ଉତ୍ତରପ୍ରଦେଶ : ମାତ୍ର ୫ ଟଙ୍କିଆ କୁରକୁରେ ପାଇଁ ଫାଟ୍ଟ, ଅଲଗା ହେଲେ ଦମ୍ପତି । କୁରକୁରେ ପାଇଁ ସ୍ତ୍ରୀ ସ୍ବାମୀକୁ ଛାଡି ଚାଲିଗଲା ବାପ ଘରକୁ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଆଗ୍ରାରେ । ସୂଚନା ଅନୁଯାୟୀ, ଆଗ୍ରାର ଶାହଗଞ୍ଜ ଅଞ୍ଚଳର ଜଣେ ମହିଳାଙ୍କ ବିବାହ ସଦର ଥାନା ଅଞ୍ଚଳରେ ରହୁଥିବା ଜଣେ ଯୁବକଙ୍କ ସହ ୨୦୨୩ରେ ହୋଇଥିଲା । ବିବାହ ପରେ ଦୁହିଁଙ୍କ ଦାମ୍ପତ୍ୟ ଜୀବନ ସୁଖ ଶାନ୍ତିରେ ଚାଲିଥିଲା । ହେଲେ ସ୍ୱାମୀ କହିଛନ୍ତି ଯେ, ସ୍ତ୍ରୀକୁ କୁରକୁରେ ଭାରି ପସନ୍ଦ । ସ୍ତ୍ରୀ ଜଣଙ୍କ ସ୍ବାମୀଙ୍କୁ ଅଫିସରୁ ଫେରିବା ସମୟରେ ତାଙ୍କ ପାଇଁ କୁରକୁରେ ଆଣିବା ପାଇଁ କହୁଥିଲେ ଆଉ ଏପଟେ ସ୍ବାମୀ ପ୍ରତିଦିନ ସ୍ତ୍ରୀଙ୍କ ପାଇଁ କୁରକୁରେ ପ୍ୟାକେଟ୍ ଆଣୁଥିଲେ । କିନ୍ତୁ ଦିନେ ସ୍ବାମୀ ଜଣଙ୍କ ସ୍ତ୍ରୀ ପାଇଁ କୁରକୁରେ ପ୍ୟାକେଟ୍ ଆଣିବା ପାଇଁ ଭୁଲି ଯାଇଥିଲେ । ଏଥିରେ ଅଭିମାନ କରି ସ୍ଵୀ ତାଙ୍କ ବାପ ଘରକୁ ଚାଲିଯାଇଥିଲେ । ତେବେ ଗତ ଦେଢ଼ ମାସରୁ ସେ ତାଙ୍କ ବାପ ଘରେ ଥିବା ଜଣାପଡ଼ିଛି । ନିକଟରେ ଏହି ମାମଲାକୁ ଆଧାର କରି ସ୍ତ୍ରୀ ଜଣଙ୍କ ସ୍ବାମୀଙ୍କ ନାଁରେ ଥାନାରେ ଅଭିଯୋଗ କରିଥିଲେ । ପରେ ପୋଲିସ ଏହି ମାମଲା ଫ୍ୟାମିଲି କାଉନସେଲିଂ କୋର୍ଟକୁ ସ୍ଥାନାନ୍ତରିତ କରିଥିଲେ । ପରିବାର ପରାମର୍ଶ କେନ୍ଦ୍ରରରେ କାଉନସେଲିଂ ସମୟରେ ସ୍ବାମୀ କହିଥିଲେ, ‘୫ ଟଙ୍କିଆ କୁରକୁରେ ପାଇଁ ସ୍ତ୍ରୀ ତାଙ୍କ ସହ ଝଗଡ଼ା କରିଥିଲେ । ତାଙ୍କୁ କୁରକୁରେ ନ ଦେବାରୁ ରାଗିଯାଇ ବାପ ଘରକୁ ଚାଲିଗଲା । ଅନ୍ୟପଟେ ସ୍ବାମୀ ତାଙ୍କ ସହ ମାରପିଟ୍ କରିଥିବାରୁ ସେ ବାପଘରକୁ ଚାଲିଯାଇଥିବା କହିଛନ୍ତି ସ୍ତ୍ରୀ ।’ ଦୁହିଙ୍କ ଭିନ୍ନ ମନ୍ତବ୍ୟକୁ ନେଇ ପରିବାର ପରାମର୍ଶର କାଉନସିଲର ଏହି ସମସ୍ୟାର ସମାଧାନ ପାଇଁ ଦୁହିଁଙ୍କୁ ପରାମର୍ଶ କେନ୍ଦ୍ରକୁ ପୁନଃ ଡକାଇଥିବା ଜଣାପଡ଼ିଛି ।