ଗାନ୍ଧୀନଗର : ପ୍ରେମ ବିବାହ ପାଇଁ ଅଭିଭାବକଙ୍କ ଅନୁମତି ନେବା ବାଧ୍ୟତାମୂଳକ । ଏପରି ନିୟମ ଆଣିବାକୁ ଯାଉଛନ୍ତି ଗୁଜୁରାଟ ସରକାର । ଗୁଜୁରାଟର ମେହସାନା ଜିଲାର ପାଟିଦାର ସମ୍ପ୍ରଦାୟର ପ୍ରତିନିଧିତ୍ୱ କରୁଥିବା ସର୍ଦ୍ଦାର ପଟେଲ ଗ୍ରୁପ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ କହିଛନ୍ତି, ପ୍ରେମ ବିବାହରେ ଝିଅ କିମ୍ବା ପୁଅ ଘରୁ ପଳାଇ ବିବାହ କରୁଛନ୍ତି । ତେଣୁ ଏ ଘଟଣାରେ ଅଧ୍ୟୟନ କରିବାକୁ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ହ୍ରିକିକେଶ ପଟେଲଙ୍କୁ ସେ ପରାମର୍ଶ ଦେଇଛନ୍ତି । ଅଧ୍ୟୟନ ପରେ ଏହି ନିୟମ ଲାଗୁ କରାଯିବ । ଯେଉଁଥିରେ ପିତାମାତାଙ୍କ ଅନୁମତି ପ୍ରେମ ବିବାହରେ ବାଧ୍ୟତାମୂଳକ ଅଟେ । ତେବେ ଏହାକୁ ସମର୍ଥନ କରିଛି କଂଗ୍ରେସ । କଂଗ୍ରେସ ବିଧାୟକ ଇମ୍ରାନ ଖେଦାୱାଲା କହିଛନ୍ତି, ଯଦି ସରକାର ବିଧାନସଭାରେ ଏ ସମ୍ପର୍କରେ ବିଲ୍ ଆଣନ୍ତି ତେବେ ଏହାକୁ ସମର୍ଥନ କରିବୁ । ସେ କହିଛନ୍ତି, ପ୍ରେମ ବିବାହରେ ପିତାମାତା ଅଧିକ ଅବହେଳିତ ହୁଅନ୍ତି । ତେଣୁ ସରକାର ପ୍ରେମ ବିବାହ ପାଇଁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଚିନ୍ତା କରୁଛନ୍ତି, ଯାହା ସାମ୍ବିଧାନିକ ହେବା ଉଚିତ ।