ପୁରୀ : ବାହୁଡ଼ା ଯାତ୍ରା ପାଇଁ ମାଉସୀ ମା’ ପ୍ରସ୍ତୁତ କରୁଛନ୍ତି ପୋଡ଼ ପିଠା । ଶ୍ରୀଜିଉଙ୍କ ନିକଟରେ ଲାଗି ହେବ ଏହି ପୋଡ଼ପିଠା । ଶ୍ରୀମନ୍ଦିର ଫେରିବା ସମୟରେ ମହାପ୍ରଭୁଙ୍କ ନିକଟରେ ଏହି ପୋଡ଼ପିଠା ତିନୋଟି କୁଡ଼ୁଆରେ ରଖି ଅର୍ପଣ କରାଯାଇଥାଏ ।
ଗତକାଲି ଠାରୁ ଆରମ୍ଭ ହୋଇଛି ପୋଡ଼ପିଠାର ପ୍ରସ୍ତୁତି କାର୍ଯ୍ୟକ୍ରମ । ବିଭିନ୍ନ ପ୍ରକାରର ସୁବାସିତ ଦ୍ରବ୍ୟକୁ ମିଶାଇ ଏହି ପୋଡ଼ ପିଠା ପ୍ରସ୍ତୁତ କରାଯାଇଥାଏ । ଅଟା, ଚିନି, ଛେନା, ଲବଙ୍ଗ, ପିସ୍ତା ବାଦାମ, କିସମିସ ଏବଂ ଘିଅରେ ପ୍ରସ୍ତୁତ ହୁଏ ଏହି ପୋଡ଼ପିଠା । ଚୁଲୀରେ ବସାଯାଇ ବାମ୍ଫରେ ପୋଡ଼ପିଠାକୁ ରାତିସାରା ସିଝିବାକୁ ଛାଡି ଦିଆଯାଏ । ସିଝିବା ପରେ ଏହାକୁ ବାହାରେ ଥଣ୍ଡା କରାଯାଇ ଖଣ୍ଡ ଖଣ୍ଡ କରି କାଟି ଦେଶୀ ଘିଅରେ ଛଣା ଯାଇଥାଏ ।
ସେହିପରି ପୋଡ଼ପିଠାର ନାମ ପୋଡ଼ରୁ ଆରମ୍ଭ ହୋଇଥିଲେ ମଧ୍ୟ ଏହାକୁ ପୋଡା଼ ଯାଇ ନ ଥାଏ । ବରଂ ଏହାକୁ ଘିଅରେ ଛଣା ଯାଇଥାଏ । ବାଷ୍ପରେ ସିଝାଯାଇ ପୋଡ଼ପିଠା ପ୍ରସ୍ତୁତ କରାଯାଏ । ହେରାପଞ୍ଚମୀରେ ପ୍ରସ୍ତୁତ ହୋଇଥିବା ପାଖାପାଖି ୮ ଘଣ୍ଟା ଧରି ଚୁଲୀରେ ପୋଡ଼ପିଠାକୁ ବସାଇ ସିଝିବାକୁ ଦିଆଯାଇଥାଏ । ପରେ ଏହାକୁ ଦେଶୀ ଘିଅରେ ଛାଣି ତିନି ଠାକୁରଙ୍କ ନିକଟରେ ଅର୍ପଣ କରାଯାଏ ।