35.1 C
Bhubaneswar
Thursday, May 30, 2024
Homeଓଡିଶାବିକାଶର ବାସ୍ତବ ଚିତ୍ର, ଟଙ୍କିକିଆ ଚାଉଳ ପାଇଁ ୫୦ କି.ମି ଯାତ୍ରା

ବିକାଶର ବାସ୍ତବ ଚିତ୍ର, ଟଙ୍କିକିଆ ଚାଉଳ ପାଇଁ ୫୦ କି.ମି ଯାତ୍ରା

ଫୁଲବାଣୀ : ଆଦିବାସୀ ବହୁଳ କନ୍ଧମାଳ ଜିଲ୍ଲାକୁ ଏଯାଏଁ ବିକାଶ ଛୁଇଁନି । ଏହାର ବାସ୍ତବତା ଅନେକ ଗାଁରେ ଦେଖିବାକୁ ମିଳେ । ବିଶେଷ କରି ଗମନାଗମନ ହିଁ ଏହି ବିକାଶରେ ପ୍ରତିବନ୍ଧକ ସାଜିଛି । କନ୍ଧମାଳ ଜିଲ୍ଲାର ଉପାନ୍ତ କୋଟଗଡ଼ ବ୍ଲକ ଦୁର୍ଗାପଙ୍ଗା ପଞ୍ଚାୟତ ୯ ଗାଁର ବାସ୍ତବ ଚିତ୍ର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ଗାଁର ଲୋକମାନେ ରାସ୍ତା, ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ ଭଳି ଅନେକ ସମସ୍ୟାରେ ଜର୍ଜରିତ ଥିବାବେଳେ ଟଙ୍କିକିଆ ଚାଉଳ ପାଇଁ ପ୍ରାୟ ୫୦ କି.ମି ଯିବାକୁ ପଡୁଛି । ଘରେ ପହଁଞ୍ଚୀବାକୁ ପ୍ରାୟ ୩ ଦିନ ସମୟ ଲାଗୁଥିବା ସେମାନେ କହିଛନ୍ତି ।
ଏହି ପଞ୍ଚାୟତରେ ୧୩ଟି ୱାର୍ଡ଼ ରହିଛି । ୨ଟି ୱାର୍ଡ଼ର ଅଧିବାସୀ ଡିିମିଲି ନଦୀ ଆରପଟେ ରହୁଛନ୍ତି । ଏହି ୨ ୱାର୍ଡରେ ରହିଛି ଡିମିଲି, ବୁଣୁ, ଭାଲୁଗୁଡା, ପାହିରମାଲା, ଡିଡ୍ରଙ୍ଗ, ପାଙ୍ଗ୍ରାସାଲା, କାଣିବାରୁ, ସାକାରଯୋଡି ଓ ବାଡିପାଙ୍ଗା । ଏହି ଗ୍ରାମଗୁଡ଼ିକୁ ଯିବାକୁ ହେଲେ ଡିମିଲି ନଦୀ ପାର ହୋଇ ଯିବାକୁ ପଡ଼େ । ପଞ୍ଚାୟତ କାର୍ଯ୍ୟାଳୟଠାରୁ ପ୍ରାୟ ୫ କିମି ଦୂରରେ ରହିଛି ଡିମିଲି ଗାଁ । ଆଗକୁ ଆଉ ରାସ୍ତା ନାହିଁ । ୮ ଗାଁକୁ ଗମନାଗମନ ସମ୍ପୂର୍ଣ୍ଣ ବନ୍ଦ । ଘଞ୍ଚ ଜଙ୍ଗଲ ଓ ପାହାଡ଼ିଆ ରାସ୍ତା ହିଁ ସେମାନଙ୍କ ଭରସା । ପ୍ରାୟ ୫୦ କିମି ଦୂର ଚାଲି ଆସି ସେମାନେ ପଞ୍ଚାୟତରୁ ସେମାନଙ୍କ ଖାଉଟି ସାମଗ୍ରୀ ସଂଗ୍ରହ କରିଥା’ନ୍ତି । ଏଥି ସହିତ ମାସଯାକର ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ନିଅନ୍ତି । ପଞ୍ଚାୟତର ପୁଡ଼ୁରିଗ୍ରାମଠାରୁ ଦୁର୍ଗାପଙ୍ଗା ପଞ୍ଚାୟତକୁ ଚାଉଳ ନେବା ପାଇଁ ଆସିଥିବା କେତେକ ଲୋକଙ୍କୁ ଆମ ପ୍ରତିନିଧି ଭେଟିଥିଲେ । ସେମାନେ ୨ ଦିନତଳେ ଗାଁରୁ ବାହାରିଥିବା କହିଥିଲେ । ରାତିରେ ରହି ସେମାନେ କାଲି ଚାଉଳ ନେଇ ଫେରିବେ । ଏହି ୯ ଗ୍ରାମର ଲୋକଙ୍କୁ ପଞ୍ଚାୟତକୁ ଆସିବା ପାଇଁ ଗୋଟିଏ ନଦୀ ଓ ଗୋଟିଏ ନାଳ ପାର ହେବାକୁ ପଡ଼େ । ପୋଲ ନଥିବାରୁ ନଦୀ ଓ ନାଳ ଭିତରେ ଦେଇ ଆସନ୍ତି । ପୂର୍ବରୁ ଡିିମିଲି ନଦୀ ଉପରେ ଯେଉଁ ପୋଲ ଥିଲା ତାହାକୁ ତିତ୍‌ଲି ଭସାଇ ନେଇଛି । ଏ ପର୍ଯ୍ୟନ୍ତ ପୋଲ ହୋଇପାରିନାହିଁ । ବର୍ଷ ତମାମ କଷ୍ଟ ହେଉଥିବାରୁ ଗ୍ରାମବାସୀ କେତେକ ସ୍ଥାନରେ କାଠ ପୋଲ ତିଆରି କରିଛନ୍ତି । ସମସ୍ତ ଜିନିଷ ପାଇଁ ପଞ୍ଚାୟତ ମୁଖ୍ୟାଳୟ ଓ ସ୍ୱାସ୍ଥ୍ୟ ସେବା ପାଇଁ କୋଟଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରିବାକୁ ପଡ଼େ ।  ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସହିତ ସ୍ୱାସ୍ଥ୍ୟ ସେବା ପାଇଁ ଆସିଲେ ସମସ୍ତ ଗାଁର ଲୋକେ ମିଶିକି ଆସନ୍ତି । ଏମିତିକି ଛୋଟଛୋଟ ଛୁଆଙ୍କୁ କାନ୍ଧରେ ଓ ମୁଣ୍ଡରେ ବୋହି ଆଣିଥାନ୍ତି । ଚାଲିବା ପାଇଁ ଦୁଇ ଦିନ ପଡୁଥିବାରୁ ସାଙ୍ଗରେ ରୋଷଇ ସାମଗ୍ରୀ ଧରି ଆସନ୍ତି । ବାଟରେ ରୋଷେଇ କରି ବିଶ୍ରାମ ନେଇଥାନ୍ତି । ଯଦି ଗାଁରେ କାହାର ଦେହ ଖରାପ ହୁଏ ତେବେ ଭଗବାନ ଭରସା । ନତୁବା ଖଟିଆରେ ଦୋଳା କରି ଦୁର୍ଗାପଙ୍ଗା ପହଞ୍ôଚବା ପରେ ଗାଡ଼ି ମିଳେ । ବିଜୁଳି ସାତସପନ । ସନ୍ଧ୍ୟା ହେଲେ ତାଟି କବାଟ ବନ୍ଦ । ଗୋଟିଏ ପଟେ ଦୁର୍ଗମ ଜଙ୍ଗଲ ଓ ଅନ୍ୟପଟେ ବନ୍ୟଜନ୍ତୁ ଭୟରେ ଜୀବନ ଜିଉଁଛନ୍ତି ଏମାନେ । ପାନୀୟ ଜଳ ପାଇଁ ନଦୀ, ନାଳ ଚୁଆଁ ଏମାନଙ୍କ ଭରସା । ୨ ଗାଁକୁ ଛାଡ଼ିଦେଲେ ଅନ୍ୟ ଗାଁରେ ପାଣି ସମସ୍ୟା ବର୍ଷ ତମାମ ଲାଗି ରହିଛି । ଭଲ ରାସ୍ତାଟିଏ ନଥିବାରୁ ଶିକ୍ଷକମାନେ ନିଜ ଇଚ୍ଛାରେ ସ୍କୁଲକୁ ଆସନ୍ତି ବୋଲି ଗ୍ରାମବାସୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking