ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ଗାଜିଆବାଦରେ ପୁଲିସ ଚୌକି ଭିତରେ ଭୟଙ୍କର ବିସ୍ଫୋରଣ । ଇନ୍ଦିରାପୁରମ ଥାନା ଅଧୀନ ବସୁନ୍ଧରା ପୁଲିସ ଚୌକିରେ ଶୁକ୍ରବାର ରାତିରେ ଏହି ବିସ୍ଫୋରଣ ଘଟିଛି। ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ, ଚୌକିର ଝରକା କାଚ ଭାଙ୍ଗିଯିବା ସହ ଏୟାର କଣ୍ଡିସନର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଏହି ଘଟଣାରେ ଖାଦ୍ୟ ଡେଲିଭରି କରିବାକୁ ଆସିଥିବା ୨୦ ବର୍ଷୀୟ ଯୁବକ ବିଶାଲ ଆହତ ହୋଇଛନ୍ତି । ଘଟଣା ସମୟରେ ଚୌକିରେ ଜଣେ ସବ୍-ଇନ୍ସପେକ୍ଟର ମଧ୍ୟ ଉପସ୍ଥିତ ଥିଲେ ।
ସୂଚନା ଅନୁସାରେ, ଶୁକ୍ରବାର ରାତି ପ୍ରାୟ ୯ରୁ ୧୦ଟା ମଧ୍ୟରେ ହଠାତ୍ ଚୌକି ଭିତରେ ଜୋରଦାର ବିସ୍ଫୋରଣ ହୋଇଥିଲା । ଏହାର ଶବ୍ଦ ଆଖପାଖ ଅଞ୍ଚଳରେ ଶୁଣିବାକୁ ମିଳିଥିଲା। ବିସ୍ଫୋରଣ ଯୋଗୁଁ ଚୌକିର ଝରକା କାଚ ଭାଙ୍ଗି ଚାରିଆଡ଼େ ବିଛାଡ଼ି ହୋଇପଡ଼ିଥିଲା। ସେହି କାଚ ଖଣ୍ଡ ବାଜି ଡେଲିଭରି ବୟ ବିଶାଲ ଆହତ ହୋଇଥିଲେ। ସେ ଗାଜିଆବାଦର ଅର୍ଥଲା ଅଞ୍ଚଳର ବାସିନ୍ଦା। ତାଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀର ସୂର୍ଯ୍ୟନଗରସ୍ଥିତ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଛି ।ଘଟଣା ପରେ ଅତିରିକ୍ତ ପୁଲିସ କମିସନର ରାଜକରଣ ନାୟାର ଏବଂ ଇନ୍ଦିରାପୁରମ ଏସିପି ସୂର୍ଯ୍ୟବଳୀ ମୌର୍ଯ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ଘଟଣାର ଗମ୍ଭୀରତାକୁ ଦେଖି ଫୋରେନସିକ୍ ଟିମ୍ ଓ ବୋମା ନିଷ୍କ୍ରିୟକାରୀ ଦଳକୁ ମଧ୍ୟ ଡକାଯାଇଥିଲା । ତଦନ୍ତକାରୀ ଦଳ ଘଟଣାସ୍ଥଳରୁ ନମୁନା ସଂଗ୍ରହ କରିଛନ୍ତି। ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍ ମଧ୍ୟ ଯାଞ୍ଚ କରାଯାଉଛି।ତେବେ ବିସ୍ଫୋରଣର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ। ଏସିରେ ବିସ୍ଫୋରଣ ହୋଇଥିବା ନେଇ କିଛି ରିପୋର୍ଟରେ ଆଶଙ୍କା ପ୍ରକାଶ ପାଇଥିବା ବେଳେ ପୁଲିସ ଏହାକୁ ଏଯାଏଁ ନିଶ୍ଚିତ କରିନାହିଁ । କେଉଁ ବସ୍ତୁରୁ ବିସ୍ଫୋରଣ ଘଟିଲା, ତାହା ଫୋରେନସିକ୍ ଯାଞ୍ଚ ପରେ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି ।