33.1 C
Bhubaneswar
Friday, May 17, 2024
Homeବ୍ରେକୀଙ୍ଗ୧୪ ଡ଼ିସେମ୍ବର ରାଜ୍ୟବ୍ୟାପୀ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଗଣଧାରଣା ପାଇଁ ପ୍ରସ୍ତୁତି

୧୪ ଡ଼ିସେମ୍ବର ରାଜ୍ୟବ୍ୟାପୀ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଗଣଧାରଣା ପାଇଁ ପ୍ରସ୍ତୁତି

ଭୁବନେଶ୍ୱର, ୧୨.୧୨: ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ଆହୂତ ଏବଂ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତିର ଆବାହକତ୍ୱରେ ଓଡ଼ିଶାର ବିଭିନ୍ନ ଟୋଲପ୍ଲାଜା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜି ପୁରୀ- ଭୁବନେଶ୍ୱର ଜାତୀୟ ରାଜପଥ ପିପିଲି ଟୋଲପ୍ଲାଜା, କୋଲକତା-ଚେନ୍ନାଇ ଜାତୀୟ ରାଜପଥ ବାଲେଶ୍ୱର ଜିଲ୍ଲା ଲକ୍ଷ୍ମଣନାଥ ଟୋଲପ୍ଲାଜା, ଯାଜପୁର ଜିଲ୍ଲା ପାଣିକୋଇଲି ଟୋଲ୍‌ପ୍ଲାଜା, କଟକ ଜିଲ୍ଲା ନିର୍ଗୁଣ୍ଡି ଟୋଲପ୍ଲାଜା ଏବଂ ଗଞ୍ଜାମ ଜିଲ୍ଲା କେଶପୁର ଟୋଲପ୍ଲାଜାଠାରେ ଚାରିଘଣ୍ଟା ବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯାଇ ମୋଟରଯାନଠାରୁ ଟୋଲ ଟିକସ ଆଦାୟ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି ବୋଲି ସୂଚନା ମିଳିଛି । ଏଥିପାଇଁ ରାଜ୍ୟବାସୀଙ୍କୁ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ଅଭିନନ୍ଦନ ଜଣାଇଛି । ଏକ ପ୍ରେସ୍ ବିବୃତ୍ତିରେ କୃଷକ ସଂଘର୍ଷ ସମନ୍ୱୟ ସମିତି ତରଫରୁ କୁହାଯାଇଛି ଯେ, ସାରା ଦେଶରେ ଆଜି ଅଦ୍ଭୁତପୂର୍ବ ଭାବରେ ଟୋଲପ୍ଲାଜା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ‘ଟୋଲ ଟିକସ ମୁକ୍ତି ଆନ୍ଦୋଳନ’କୁ ତୀବ୍ରତର କରାଯାଇଛି । ଆଗାମୀ ଦିନରେ ଏହି ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି କୁହାଯାଇଛି । କୃଷକ ସର୍ବନାଶକାରୀ-କୃଷି ଧ୍ୱଂସକାରୀ କଣ୍ଟ୍ରାକ୍ଟ ଫାର୍ମିଂ ଆଇନ୍‌, ପ୍ରାଇଭେଟ ମଣ୍ଡି ଆଇନ୍‌, କୃଷକ-ଖାଉଟି ବିରୋଧୀ ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ଆଇନ୍ ତୁରନ୍ତ ରଦ୍ଦ କରିବା ପାଇଁ କୃଷକ ସଂଗଠନମାନେ ନିଜର ଦାବି ଏବଂ ଆନ୍ଦୋଳନକୁ ସାରା ଦେଶରେ ତୀବ୍ରତର କରିଛନ୍ତି । କୃଷକ ଏବଂ ଜନବିରୋଧୀ ବିଦ୍ୟୁତ୍ ବିଲ୍‌-୨୦୨୦କୁ ମୋଦି ସରକାର ଅବିଳମ୍ବେ ପ୍ରତ୍ୟାହାର କରିବା ପାଇଁ ମଧ୍ୟ ଦାବି ଜୋର୍ ଧରିଛି । ଡ଼ିସେମ୍ବର ମାସର ହାଡ଼ଭଙ୍ଗା ଶୀତରେ ଲକ୍ଷ ଲକ୍ଷ କୃଷକ ଦିଲ୍ଲୀ ଚତୁଃପାଶ୍ୱର୍ରେ ଶାନ୍ତିପୂର୍ଣ୍ଣ ଗଣତାନ୍ତ୍ରିକ ଆନ୍ଦୋଳନ କରିବା ସହିତ ଦେଶବ୍ୟାପୀ ଏହି ଆନ୍ଦୋଳନ ବଳବତ୍ତର ରହିଛି । ଏକ ନିର୍ବାଚିତ ସରକାରଙ୍କର ସାମ୍ବିଧାନିକ ଦାୟିତ୍ୱ ହେଉଛି ଆଲୋଚନା ମାଧ୍ୟମରେ କୃଷକମାନଙ୍କର ସମସ୍ୟାକୁ ସମାଧାନ କରିବା ଏବଂ କୃଷକ ବିରୋଧୀ ଆଇନ୍‌କୁ ପ୍ରତ୍ୟାହାର କରିବା ପାଇଁ ପଦକ୍ଷେପ ଗ୍ରହଣ କରିବା । ମାତ୍ର କେନ୍ଦ୍ର ସରକାରଙ୍କ ମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ କୃଷକ ଆନ୍ଦୋଳନକୁ ବିଦେଶୀ ଶକ୍ତି ଏବଂ ଦେଶଦ୍ରୋହୀ ମାନଙ୍କର ହାତ ରହିଛି ବୋଲି ଯେଉଁ ଅଭିଯୋଗ ଆଣିଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ ଏବଂ କୃଷକ ସଂଘର୍ଷ ସମନ୍ୱୟ ସମିତି ଦୃଢ ପ୍ରତିବାଦ ଜଣାଇଛି । ଶ୍ରୀଯୁକ୍ତ ଷଡ଼ଙ୍ଗୀ କୃଷକମାନଙ୍କ ଆନ୍ଦୋଳନ ସମ୍ପର୍କରେ ଯେଉଁ ମନ୍ତବ୍ୟ ପ୍ରଦାନ କରିଛନ୍ତି ତାହା ଦେଶବାସୀଙ୍କ ବିରୋଧରେ ଏବଂ କୃଷକମାନଙ୍କ ବିରୋଧରେ ଯାଉଛି । ସେଥିରୁ ବିଜେପି ନେତାମାନେ କ୍ଷାନ୍ତ ରହିବା ପାଇଁ ଚେତାବନୀ ଦିଆଯାଇଛି । ଆସନ୍ତା ୧୪ ଡ଼ିସେମ୍ବରରେ ଦେଶତମାମ ସମସ୍ତ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ କୃଷକମାନଙ୍କର ଗଣଧାରଣା କାର୍ଯ୍ୟକ୍ରମ ସଂଗଠିତ କରାଯିବ । ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ଏହି ଧାରଣା କାର୍ଯ୍ୟକ୍ରମ ପୂର୍ବାହ୍ନ ୧୧ ଘଟିକାରୁ ଆରମ୍ଭ ହୋଇ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ଜାରି ରହିବ । ରାଜ୍ୟବାସୀ ଏବଂ ରାଜ୍ୟର ଗଣମାଧ୍ୟମ କୃଷକମାନଙ୍କର ଏହି ଗମ୍ଭିର ପ୍ରସଙ୍ଗକୁ ସମର୍ଥନ ଜଣାଇବା ପାଇଁ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ନିବେଦନ କରିଛି । ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ଓଡ଼ିଶା ତରଫରୁ ସର୍ବଶ୍ରୀ ସୁରେଶ ପାଣିଗ୍ରାହୀ, ଜ୍ୟୋତିରଞ୍ଜନ ମହାପାତ୍ର, କ୍ଷୀରୋଦ କୁମାର ସିଂହଦେଓ, ଭାଲଚନ୍ଦ୍ର ଷଡ଼ଙ୍ଗୀ, ଅଶୋକ ପ୍ରଧାନ, ପ୍ରଫୁଲ୍ଲ ସାମନ୍ତରାୟ, ଶଙ୍କର ସାହୁ, ଲିଙ୍ଗରାଜ, ଶ୍ରୀକାନ୍ତ ମହାନ୍ତି, ରଘୁନାଥ ଦାସ, ନରେନ୍ଦ୍ର ମହାନ୍ତି, ସଚିନ ମହାପାତ୍ର, ସୀମାଞ୍ଚଳ ନାହାକ, ବିଜୟ ସ୍ୱାଇଁ, ବଳଭଦ୍ର ମାଝୀ, ବିରଞ୍ôଚ ବରିହା ପ୍ରମୁଖ ଆବାହକ ମଣ୍ଡଳୀ ଏକ ପ୍ରେସ୍ ବିବୃତ୍ତିରେ ୧୪ ଡ଼ିସେମ୍ବର ଆନ୍ଦୋଳନକୁ ଓଡ଼ିଶାରେ ସଫଳ କରିବା ପାଇଁ ନିବେଦନ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking