28.1 C
Bhubaneswar
Friday, October 18, 2024
Homeଓଡିଶା୪୦ କୋଟି ଟଙ୍କା ବ୍ୟୟରେ ପାରଳାଖେମୁଣ୍ଡି ବାଇପାସ୍‌; ଛେଳିଗଡ଼ ଜଳସେଚନ ପ୍ରକଳ୍ପ ଖୁବ୍‌ଶୀଘ୍ର

୪୦ କୋଟି ଟଙ୍କା ବ୍ୟୟରେ ପାରଳାଖେମୁଣ୍ଡି ବାଇପାସ୍‌; ଛେଳିଗଡ଼ ଜଳସେଚନ ପ୍ରକଳ୍ପ ଖୁବ୍‌ଶୀଘ୍ର

ଭୁବନେଶ୍ୱର: ଛେଳିଗଡ଼ ଜଳସେଚନ ପ୍ରକଳ୍ପ ଖୁବ୍‌ଶୀଘ୍ର ହେବ । ପ୍ରକଳ୍ପ ବାବଦକୁ ଖର୍ଚ୍ଚ ହେବ ୯୩୬.୬୩ କୋଟି । ଏଥିଯୋଗୁଁ ଗଞ୍ଜାମ ଓ ଗଜପତିର ୬୬୨୦ ହେକ୍ଟର ଜମିକୁ ପାଣି ମିଳିବା ସହ ବ୍ରହ୍ମପୁର ସହରକୁ ପ୍ରତି ସେକଣ୍ଡରେ ୧କ୍ୟୁବିକ୍ ମିଟର ପାନୀୟ ଜଳ ମିଳିପାରିବ । ଏଥିପାଇଁ ପାହାଡ଼ ଖୋଳି ଟନେଲ ତିଆରି ହେବ । ସେହିପରି ରାମସାଗରର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ୧୦ କୋଟି ଟଙ୍କାର ବ୍ୟୟ ଅଟ୍ଟକଳ ହୋଇଥିବାବେଳେ ୪୦ କୋଟି ଟଙ୍କା ବ୍ୟୟରେ ପାରଳାଖେମୁଣ୍ଡି ବାଇପାସ୍ ନିର୍ମାଣ କରାଯିବ ।

ଗଜପତି ଗସ୍ତର ଦ୍ୱିତୀୟ ଦିନରେ ୫-ଟି ସଚିବ ଭିକେ ପାଣ୍ଡିଆନ ବୁଧବାର ଛେଳିଗଡ଼ ଜଳସେଚନ ପ୍ରକଳ୍ପ ଅଞ୍ଚଳ ଗସ୍ତ କରି କାର୍ଯ୍ୟ ପରିଦର୍ଶନ କରିଥିଲେ । ସେ କହିଥିଲେ, ଛେଳିଗଡ଼ ଜଳସେଚନ ପ୍ରକଳ୍ପ ଗଜପତି ଜିଲ୍ଲାର ଆର. ଉଦୟଗିରି ବ୍ଲକ୍‌ସ୍ଥିତ ଛେଳିଗଡ଼ ଗ୍ରାମରେ କାର୍ଯ୍ୟକାରୀ କରାଯାଉଛି । ଏଥିପାଇଁ ୯୩୬.୬୩ କୋଟି ଟଙ୍କା ଖର୍ଚ୍ଚ କରାଯିବ । ୧୨୮୦ ମିଟର ଦୀର୍ଘ ଏକ ଲମ୍ବା ଟନେଲ୍ ଖୋଳାଯାଇଛି । ଏହାଦ୍ୱାରା ଗଞ୍ଜାମ ଜିଲ୍ଲାକୁ ପାଣି ଯାଇପାରିବ । ୨୦୨୫-୨୬ ସୁଦ୍ଧା ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେବ । ସଂପୂର୍ଣ୍ଣ ହେବାପରେ ୫୨୦୧ ହେକ୍ଟର ମିଟର ପାଣି ସଂରକ୍ଷିତ କରି ରଖାଯାଇପାରିବ । ଗଞ୍ଜାମ ଜିଲ୍ଲାର ୫୭୬୦ ହେକ୍ଟର ଓ ଗଜପତିର ୫୦୦ ହେକ୍ଟର ଜମିକୁ ଜଳସେଚନର ସୁବିଧା ମିଳିପାରିବ । ଏହାଦ୍ୱାରା ବ୍ରହ୍ମପୁର ସହରକୁ ପିଇବା ପାଣି ମଧ୍ୟ ଯୋଗାଇ ଦିଆଯିବ ।

