ମୁମ୍ବାଇ: ବୁଧବାର ରିଲିଜ୍ ହୋଇଥିଲା କିଙ୍ଗ ଖାନ୍ ଶାହରୁଖଙ୍କ ଅଭିନୀତ ଫିଲ୍ମ ‘ପଠାନ’। ଏହି ଫିଲ୍ମର ରିଲିଜକୁ ଦର୍ଶକ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ବୁଧବାର ଏହାର ଅନ୍ତ ଘଟିଥିଲା। ରିଲିଜ୍ ପୂର୍ବରୁ ଫିଲ୍ମଟି ଅନେକ ବଡ଼ ବଡ଼ ଫିଲ୍ମର ରେକର୍ଡ ଭାଙ୍ଗିବ ବୋଲି କୁହାଯାଉଥିବା ବେଳେ ରିଲିଜ ପରେ ତାହା ପ୍ରମାଣ ହେବାରେ ଲାଗିଛି। ଅନେକ ବର୍ଷର ବ୍ୟବଧାନ ପରେ ଶାହରୁଖ ଫେରିଥିବା ବେଳେ ଫିଲ୍ମଟି ଦର୍ଶକଙ୍କୁ ପସନ୍ଦ ଆସୁଥିବା ଜଣାପଡ଼ିଛି।
‘ପଠାନ’ର ତୃତୀୟ ଦିନର ବକ୍ସ ଅଫିସ୍ କଲେକ୍ସନ ରିପୋର୍ଟ ଆସିସାରିଛି। ତୃତୀୟ ଦିନରେ ଫିଲ୍ମଟି ୩୪ରୁ ୩୬ କୋଟି ଟଙ୍କା ରୋଜଗାର କରିଥିବା ସୂଚନା ରହିଛି। ତେବେ ପ୍ରଥମ ଓ ଦ୍ବିତୀୟ ଦିନରେ ଯେତିକି ରୋଜଗାର ହୋଇଥିଲା ସେ ତୁଳନାରେ ଖୁବ୍ କମ୍। ହେଲେ ବି କିଙ୍ଗ୍ ଖାନ୍ଙ୍କ ପ୍ରଶଂସକଙ୍କୁ ମନ ଦୁଃଖ କରିବାର ଆବଶ୍ୟକତା ନାହିଁ। କାରଣ ଭାରତକୁ ଛାଡ଼ିଲେ ବିଶ୍ବ ସ୍ତରରେ ‘ପଠାନ’ର ଯାଦୁ ଏବେ ବି କାଏମ୍ ରହିଛି।
ବାଣିଜ୍ୟ ବିଶ୍ଳେଷକ ରମେଶ ବାଲାଙ୍କ ମୁତାବକ, ଚଳଚ୍ଚିତ୍ରଟି ୩ ଦିନ ଭିତରେ ବିଶ୍ବ ସ୍ତରରେ ୩୦୦ କୋଟି ଟଙ୍କାର ରୋଜଗାର ପାର୍ କରିଛି। ତେବେ ସପ୍ତାହନ୍ତରେ ଚଳଚ୍ଚିତ୍ରଟି କ’ଣ ନୂଆ ରେକର୍ଡ କରୁଛି ତାହା ଦେଖିବା ବାକି ରହିଲା।
ଚଳଚ୍ଚିତ୍ରଟି ଦ୍ୱିତୀୟ ଦିନରେ ଘରୋଇ ବଜାରରେ ୭୦ କୋଟି ରୋଜଗାର କରିଥିଲା। ‘ପଠାନ’ ଦୁଇ ଦିନ ମଧ୍ୟରେ ସାରା ବିଶ୍ୱରେ ୨୩୫କୋଟି ରୋଜଗାର କରିଥିଲା। ବିଶ୍ବ ବଜାରରେ ‘ପଠାନ’ ପ୍ରଥମ ଦିନରେ ୧୦୦କୋଟି ଆୟ କରିଥିବା ବେଳେ ଦ୍ୱିତୀୟ ଦିନରେ ମଧ୍ୟ ୧୦୦କୋଟିରୁ ଅଧିକ ଆୟ କରିଥିଲା।