କଟକ: କେନ୍ଦ୍ରାପଡ଼ା ପୂର୍ବତନ ଅତିରିକ୍ତ ଜିଲାପାଳ ତଥା ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟ ପରିଚାଳନା କମିଟିରର ପୂର୍ବତନ ସଭାପତିଙ୍କ ଜାଲ ଦସ୍ତଖତ କରି ମହାବିଦ୍ୟାଳୟରେ ୪୮ ଜଣକୁ ନିଯୁକ୍ତି ଘଟଣାରେ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଆଜି ଜବାବ ତଲବ କରିଛନ୍ତି । ପଟ୍ଟାମୁଣ୍ଡାଇ ଥାନାରେ ଏତଲା ଦିଆଯାଇଥିଲେ ବି କାହିଁକି ଏତଲା ଉପରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ ତା’ର ଉତ୍ତର ତିନି ସପ୍ତାହ ମଧ୍ୟରେ ଦେବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ।
ବିଚାରପତି ଚିତ୍ତ ରଞ୍ଜନ ଦାଶ ମାମଲାର ଶୁଣାଣି କରି ମାମଲାର ତଦନ୍ତରେ କୌଣସି ଆଖିଦୃଶିଆ ଅଗ୍ରଗତି ହେଲା ନାହିଁ କିମ୍ବା ଏଯାଏ କୋର୍ଟରେ ଚାର୍ଜସିଟ୍ ଦାଖଲ କରାଗଲା ନାହିଁ ବୋଲି କହିଛନ୍ତି । ତେବେ ଏହି ମାମଲାର ତଦନ୍ତ ଅଗ୍ରଗତିରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ପରବର୍ତ୍ତି ଶୁଣାଣି ସୁଦ୍ଧା ଅଦାଲତରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପରବର୍ତ୍ତି ଶୁଣାଣି ନିମନ୍ତେ ଫେବୃୟାରି ୬ ତାରିଖକୁ ଧାର୍ଯ୍ୟ କରାଯାଇଛି ।
ମାମଲାର ବିବରଣୀ ଅନୁଯାୟୀ, ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ତଥା ସମ୍ପାଦକ ବିପିନ୍ ବିହାରି ବାରିକ ଜାଣିଶୁଣି ବେଆଇନ ଭାବେ ୪୮ ଜଣ ଶିକ୍ଷକ ଓ ଅଣଶିକ୍ଷକଙ୍କୁ ନିଯୁକ୍ତି ଦେଇଥିଲେ । ତତ୍କାଳୀନ କେନ୍ଦ୍ରାପଡ଼ା ଅତିରିକ୍ତ ଜିଲାପାଳ ତଥା ମହାବିଦ୍ୟାଳୟର ପରିଚାଳନା କମିଟି ସଭାପତି ଅଶୋକ କୁମାର ପଣ୍ଡା ଓ ଉମାକାନ୍ତ ସ୍ୱାଇଁଙ୍କ ଅଗୋଚରରେ ସେ ଭିନ୍ନ ଭିନ୍ନ ସମୟରେ ନିଯୁକ୍ତି ପାଇଁ ଉଭୟଙ୍କ ଜାଲ ଦସ୍ତଖତ କରିଥିଲେ । ଏନେଇ ପଟ୍ଟାମୁଣ୍ଡାଇ ଥାନାରେ ୨୦୨୩ ଜୁନ୍ ୨୬ ତାରିଖରେ ଏଫ୍ଆଇଆର୍ ରେଜିଷ୍ଟ୍ରେସନ ପରେ କେସ୍ ନଂ ୩୮୨/୨୦୨୩ ରୁଜୁ ହୋଇଥିଲା ।
ହେଲେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲାନାହିଁ । ପୁଲିସର ନିଷ୍କ୍ରିୟତା ବିରୋଧରେ ଆବେଦନକାରୀ କେନ୍ଦ୍ରାପଡ଼ା ବିକାଶ ପରିଷଦର ଆବାହକ ଅମ୍ବରବର ବିଶ୍ୱାଳ ଓ ଉପସଭାପତି ପ୍ରଦୀପ କୁମାର ମହାନ୍ତି ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ । ଭୁବନେଶ୍ୱର ଭିଜିଲାନ୍ସ ଏସ୍ପି ଓ କଟକ କ୍ରାଇମବ୍ରା ର ଏସ୍ପି ଏହି ମାମଲାର ତଦନ୍ତ କରିବା ସହ ଆଇନ ଅନୁଯାୟୀ ଉପଯୁକ୍ତ ପଦକ୍ଷେପ ନେବାକୁ ଆବେଦନକାରୀ ହାଇକୋର୍ଟଙ୍କୁ ପ୍ରାର୍ଥନା କରିଥିଲେ । ରାଜ୍ୟ ଗୃହ ବିଭାଗର ସଚିବ,୫ଟି ସଚିବ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ, ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ, କେନ୍ଦ୍ରାପଡ଼ା ଜିଲାପାଳ, ଭିଜିଲାନ୍ସ ନିର୍ଦ୍ଦେଶକ,ଏସ୍ପି, କ୍ରାଇମବ୍ରାଞ୍ଚ ଏସ୍ପି ଆଦି ୧୨ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି ।