21.1 C
Bhubaneswar
Thursday, January 23, 2025
Homeଓଡିଶାପଞ୍ଚାୟତ ଭୋଟ୍‌,ଗଣନା ପାଇଁ ନିର୍ଦ୍ଦେଶନାମା : ମତଗଣନା ପାଇଁ ଆର୍‌ଟିପିସିଆର ଟେଷ୍ଟିଂ ଜରୁରୀ

ପଞ୍ଚାୟତ ଭୋଟ୍‌,ଗଣନା ପାଇଁ ନିର୍ଦ୍ଦେଶନାମା : ମତଗଣନା ପାଇଁ ଆର୍‌ଟିପିସିଆର ଟେଷ୍ଟିଂ ଜରୁରୀ

ଭୁବନେଶ୍ୱର: କୋଭିଡ୍‌-୧୯ ଦ୍ୱିତୀୟ ମାତ୍ରା ଟିକା ନେଇଥିଲେ ମଧ୍ୟ ମତଗଣନା କେନ୍ଦ୍ରକୁ ପ୍ରବେଶ ନିମନ୍ତେ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କର ମତଗଣନାର ୪୮ ଘଣ୍ଟା ପୂର୍ବରୁ ଆର୍‌ଟିପିସିଆର ଟେଷ୍ଟିଂ ହୋଇଥିବା ନିତାନ୍ତ ଜରୁରୀ ବୋଲି ସୋମବାର ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି । ଉକ୍ତ ନିର୍ଦ୍ଦେଶନାମାରେ କୁହାଯାଇଛି ଯେ,  ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଓ ମତଗଣନା କାର୍ଯ୍ୟରେ କୋଭିଡ୍‌-୧୯ ନିୟମାବଳୀର କଡ଼ାକଡ଼ି ଅନୁପାଳନ ହେବ ।

ମତଦାନର ପୂର୍ବଦିନ ଭୋଟ୍ କେନ୍ଦ୍ରକୁ ଭଲ ଭାବେ ବିଶୋଧନ କରାଯିବ । ମତଦାନ କେନ୍ଦ୍ରରେ କର୍ମଚାରୀମାନେ ସାମାଜିକ ଦୂରତା ରକ୍ଷା ସହ ମାସ୍କ ଓ ସାନିଟାଇଜର ବ୍ୟବହାର କରିବେ । ଭୋଟର୍‌ଙ୍କ ପାଇଁ ପ୍ରବେଶ ଦ୍ୱାର ନିକଟରେ ଥର୍ମାଲ ସ୍କାନିଂ ସହ ସାନିଟାଇଜର ରହିବ। ପ୍ରତ୍ୟେକ ଭୋଟର୍ ମାସ୍କ ପରିଧାନ କରି ମତଦାନ କରିବେ । ମତଗଣନା କେନ୍ଦ୍ର ଓ ଷ୍ଟ୍ରଙ୍ଗରୁମ୍‌ଗୁଡ଼ିକୁ ଭଲ ଭାବେ ବିଶୋଧନ କରାଯିବ । ମତଗଣନା କାର୍ଯ୍ୟରେ ନିୟୋଜିତ ଥିବା ସମସ୍ତ କର୍ମଚାରୀ ଦ୍ୱିତୀୟ ମାତ୍ରା କୋଭିଡ୍ ଟିକା ନେଇଥିବା ଆବଶ୍ୟକ ।

ଏତଦ୍‌ବ୍ୟତୀତ ସମସ୍ତ କର୍ମଚାରୀ ମାସ୍କ ଓ ଗ୍ଲୋବସ୍ ପରିଧାନ କରି ମତଗଣନା କାର୍ଯ୍ୟରେ ନିୟୋଜିତ ହେବେ । କାଉଣ୍ଟିଂ ଏଜେଣ୍ଟମାନେ ମଧ୍ୟ ମାସ୍କ ପରିଧାନ ସହ କୋଭିଡ୍ ଦ୍ୱିତୀୟ ପାନ ଟିକା ନେଇଥିବା ବାଧ୍ୟତାମୂଳକ । ମତଦାନ ଓ ମତଗଣନା କେନ୍ଦ୍ରଠାରେ ନିୟୋଜିତ ହୋଇଥିବା ସୁରକ୍ଷା କର୍ମଚାରୀମାନେ ମଧ୍ୟ କୋଭିଡ୍ ନିୟମାନୁସାରେ ମାସ୍କ ପରିଧାନ ସହ ସାମାଜିକ ଦୂରତା ରକ୍ଷା କରି କାର୍ଯ୍ୟ କରିବେ । କୋଭିଡ୍ ଦ୍ୱିତୀୟ ମାତ୍ରା ଟିକା ନେଇଥିବା ସତ୍ତ୍ୱେ ଯଦି କୋଭିଡ୍‌ର କୌଣସି ଲକ୍ଷଣ ଯଥା ଜ୍ୱର, ସର୍ଦ୍ଦି, ଥଣ୍ଡା ଆଦି ଦେଖାଦିଏ, ତାହେଲେ ସେହି କର୍ମଚାରୀଙ୍କୁ ମତଗଣନା କେନ୍ଦ୍ରକୁ ପ୍ରବେଶ ଅନୁମତି ଦିଆଯିବ ନାହିଁ ବୋଲି ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking