ଭୁବନେଶ୍ୱର: ଏବେ କାୟା ବିସ୍ତାର କଲାଣି ପ୍ରାଣଘାତୀ ଭାଇରସ କୋରୋନା । ବର୍ତମାନ ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ଭାରତରେ ୨୮ରେ ପହଂଚିଥିବା ସୂଚନା ମିଳିଛି । ସୋମବାର ଏହି ଭାଇରସରେ ୨ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଉତରପ୍ରଦେଶର ୬ ଜଣ କୋରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ଭାରତ ଭ୍ରମଣରେ ଆସିଥିବା ୧୬ ଜଣ ଇଟାଲି ପର୍ଯ୍ୟଟକ ମଧ୍ୟ କରୋନା ଆକ୍ରାନ୍ତ ବୋଲି ସୂଚନା ରହିଛି । ମାରାତ୍ମକ କରୋନା ଭାଇରସ୍ ଏବେ ବିଶ୍ୱର ୬୬ଟି ଦେଶରେ ବ୍ୟାପିଛି । ଏଥିରେ ତିନି ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୮୮ ହଜାରରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନାକୁ ଜରୁରୀକାଳୀନ ପରିସ୍ଥିତ ଘୋଷଣା କରିଥିବା ବେଳେ ଏହା କବଳରୁ ରକ୍ଷା ପାଇଁ ଆଡ଼ଭାଇଜରି ଜାରି କରିଛନ୍ତି ଏସଆରସି । କରୋନାଭାଇରସ୍ ସଂକ୍ରମଣ ରୋକିବାକୁ ଆଜି ଓଡ଼ିଶା ସରକାର କର୍ମକ୍ଷେତ୍ର ପାଇଁ ପରାମର୍ଶ ଜାରି କରିଛନ୍ତି । ସେଥିପାଇଁ ସମସ୍ତେ ଏଥିରୁ କିପରି ରକ୍ଷା ପାଇପାରିବେ ସେ ନେଇ ଉଚ୍ଚସ୍ତରୀୟ ବୈଠକ ବସିବା ସହ ଏହାର ଉଚ୍ଚସ୍ତରୀୟ ସମୀକ୍ଷା କରାଯାଇ ଆଡଭାଇଜାରି ଜାରି କରାଯାଇଛି ।
ତେବେ ରାଜ୍ୟ ସରକାର ଜାରି କରିଥିବା ଆଡଭାଇଜରି ଅନୁସାରେ:-
– ଆପଣ କାମ କରୁଥିବା ସ୍ଥାନ ପରିଷ୍କାର ପରିଚ୍ଛନ୍ନ ରହିବା ଉଚିତ୍ । ଡେସ୍କ, ଟେବୁଲ, କି ବୋର୍ଡ ଆଦି ସ୍ଥାନକୁ ଭଲଭାବେ ପୋଛିବା ଉଚିତ ।
– ଏହାସହ ଖାଇବା ପୂର୍ବରୁ ହାତକୁ ଭଲଭାବେ ସାନିଟାଇଜରରେ ସଫା କରନ୍ତୁ । ଏବଂ ଦିନରେ ଅନେକ ଥର ହାତ ସଫା କରନ୍ତୁ । ବେସିନ ପାଖରେ ସାବୁନ ସହ ହ୍ୟାଣ୍ଡ ସାନିଟାଇଜର ରଖନ୍ତୁ । କିପରି ହାତ ଧୁଆଯିବ ସେ ନେଇ, ଏକ ପୋଷ୍ଟର ଲଗାନ୍ତୁ ।
– ସଭାସମିତି, ସାମୂହିକ କାର୍ଯ୍ୟକ୍ରମ ଠାରୁ ଦୂରେଇ ରହିବା ସହ କାହାକୁ ଆଲିଙ୍ଗନ କି କରମର୍ଦ୍ଦନ କରନ୍ତୁ ନାହିଁ ।
– ଅଫିସ କିମ୍ବା ବାହାରେ ଯିବା ଆସିବା ସମୟରେ ମୁହଁରେ ମାସ୍କ ବ୍ୟବହାର କରିବା ସହ ଟିସୁ ପେପର ବ୍ୟବହାର କରନ୍ତୁ ଏବଂ ବନ୍ଦ ଥିବା ଡଷ୍ଟବିନ୍ ବ୍ୟବହାର କରନ୍ତୁ ।
– ଥଣ୍ଡା, କାଶ ଲାଗି ରହୁଥିବା ବ୍ୟକ୍ତିଙ୍କ ଠାରୁ ଦୂରେଇ ରହିବା ସହ ଅଫିସରେ କର୍ମଚାରୀଙ୍କ ଠାରୁ ୧ ମିଟର ପର୍ଯନ୍ତ ଦୂରତା ଅବଲମ୍ବନ କରନ୍ତୁ ।
– ମଲ୍, ବଜାର, ଗହଳି ସ୍ଥାନ ଆଦିକୁ ବେଶି ଯିବା ଆସିବା କରନ୍ତୁ ନାହିଁ ।