କୋଲକାତା: ମମତା ବାନାର୍ଜୀ ଭୋଟଗଣତି ପୂର୍ବରୁ ଡାକିଛନ୍ତି ଟିଏମସି ପ୍ରାର୍ଥୀଙ୍କ ବୈଠକ । ବଙ୍ଗଳା ନିର୍ବାଚନ ୨୦୨୧ର ୮ମ ଏବଂ ଅନ୍ତିମ ପର୍ଯ୍ୟାୟରେ ମାଲଦା, ବୀରଭୂମ, ମୂର୍ଶିଦାବାଦ ଏବଂ ଉତ୍ତର କୋଲକାତାର ମୋଟ ୩୫ ବିଧାନସଭା ଆସନରେ ମତଦାନ ଆରମ୍ଭ ହୋଇସାରିଛି । ୮୪.୭୮ ଲକ୍ଷ ମତଦାତା ୨୮୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଏହାସହିତ କୃଚବିହାର ଜିଲ୍ଲାର ଶୀତଳକୃଚୀ ବିଧାନସଭାର ବୁଥ ନମ୍ବର ୧୨୬ରେ ପୁନଃ ମତଦାନ ବି ଆରମ୍ଭ ହୋଇଛି । ୧୧୮୬୦ ମତଦାନ କେନ୍ଦ୍ରର ସୁରକ୍ଷା ପାଇଁ ନିର୍ବାଚନ ଆୟୋଗ କେନ୍ଦ୍ରୀୟ ବଳର ୭୫୩ କମ୍ପାନୀଙ୍କୁ ନିୟୋଜିତ କରିଛନ୍ତି । ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇଛି । ଯାହା ୬.୩୦ ପର୍ଯ୍ୟନ୍ତ ଚାଲିବ ।
ବଙ୍ଗଳାରେ ପ୍ରଥମ ପର୍ଯ୍ୟାୟରେ ୮୪.୧୩ ପ୍ରତିଶତ, ୨ୟ ପର୍ଯ୍ୟାୟରେ ୮୬.୧୧, ୩ୟ ପର୍ଯ୍ୟାୟରେ ୮୪.୬୧ ପ୍ରତିଶତ, ୪ର୍ଥ ପର୍ଯ୍ୟାୟରେ ୭୯.୯୦ ପ୍ରତିଶତ, ୫୧ ପର୍ଯ୍ୟାୟରେ ୮୨.୪୯ ପ୍ରତିଶତ,୬ଷ୍ଠ ପର୍ଯ୍ୟାୟରେ ୮୨ ପ୍ରତିଶତ ଓ ୭ମ ପର୍ଯ୍ୟାୟରେ ୭୬.୯୦ ପ୍ରତିଶତ ଲୋକେ ନିଜ ମତ ଦେଇଛନ୍ତି । କରୋନା ସଂକଟ ପାଇଁ ବି ୮ମ ପର୍ଯ୍ୟାୟ ର ପ୍ରଚାର ବି ୭୨ ଘଣ୍ଟା ପୂର୍ବରୁ ବନ୍ଦ କରାଯାଇଛି । ଏହାମଧ୍ୟରେ ଭାଜପା ପକ୍ଷରୁ ପିଏମ ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ଭାଜପା ଅଧ୍ୟକ୍ଷ ଜେପି ନଡ୍ଡା ଭର୍ଚୁଆଲ ମିଟିଂ କରିଥିଲେ । ତୃଣମୂଳ ତରଫରୁ ମମତା ବାନାର୍ଜୀ ଓ ତାଙ୍କ ପୁତୁରା ଅଭିଷେକ ସୋସିଆଲ ମିଡିଆ ମାଧ୍ୟମରେ କ୍ୟାମ୍ପେନ କରିଥିଲେ । ମତଦାନ ସଂପନ୍ନ ହେବା ପରେ ସନ୍ଧ୍ୟା ୭.୩୦ ପରେ ଏକ୍ସିଟ ପୋଲ ଆସିବ ।