ନାପିଏର: ଚଳିତ ଟି-୨୦ ସିରିଜ୍ରେ ମଙ୍ଗଳବାର ଭ୍ରମଣକାରୀ ଭାରତ ଅନ୍ତିମ ମ୍ୟାଚ୍ରେ ଘରୋଇ ନ୍ୟୁଜିଲାଣ୍ଡ୍କୁ ଭେଟିବ । ସିରିଜ୍ର ପ୍ରଥମ ମ୍ୟାଚ୍ଟି ବର୍ଷାରେ ଧୋଇଯାଇଥିଲେ ହେଁ ଦ୍ୱିତୀୟ ମ୍ୟାଚ୍ରେ ଭାରତ ବଡ଼ ବ୍ୟବଧାନରେ ବିଜୟୀ ହୋଇ ସିରିଜ୍ରେ ୧-୦ରେ ଆଗୁଆ ରହିଛି । ମଙ୍ଗଳବାର ସିରିଜ୍ର ଅନ୍ତିମ ମ୍ୟାଚ୍ ଜିତି ଭାରତ ସିରିଜ୍ ହାତେଇବା ସକାଶେ ଉଦ୍ୟମ କରିବ । ଅନ୍ୟପକ୍ଷରେ ଘରୋଇ ନ୍ୟୁଜିଲାଣ୍ଡ୍ ବିଜୟୀ ହୋଇ ସିରିଜ୍ ବରାବର କରିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଳାଇବ ।
ତେବେ ଅନ୍ତିମ ଟି-୨୦ ପୂର୍ବରୁ ଘରୋଇ ଦଳର ବ୍ୟାଟିଂ କ୍ରମ ଦୁର୍ବଳ ହୋଇପଡ଼ିଛି । କାରଣ ଗତ ମ୍ୟାଚ୍ରେ ଦୃଢ଼ ବ୍ୟାଟିଂ କରି ୬୧ ରନ୍ର ଇନିଂସ ଖେଳିଥିବା ଅଧିନାୟକ କେନ୍ ୱିଲିୟମ୍ସନ୍ ଏହି ମ୍ୟାଚ୍ରେ ଖେଳିବେ ନାହିଁ । ତାଙ୍କ ସ୍ଥାନରେ ବ୍ୟାଟ୍ସମ୍ୟାନ୍ ମାର୍କ ଚାପ୍ମାନ୍ ଚୂଡ଼ାନ୍ତ ଏକାଦଶରେ ସାମିଲ୍ ହେବେ ଓ ଭେଟେରାନ୍ ପେସର୍ ଟିମ୍ ସାଉଦି ଅଧିନାୟକ ଦାୟିତ୍ୱ ତୁଲାଇବେ । ଭ୍ରମଣକାରୀ ଦଳ ଅପରିବର୍ତ୍ତିତ ଟିମ୍ ସହ ପଡ଼ିଆକୁ ଓହ୍ଲାଉଛି କି ଦ୍ରୁତ ବୋଲର୍ ଉମରାନ୍ ମଲିକ ଓ ୱିକେଟ୍କିପର୍ ସଞ୍ଜୁ ସାମ୍ସନ୍ଙ୍କୁ ଟିମ୍ ମ୍ୟାନେଜ୍ମେଣ୍ଟ୍ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ଦେଉଛି କି ନାହିଁ, ତା’ ଉପରେ ସମସ୍ତଙ୍କ ନଜର ରହିଛି ।
ଗତ ମ୍ୟାଚ୍ରେ ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ଇନିଂସକୁ ବାଦ୍ ଦେଲେ, ଅନ୍ୟ ସମସ୍ତ ବ୍ୟାଟ୍ସମ୍ୟାନ୍ ନିରାଶ କରିଥିଲେ । ଟପ୍ ଅର୍ଡର୍ରେ ଋଷଭ ପନ୍ତ୍ଙ୍କୁ ପରୀକ୍ଷାମୂଳକ ଭାବେ ସୁଯୋଗ ଦିଆଯାଇଥିଲେ ହେଁ ସେ ଫେଲ୍ ମାରିଥିଲେ । ତେବେ ନିର୍ଣ୍ଣାୟକ ମ୍ୟାଚ୍ରେ ସେ ବିସ୍ଫୋରକ ବ୍ୟାଟିଂ କରିବେ ବୋଲି ତାଙ୍କ ପ୍ରଶଂସକମାନେ ଆଶା ବାନ୍ଧିଛନ୍ତି । ଗତ ମ୍ୟାଚ୍ରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମତାମତ ପ୍ରତି ଧ୍ୟାନ ଦେଲେ, ମଙ୍ଗଳବାର ଟି-୨୦ରେ ଦଳ ପାଖରେ ବିଶେଷ କିଛି ଗବେଷଣା କରିବାର ସୁଯୋଗ ନାହିଁ । ଦଳରେ ଏକାଧିକ ଯୁବ ଖେଳାଳି ସେମାନଙ୍କ ସୁଯୋଗକୁ ଅପେକ୍ଷା କରିଥିବା ବେଳେ ମାତ୍ର ଗୋଟିଏ ମ୍ୟାଚ୍ରେ କିଛି ବି ଗବେଷଣା କଷ୍ଟସାଧ୍ୟ ବୋଲି ହାର୍ଦ୍ଦିକ କହିଥିଲେ । ତେଣୁ ସିନିଅର୍ ଓପନରଙ୍କ ଅନୁପସ୍ଥିତିରେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବା ଆଶା ରଖିଥିବା ଓପନର ଶୁବମାନ ଗିଲ୍ଙ୍କୁ ଦିନିକିଆ ସିରିଜ୍ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ବୋଲି କହିଲେ ଭୁଲ୍ ହେବ ନାହିଁ ।
ସେହିପରି ଦ୍ୱିତୀୟ ଟି-୨୦ରେ ଜମ୍ମୁ-କଶ୍ମୀର ପେସର୍ ଉମରାନ୍ଙ୍କୁ ସାମିଲ୍ କରାନଯିବା ପ୍ରଶଂସକଙ୍କୁ ନିରାଶ କରିଥିଲା । ଗତ ଏସିଆ କପ୍ ଓ ଟି-୨୦ ବିଶ୍ୱକପ୍ରେ ବୋଲର୍ମାନେ ନିରାଶ କରିଥିବାରୁ ଚଳିତ ସିରିଜ୍ରେ ନୂଆ ବୋଲରଙ୍କୁ ପରୀକ୍ଷା କରିବା ପାଇଁ ଟିମ୍ ଇଣ୍ଡିଆ ନିକଟରେ ଭଲ ସୁଯୋଗ ରହିଛି । ବିଶେଷକରି ଜସପ୍ରୀତ୍ ବୁମରାଙ୍କ ଅନୁପସ୍ଥିତିରେ ଉମରାନଙ୍କୁ ଶୀର୍ଷ ଦଳ ବିପକ୍ଷରେ ସୁଯୋଗ ମିଳିବାର ଆବଶ୍ୟକତା ରହିଛି । ଅନ୍ୟପକ୍ଷରେ ୱିଲିୟମ୍ସନ୍ଙ୍କ ଅନୁପସ୍ଥିତିରେ ଦଳ ଓପନର ଫିନ୍ ଆଲେନ୍ ଓ ଗ୍ଲେନ୍ ଫିଲିପ୍ଙ୍କ ପରି ଯୁବ ବ୍ୟାଟ୍ସମ୍ୟାନ୍ଙ୍କ ଉପରେ ନିର୍ଭର କରିବ । ସେହିପରି ଗତ ମ୍ୟାଚ୍ରେ ଅନ୍ତିମ ଓଭର୍ଗୁଡ଼ିକରେ ଘରୋଇ ଦଳର ବୋଲରମାନେ ବେଶ୍ କିଛି ରନ୍ ବ୍ୟୟ କରିଥିବାରୁ ତୃତୀୟ ଟି-୨୦ରେ ଏହି ତ୍ରୁଟି ସୁଧାରିବା ଲକ୍ଷ୍ୟରେ ଅଛନ୍ତି ।
ଦ୍ୱିତୀୟ ମ୍ୟାଚ୍ରେ ବିସ୍ଫୋରକ ଶତକ ହାସଲ କରିଥିବା ସୂର୍ଯ୍ୟକୁମାର ଯାଦବଙ୍କୁ ରୋକିବା ଦଳର ବୋଲରଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ୍ ହେବ । କିନ୍ତୁ ତାଙ୍କୁ ରୋକିବା ସକାଶେ ଖେଳାଳିମାନଙ୍କ ମଧ୍ୟରେ ବ୍ୟାପକ ଆଲୋଚନା ହୋଇଛି ଓ ତଦନୁସାରେ ରଣନୀତି ପ୍ରସ୍ତୁତ ହୋଇଛି ବୋଲି ନ୍ୟୁଜିଲାଣ୍ଡ୍ ଦଳର ମୁଖ୍ୟ କୋଚ୍ ଗ୍ୟାରୀ ଷ୍ଟିଡ୍ କହିଛନ୍ତି ।
ସମ୍ଭାବ୍ୟ ଭାରତୀୟ ଏକାଦଶ: ଈଶାନ୍ କିଶନ୍, ଋଭେ ପନ୍ତ୍ (ୱିକେଟ୍କିପର୍), ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ୍ ଆୟର୍, ଦୀପକ ହୁଡ୍ଡା, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ୱାଶିଂଟନ୍ ସୁନ୍ଦର, ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂହ, ମହମ୍ମଦ ସିରାଜ୍ ଓ ୟୁଜବେନ୍ଦ୍ର ଚହଲ୍ ।
ସମ୍ଭାବ୍ୟ ନ୍ୟୁଜିଲାଣ୍ଡ୍ ଏକାଦଶ: ଫିନ୍ ଆଲେନ୍, ଡେଭନ୍ କୋନ୍ୱେ (ୱିକେଟ୍କିପର), ମାର୍କ ଚାପ୍ମାନ୍, ଗ୍ଲେନ୍ ଫିଲିପ୍ସ, ଡାରିଲ୍ ମିଚେଲ୍, ଜେମ୍ସ ନିଶାମ୍, ମିଚେଲ୍ ସାଣ୍ଟନର୍, ଟିମ୍ ସାଉଦି (ଅଧିନାୟକ), ଇଶ୍ ସୋଢ଼ୀ, ଆଡାମ୍ ମିଲ୍ନେ ଓ ଲକି ଫର୍ଗୁସନ୍ ।