28.3 C
Bhubaneswar
Sunday, May 18, 2025
Homeଓଡିଶା୨୦୨୩ ପାଇଁ ଭୋଟର୍ ତାଲିକା ପ୍ରସ୍ତୁତି: ନୂତନ ଭୋଟରଙ୍କୁ ବିଶେଷ ଧ୍ୟାନ ଦେବାକୁ ସିଇଓଙ୍କ ନିର୍ଦ୍ଦେଶ

୨୦୨୩ ପାଇଁ ଭୋଟର୍ ତାଲିକା ପ୍ରସ୍ତୁତି: ନୂତନ ଭୋଟରଙ୍କୁ ବିଶେଷ ଧ୍ୟାନ ଦେବାକୁ ସିଇଓଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ନୂତନ ଓ ତ୍ରୁଟିଶୂନ୍ୟ ଭୋଟର୍ ତାଲିକା ପ୍ରସ୍ତୁତି ନିମନ୍ତେ ଭାରତୀୟ ନିର୍ବାଚନ କମିଶନ ଫୋକସ୍ ଦେଇଛନ୍ତି । ତେଣୁ ଭୋଟର୍ ତାଲିକାରେ ନାମ ପଞ୍ଜୀକରଣ ନିମନ୍ତେ ନୂଆ ଭୋଟର ବିଶେଷକରି ଯୁବ ଭୋଟରମାନେ ଗୁଗୁଲ୍ ପ୍ଲେ ଷ୍ଟୋରରୁ ‘ଭୋଟର୍ ହେଲ୍ପ ଲାଇନ୍ ଆପ୍‌’ ଡାଉନ୍‌ଲୋଡ୍ କରି ନିଜେ ଘରେ ଆବେଦନ କରିପାରିବେ । ନଚେତ୍ ନିକଟସ୍ଥ ବୁଥ୍‌ସ୍ତରୀୟ ଅଧିକାରୀଙ୍କ ଜରିଆରେ ‘ଗରୁଡ଼ ଆପ୍‌’ ମାଧ୍ୟମରେ ମଧ୍ୟ ପଞ୍ଜୀକରଣ କାର୍ଯ୍ୟ କରାଇପାରିବେ । ଏହି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିିଇଓ) ସୁଶୀଲ କୁମାର ଲୋହାନୀ ।  ଶନିବାର ରାଜ୍ୟର ସମସ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଓ ରିଟର୍ଣ୍ଣିଂ ଅଧିକାରୀ ତଥା ଉପଜିଲ୍ଲାପାଳଙ୍କ ସହ ଭିଡ଼ିଓ କନ୍‌ଫେରେନ୍‌ସିଙ୍ଗ ମାଧ୍ୟମରେ ଶ୍ରୀ ଲୋହାନୀ ଏକ ସମୀକ୍ଷା ବୈଠକ କରିଥିଲେ ।

ସେ କହିଛନ୍ତି ଯେ, ୨୦୨୩ ପାଇଁ ଭୋଟର୍ ତାଲିକା ପ୍ରସ୍ତୁତି ନିମନ୍ତେ ନିର୍ବାଚନ ଆୟୋଗଙ୍କ ଦ୍ୱାରା ସାରାଦେଶରେ ନଭେମ୍ବର ୯ରେ ପ୍ରଚାରପ୍ରସାର ମାଧ୍ୟମରେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯିବ । ଏହା ଡିସେମ୍ବର ୮ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ନିର୍ବାଚନ ଆୟୋଗ ୩ଟି ବିଷୟ ଉପରେ ବିଶେଷ ଗୁରୁତ୍ୱାରୋପ କରିଛନ୍ତି । ତାହା ହେଲା ନଭେମ୍ବର ୯ଠାରୁ ଡିସେମ୍ବର ୮ ତାରିଖ ପର୍ଯ୍ୟନ୍ତ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଭୋଟରଙ୍କୁ ବିଶେଷ କରି ନୂତନ ଭୋଟରଙ୍କୁ ଭୋଟର ତାଲିକାରେ ନାମ ପଞ୍ଜୀକରଣ ନିମନ୍ତେ ଅବଗତ କରାଇବା, ୧୭ ବର୍ଷରୁ ଊର୍ଦ୍ଧ୍ୱ ଭୋଟରମାନଙ୍କୁ ଆଗତୁରା ଆବେଦନ ପତ୍ର ଦାଖଲର ସବୁପ୍ରକାରର ସୁବିଧା କରାଇବା ଓ ବର୍ଷରେ ଗୋଟିଏ ଯୋଗ୍ୟତାସୂଚକ ତାରିଖ ବଦଳରେ ଗୋଟିଏ ବର୍ଷରେ ୪ଟି ଯୋଗ୍ୟତାସୂଚକ ତାରିଖ ଯଥା: ଜାନୁଆରୀ ୧ ତାରିଖ, ଅପ୍ରେଲ ୧ ତାରିଖ, ଜୁଲାଇ ୧ ତାରିଖ ଓ ଅକ୍ଟୋବର ୧ ତାରିଖର ସୁବିଧା ଯୋଗାଇଦେବା ।

ନୂତନ ଭୋଟରଙ୍କୁ ଅନ୍‌ଲାଇନ୍ ମାଧ୍ୟମରେ ପଞ୍ଜୀକରଣ ନିମନ୍ତେ ଆକୃଷ୍ଟ କରିବା ପାଇଁ ବିଶେଷ ଧ୍ୟାନ ଦେବାକୁ ପଞ୍ଜୀକରଣ ଅଧିକାରୀମାନଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି ।  ଶ୍ରୀ ଲୋହାନୀ କହିଛନ୍ତି ଯେ, ଓଡ଼ିଶା ଅନ୍‌ଲାଇନ୍ ମାଧ୍ୟମରେ ଭୋଟର୍ ତାଲିକାରେ ନାମ ପଞ୍ଜୀକରଣ କ୍ଷେତ୍ରରେ ସର୍ବଭାରତୀୟ ସ୍ତରରେ ଉଲ୍ଲେଖନୀୟ ସ୍ଥାନରେ ରହିଛି । ଅନ୍‌ଲାଇନ୍ ମାଧ୍ୟମରେ ପଞ୍ଜୀକରଣ କରିବା ବହୁତ ସହଜ ଓ ସରଳ । ଭୋଟର ତାଲିକାରେ କୌଣସି ତ୍ରୁଟି ଥିଲେ ଜନସାଧାରଣମାନେ ମଧ୍ୟ ନିର୍ଦ୍ଧାରିତ ଫର୍ମରେ ଆବେଦନ କରିପାରିବେ । ତାଲିକାରେ ନାମ ଯୋଗ ନିମନ୍ତେ ଫର୍ମ ନଂ-୬, ତାଲିକାରୁ ନାମ ବାଦ୍ କିମ୍ବା ଅଭିଯୋଗ କରିବା ପାଇଁ ଫର୍ମ ସଂ-୭ରେ ଆବେଦନ ଓ ତ୍ରୁଟି ସଂଶୋଧନ, ସ୍ଥାନାନ୍ତରଣ କିମ୍ବା ଫଟୋ ଲଗାଇବା ନିମନ୍ତେ ଫର୍ମ ନଂ-୮ରେ ଆବେଦନ କରିବାକୁ ପଡ଼ିବ । ସ୍ୱେଚ୍ଛାକୃତ ଭାବେ ଭୋଟର ତାଲିକାରେ ଆଧାରକାର୍ଡ଼ ସଂଯୋଗ ନିମନ୍ତେ ଭୋଟରମାନଙ୍କୁ ନିର୍ବାଚନ ଆୟୋଗ ଉତ୍ସାହିତ କରୁଛନ୍ତି ।

ଏହା ଫଳରେ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତ ହୋଇପାରିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସମୀକ୍ଷା ବୈଠକରେ ଅଧିକାରୀମାନଙ୍କୁ ଅବଗତ କରାଇଛନ୍ତି । ସେହିପରି ଭୋଟର୍ ତାଲିକା ରିଭିଜନ୍ ସମୟ ମଧ୍ୟରେ ୪ ଗୋଟି ‘ସ୍ୱତନ୍ତ୍ର ଅଭିଯାନ’ କାର୍ଯ୍ୟକ୍ରମ ଗ୍ରହଣ କରାଯିବ । ଏହି ସ୍ୱତନ୍ତ୍ର ଅଭିଯାନ ନଭେମ୍ବର ୧୨ ଓ ୧୩ ତାରିଖ ଓ ନଭେମ୍ବର ୨୬ ଓ ୨୭ ତାରିଖରେ ଅନୁଷ୍ଠିତ ହେବ । ଏହି ଦିନମାନଙ୍କରେ ରାଜ୍ୟର ସବୁବୁଥ୍‌ରେ ବୁଥ୍‌ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଭୋଟରମାନଙ୍କୁ ଭୋଟର ତାଲିକାରେ ନାମ ପଞ୍ଜୀକରଣ ସହ ଅନ୍ୟାନ୍ୟ ସମସ୍ତ ସୁବିଧା ଯୋଗାଇଦେବେ । ପ୍ରତ୍ୟେକ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ରୋଲ୍ ପର୍ଯ୍ୟବେକ୍ଷକ ଭାବେ ଉକ୍ତ ସ୍ୱତନ୍ତ୍ର ଅଭିଯାନ କାର୍ଯ୍ୟକ୍ରମକୁ ପରିଦର୍ଶନ କରିବେ ବୋଲି ସିଇଓ ସ୍ପଷ୍ଟ କରିିଛନ୍ତି ।  ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର, ସଂଘମିତ୍ରା ଶତପଥୀ, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ, ଆସିଷ୍ଟାଷ୍ଟ ଇଞ୍ଜିନିୟର ଇଦ୍ରିଶ ଖାନ୍‌, ରାମଚନ୍ଦ୍ର ଟୁଙ୍ଗା ଓ ଯୋଗେଶ ବାବୁ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking