର୍ମଚାରୀମାନେ ଆଗାମୀ ଦିନରେ ପ୍ରଚଳିତ କାର୍ଯ୍ୟପ୍ରଣାଳୀକୁ ଅଧିକ ସ୍ୱଚ୍ଛ ଓ ଫଳପ୍ରସୂ କରିପାରିବେ ବୋଲି ମଧ୍ୟ ସେ ଆଶାବ୍ୟକ୍ତ କରିଛନ୍ତି । ବିଗତ ଏକବର୍ଷ ମଧ୍ୟରେ ଶ୍ରୀମତୀ ମୁର୍ମୁ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହିତ ଏହି ପଦର ଗାରିମାକୁ ବଜାୟ ରଖିପାରିଛନ୍ତି ।

ରାଷ୍ଟ୍ରପତି ଭବନ ପରିସରରେ ଥିବା ଶିବ ମନ୍ଦିରର ଆଧୁନିକୀକରଣ ପାଇଁ ଶିଳାନ୍ୟାସ କରିଥିବାବେଳେ ଡଃ ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ ବିଦ୍ୟାଳୟର ଖେଳପଡିଆରେ ଏକ କ୍ରିକେଟ ପ୍ୟାଭିଲିୟନର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହାବ୍ୟତୀତ ସେ ଇନ୍‌ଟେଲ ଇଣ୍ଡିଆ ସହଭାଗିତାରେ ରାଷ୍ଟ୍ରପତି ଭବନରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଦ୍ୱାରା ପରିଚାଳିତ ଗ୍ୟାଲେରୀ ‘ନବଚାରା’କୁ ଉଦ୍‌ଘାଟନ କରିଛନ୍ତି । ଉକ୍ତ ଗ୍ୟାଲେରୀରେ ଛାତ୍ରଛାତ୍ରୀ ଓ ଏଆଇ ପ୍ରଶିକ୍ଷକଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପ୍ରକାର ଏଆଇ ସଲ୍ୟୁସନ ଏବଂ ଉଦ୍ଭାବନକୁ ସ୍ଥାନିତ କରାଯାଇଛି । ଏଥିସହିତ ଶ୍ରୀମତୀ ମୁର୍ମୁ ରାଷ୍ଟ୍ରପତି ଭବନରେ ବୟନ ଶିଳ୍ପ ଗ୍ୟାଲେରୀ ‘ସୂତ୍ର-କଳା ଦର୍ପଣ’ ମଧ୍ୟ ଉଦ୍‌ଘାଟନ କରିଛନ୍ତି । ରାଷ୍ଟ୍ରପତି ଭବନରେ ବ୍ୟବହୃତ ହୋଇଥିବା ବିଭିନ୍ନ ପ୍ରକାର ଗୋଲଡ୍ ଏମ୍ବ୍ରୋଡରୀଯୁକ୍ତ କାର୍ପେଟ, ବିଛଣା ଚଦର, ଟେବୁଲ କ୍ଲଥ୍‌କୁ ସ୍ଥାନିତ କରାଯାଇଛି । ପ୍ରଥମ ରାଷ୍ଟ୍ରପତି ଡଃ ରାଜେନ୍ଦ୍ର ପ୍ରସାଦଙ୍କଠାରୁ ଆରମ୍ଭ କରି ଏପର୍ଯ୍ୟନ୍ତ ସବୁ ରାଷ୍ଟ୍ରପତି ବ୍ୟବହାର କରିଥିବା ଏହି ସବୁ କଳାକୃତି ସମ୍ପନ୍ନ ସାମଗ୍ରୀ ଏଠାରେ ରଖାଯାଇଛି । ଏହାବ୍ୟତୀତ ଶ୍ରୀମତୀ ମୁର୍ମୁ ଜନଜାତୀୟ ଦର୍ପଣ ନାମକ ଏକ ଗ୍ୟାଲେରୀ ମଧ୍ୟ ଉଦ୍‌ଘାଟନ କରିଛନ୍ତି । ବିଭିନ୍ନ ଆଦିବାସୀ ସଂପ୍ରଦାୟଙ୍କ ସାଂସ୍କୃତିକ ପରମ୍ପରା ସମ୍ପର୍କରେ ଗ୍ୟାଲେରୀରେ ଉଲ୍ଲେଖ କରାଯାଇଛି ।

ଫଳରେ ଗ୍ୟାଲେରୀକୁ ଆସୁଥିବା ବ୍ୟକ୍ତିମାନେ ଆଦିବାସୀଙ୍କ କଳା, ସଂସ୍କୃତି ଏବଂ ରାଷ୍ଟ୍ରନିର୍ମାଣରେ ସେମାନଙ୍କର ଅବଦାନ ସମ୍ପର୍କରେ ଅବଗତ ହୋଇପାରିବେ । ଶ୍ରୀମତୀ ମୁର୍ମୁ ନବୀକରଣ କରାଯାଇଥିବା ରାଷ୍ଟ୍ରପତି ଭବନର ୱେବ୍‌ସାଇଟ୍‌କୁ ମଧ୍ୟ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ରାଷ୍ଟ୍ରପତିଙ୍କ ସଚିବ ରାଜେଶ ବର୍ମା, ନ୍ୟାସନାଲ ଇନଫର୍ମେଟିକ୍‌ସ ସେଣ୍ଟରର ମହାନିର୍ଦ୍ଦେଶକ ରାଜେଶ ଗେରା ଓ ଅନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ । ଏଥିସହିତ ସେ ରାଷ୍ଟ୍ରପତି ଭବନ ପରିସରରେ ଥିବା ଆୟୂଷ ୱେଲନେସ୍ ସେଣ୍ଟର ପକ୍ଷରୁ ପ୍ରକାଶିତ ‘ପ୍ରିଜର୍ଭିଂ ହେଲ୍‌ଥ, ଏମ୍ବ୍ରାସିଂ ଟ୍ରାଡିସନ୍‌ସ’ ପୁସ୍ତକର ପ୍ରଥମ କପି ମଧ୍ୟ ଗ୍ରହଣ କରିଛନ୍ତି । ପୁନଶ୍ଚ ଏକବର୍ଷ ମଧ୍ୟରେ ଶ୍ରୀମତୀ ମୁର୍ମୁ ରାଷ୍ଟ୍ରପତି ଭବନରେ ଏକାଧିକ ନାଗରିକ କେନ୍ଦ୍ରିତ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିବା ତାଙ୍କ ସଚିବ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking