ମୁମ୍ବାଇ: ମହାରାଷ୍ଟ୍ରର ଗଡ଼ଚିରୌଲୀରେ ପୁଲିସର ‘ସି୬୦ କମାଣ୍ଡୋ’ମାନଙ୍କ ସହିତ ଗୁଳି ବିନିମୟ କରି ଜଣେ ଦଲମ୍ କମାଣ୍ଡର୍ଙ୍କ ସମେତ ୩ଜଣ ନକ୍ସଲ୍ ନିହତ ହୋଇଥିବା କଥା ପୁଲିସ କହିଛି। ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟା ସମୟରେ ରାଜାରାମ ଓ ପେରିମିଲୀ ସଶସ୍ତ୍ର ଆଉଟ୍ପୋଷ୍ଟ୍ ମଧ୍ୟସ୍ଥ କେଦମାରା ଜଙ୍ଗଲରେ ଗୁଳିବିନିମୟ ଘଟିଥିଲା। ଗଡ଼ଚିରୌଲୀ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ନୀଳୋତ୍ପଳ କହିଛନ୍ତି ଯେ, ନକ୍ସଲ୍ବାଦୀମାନେ ଜଙ୍ଗଲରେ ଡେରା ପକାଇଥିବା କଥା ପୁଲିସକୁ ସୂଚନା ମିଳିଥିଲା।
ତେଣୁ, ଜଙ୍ଗଲରେ ତଲାସ କରିବା ଲାଗି ଗଡ଼ଚିରୌଲୀ ପୁଲିସ ‘ସି୬୦’ର ଦୁଇଟି ଟିମ୍ ପଠାଇଥିଲା। ଜଙ୍ଗଲରେ ତଲାସ ଅଭିଯାନ ଚାଲିଥିବା ବେଳେ ନକ୍ସଲବାଦୀମାନେ ‘ସି୬୦’ ଟିମ୍ ଉପରକୁ ଗୁଳି ଚଳାଇଲେ। ଆତ୍ମରକ୍ଷା କରିବାକୁ ‘ସି୬୦’ ଟିମ୍ ମଧ୍ୟ ପାଲଟା ଗୁଳି ଚଳାଇଲେ। ଫଳରେ ୩ଜଣ ନକ୍ସଲ୍ବାଦୀଙ୍କର ମୃତ୍ୟୁ ଘଟିଲା। ଅସ୍ତ୍ରଶସ୍ତ୍ର ଏବଂ ଅନ୍ୟାନ୍ୟ ସାମଗ୍ରୀ ସହିତ ସେମାନଙ୍କର ଶବ ଉଦ୍ଧାର କରାଯାଇଛି। ନିହତ ନକ୍ସଲ୍ବାଦୀମାନେ ହେଉଛନ୍ତି ପେରିମିଲୀ ଦଲମ୍ର କମାଣ୍ଡର୍ ବିଟ୍ଲୁ ମଦାବୀ, ପେରିମିଲୀ ଦଲମ୍ର ବାସୁ ଏବଂ ଆହେରି ଦଲମ୍ର ଶ୍ରୀକାନ୍ତ। ମାର୍ଚ ୯ ତାରିଖରେ ହୋଇଥିବା ଜଣେ ଛାତ୍ର ହତ୍ୟା ଘଟଣାରେ ବିଟ୍ଲୁ ମଦାବୀ ହେଉଛନ୍ତି ମୁଖ୍ୟ ଅଭିଯୁକ୍ତା। ନିହତ ନକ୍ସଲ୍ମାନଙ୍କ ନାଁ’ରେ ୩୮ ଲକ୍ଷ ଟଙ୍କାର ଅର୍ଥରାଶି ପୁରସ୍କାର ଘୋଷଣା କରାଯାଇଥିଲା। ଏନ୍କାଉଣ୍ଟର୍ ପରେ ବି ଜଙ୍ଗଲରେ ତଲାସ ଅଭିଯାନ ଚାଲିଛି।