ବ୍ରହ୍ମପୁର ସହରକୁ ପ୍ରତି ସେକେଣ୍ଡରେ ଏକ କ୍ୟୁବିକ୍ ମିଟର ପାଣି ମିଳିପାରିବ । ଏହାସହିତ ଗଜପତି ଜିଲ୍ଲାର ଶିଆଳି ଲଟି, କନକତା ଓ ଡେକିଲି ଆଦି ୩ଟି ସ୍ଥାନରେ ମିନି ହାଇଡେଲ୍ ପ୍ରକଳ୍ପ ଜରିଆରେ ୩୬ ମେଗାୱାଟ୍ ବିଦ୍ୟୁତ୍ ମଧ୍ୟ ଉତ୍ପାଦନ କରାଯାଇପାରିବ । ଏଥିରେ ୧୫ଟି ଗାଁର କ୍ଷତିଗ୍ରସ୍ତ ଲୋକମାନଙ୍କ ପାଇଁ ୭ଟି ପୁନର୍ବାସ ଓ ଥଇଥାନ କଲୋନୀ କରାଯିବ । ୩ଟି ଥଇଥାନ କଲୋନୀର କାର୍ଯ୍ୟ ସଂପୂର୍ଣ୍ଣ ହେବା ସହିତ ଲୋକମାନେ ରହିବା ଆରମ୍ଭ କଲେଣି । ବାକି ୪ଟିର ନିର୍ମାଣ କାର୍ଯ୍ୟ ଚାଲିଛି । ଏହାକୁ ଖୁବ୍‌ଶୀଘ୍ର ସଂପୂର୍ଣ୍ଣ ହେବ । ତେଣୁ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ ଶ୍ରୀ ପାଣ୍ଡିଆନ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଜନସାଧାରଣଙ୍କ ଅଭିଯୋଗ ଶୁଣି ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ପରେ ଶ୍ରୀ ପାଣ୍ଡିଆନ ଗୁମ୍ମାରେ ନିର୍ମାଣାଧୀନ ଏକ ବସଷ୍ଟାଣ୍ଡର କାର୍ଯ୍ୟ ଦେଖିଥିଲେ ଏବଂ ଏହାର କାର୍ଯ୍ୟର ମାନକୁ ଉଚ୍ଚକୋଟୀର କରିବା ପାଇଁ ପରାମର୍ଶ ଦେଇଥିଲେ । ସେଠାରେ ଉପସ୍ଥିତ ମିଶନଶକ୍ତି ମହିଳାମାନଙ୍କ ସହ ଆଲୋଚନା କରି ସେମାନଙ୍କ କାର୍ଯ୍ୟର ଉଚ୍ଚପ୍ରଶଂସା କରିଥିଲେ । ଗୁମ୍ମାରେ ଏକ ରୂପାନ୍ତରିତ ହାଇସ୍କୁଲକୁ ପରିଦର୍ଶନ କରି ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସହିତ ଆଲୋଚନା କରିବା ସହ ସ୍କୁଲରେ ନିର୍ମିତ ହୋଇଥିବା ନୂତନ ଆସେଟ୍‌ଗୁଡିକୁ ନିଜର ସଂପତ୍ତି ପରି ସୁରକ୍ଷିତ ରଖିବା ପାଇଁ ସେ ପରାମର୍ଶ ଦେବା ସହିତ ଭଲ ପାଠ ପଢି ଓଡ଼ିିଶାର ସୁନାମ କରିବାକୁ ପିଲାଙ୍କୁ ଉତ୍ସାହିତ କରିଥିଲେ ।

ସେହିପରି ସେ ପ୍ରସ୍ତାବିତ ପାରଳାଖେମୁଣ୍ଡି ବାଇପାସ୍ ରୋଡ୍ ଅଞ୍ଚଳକୁ ଯାଇଥିଲେ । ଏହାର କାମ ଯେପରି ଶୀଘ୍ର ଆରମ୍ଭ ହେବ, ସେଥିପାଇଁ ପ୍ରକ୍ରିୟା ସଂପୂର୍ଣ୍ଣ କରିବାକୁ ପରାମର୍ଶ ଦେଇଥିଲେ । ଏହି ବାଇପାସ୍ ପାଇଁ ଚାଳିଶ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ପାରଳାଖେମୁଣ୍ଡିରେ ନିର୍ମାଣାଧୀନ ଏକ ନୂତନ ଟାଉନ ହଲ୍‌କୁ ମଧ୍ୟ ବୁଲି ଦେଖିଥିଲେ । ଟାଉନ ହଲ୍ କାମ ଶେଷ କରିବା ପାଇଁ ଦେଢ଼ କୋଟି ଟଙ୍କା ଯୋଗାଇଦିଆ ଯିବ ବୋଲି ସେ ସ୍ପଷ୍ଟ କରିଥିଲେ ।

ଗଜପତି ଜିଲ୍ଲା କଳା ଓ ସଂସ୍କୃତିର ଭୂମି ପାରଳାଖେମୁଣ୍ଡିରେ ପାଞ୍ଚ କୋଟି ଟଙ୍କା ବ୍ୟୟରେ ଏକ ସୁଦୃଶ୍ୟ ସଂସ୍କୃତି ଭବନ ନିର୍ମାଣ କରିବାକୁ ମୁଖ୍ୟମନ୍ତ୍ରୀ ସମ୍ମତି ପ୍ରଦାନ କରିଛନ୍ତି । ଶେଷରେ ମଧ୍ୟାହ୍ନରେ ରାମସାଗର ଓ କୃଷ୍ଣସାଗର କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଜଳସେଚିତ ଅଞ୍ଚଳର ଚାଷୀଙ୍କୁ ସହିତ ଆଲୋଚନା କରି ସେମାନଙ୍କ ପାଇଁ ଅଧିକ ସୁବିଧା କରିବାକୁ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ । ରାମ ସାଗରର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ୧୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏଥିପାଇଁ ୧୫ ଦିନ ଭିତରେ ଡିପିଆର ପ୍ରସ୍ତୁତ କରିବାକୁ ଜିଲ୍ଲ୍‌ା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ୫-ଟି ସଚିବ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking