21.1 C
Bhubaneswar
Sunday, January 19, 2025
Homeଓଡିଶାରାଜ୍ୟର ୧୪ ବର୍ଷର ମୁଖ୍ୟମନ୍ତ୍ରୀଙ୍କ ସ୍ମୃତି ରକ୍ଷା କରିବାରେ ରାଜ୍ୟ ସରକାରଙ୍କ ଅବହେଳାକୁ ପ୍ରଦେଶ କଂଗ୍ରେସ...

ରାଜ୍ୟର ୧୪ ବର୍ଷର ମୁଖ୍ୟମନ୍ତ୍ରୀଙ୍କ ସ୍ମୃତି ରକ୍ଷା କରିବାରେ ରାଜ୍ୟ ସରକାରଙ୍କ ଅବହେଳାକୁ ପ୍ରଦେଶ କଂଗ୍ରେସ ସଭାପତିଙ୍କ କ୍ଷୋଭ

କଂଗ୍ରେସ ଭବନରେ ୭ମ ଶ୍ରାଦ୍ଧ ଉତ୍ସବ
ଭୁବନେଶ୍ୱର – ଓଡ଼ିଶାର ଗର୍ବ ଓ ଗୌରବ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଆସାମର ପୂର୍ବତନ ରାଜ୍ୟପାଳ ବିଶିଷ୍ଟ ସଂସ୍କୃତ ବିଦ୍ୱାନ ତଥା ବରିଷ୍ଠ ଜନନେତା ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୭ମ ଶ୍ରାଦ୍ଧ ଉତ୍ସବ ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ କଂଗ୍ରେସ ଭବନ ଠାରେ ମହା ସମାରୋହରେ ପାଳିତ ହୋଇଯାଇଛି ।
କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଦଘାଟନ କରି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ କହିଲେ ଯେ ଜାନକୀ ବାବୁଙ୍କ ୧୪ବର୍ଷ ଶାସନ କାଳରେ ଓଡ଼ିଶାର ବିକାଶର ଇତିହାସ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ । ଜାନକୀ ବାବୁଙ୍କ ଶାସନ କାଳରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଶିଳ୍ପ, ପର୍ଯ୍ୟଟନ କ୍ଷେତ୍ରରେ ଯେଉଁ ବିକାଶ ହୋଇଥିଲା ଆଜିର ଯୁବ ପିଢ଼ି ପାଖରେ ସେ ବାର୍ତା ପହଂଚାଇବାର ଆବଶ୍ୟକତା ରହିଛି । ଓଡ଼ିଆ ଯୁବକ ମାନଙ୍କୁ ପ୍ରତିଷ୍ଠିତ କରିବା ପାଇଁ ସେ ହୋଟେଲକୁ ଶିଳ୍ପର ମାନ୍ୟତା ଦେଇଥିଲେ । କୃଷିର ବିିକାଶ ପାଇଁ ଜଳସେଚନକୁ ଅଗ୍ରାଧିକାର ଦିଆଯାଇଥିଲା କିନ୍ତୁ ରାଜ୍ୟ ସରକାର ଏଭଳି ଜଣେ ଦୂରଦୃଷ୍ଟି ସଂପନ୍ନ ଜନ ନେତାଙ୍କ ସ୍ମୃତି ରକ୍ଷା କ୍ଷେତ୍ରରେ ଚରମ ଅବହେଳା ପ୍ରଦର୍ଶନ କରିଛନ୍ତି, ଯାହା ଅତ୍ୟନ୍ତ କ୍ଷୋଭର ବିଷୟ ।
ସ୍ମୃତି ଚାରଣ କରି ବରିଷ୍ଠ କଂଗ୍ରେସ ନେତା ଅନନ୍ତ ପ୍ରସାଦ ସେଠୀ, ଶିବାନନ୍ଦ ରାୟ କହିଲେ ଯେ କୃଷକ ମାନଙ୍କ ପାଇଁ ୧୧ଟି ଚିନିକଳ, ୪୬ଟି ଶୀତଳ ଭଣ୍ଡାର ଓ ୯ଟି ସ୍ପିନିଙ୍ଗ ମିଲ ପ୍ରତିଷ୍ଠା ଜାନକୀ ବାବୁଙ୍କ ଶାସନ କାଳରେ କରାଯାଇଥିଲା । ତାହା ଏ ସରକାର ସମୟରେ ଇତିହାସ ହୋଇଯାଇଛି । କଂଗ୍ରେସ ସେବାଦଳର ରାଜ୍ୟ ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ସ୍ୱାଗତ ଭାଷଣରେ କହିଲେ କଂଗ୍ରେସ ଭବନ ସମ୍ମୁଖରେ ସ୍ୱର୍ଗତ ଜାନକୀ ବାବୁଙ୍କର ଏକ ପ୍ରତିମୂର୍ତି ସ୍ଥାପନ ପାଇଁ ଆମେ ଦୀର୍ଘ ୭ ବର୍ଷ ହେବ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଦାବୀ କରି ଆସୁଛୁ କିନ୍ତୁ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେଲା ନାହିଁ । ଏହା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ । ଶେଷରେ ସାଧାରଣ ସଂପାଦକ ଚିନ୍ମୟ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଜନାର୍ଦ୍ଦନ ଦେହୁରୀ, ମନୋରଞ୍ଜନ ଦାଶ, ମୁଖପାତ୍ର ରଜନୀ ମହାନ୍ତି, କଂଗ୍ରେସ ନେତା ପ୍ରକାଶ ମିଶ୍ର, ସତ୍ୟସ୍ମିତ ମହାନ୍ତି, ଆଲୋକ ମହାନ୍ତି, ମିହିର ଆଚାର୍ଯ୍ୟ, ସୁଭାଷ ପ୍ରଧାନ, ଭାସ୍କର ସେଠୀ, ମନୋରଞ୍ଜନ କୁଣ୍ଡୁ, କୁଳମଣି ସାହୁ, ମହମ୍ମଦ ସହାଦୁଲ୍ଲା, ସତ୍ୟବ୍ରତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking