21.1 C
Bhubaneswar
Thursday, January 23, 2025
Homeଓଡିଶାଚତୁର୍ଥ ପର୍ଯ୍ୟାୟରେ ୨୭ ଜିଲ୍ଲା : ଆଜି ୧୬୩ ଜିଲ୍ଲା ପରିଷଦ ଜୋନ୍‌ରେ ଭୋଟ୍‌

ଚତୁର୍ଥ ପର୍ଯ୍ୟାୟରେ ୨୭ ଜିଲ୍ଲା : ଆଜି ୧୬୩ ଜିଲ୍ଲା ପରିଷଦ ଜୋନ୍‌ରେ ଭୋଟ୍‌

୬୪ ବ୍ଳକ୍‌ର ୧୭,୦୮୯ ବୁଥ୍‌ରେ ହେବ ମତଦାନ
ଭୁବନେଶ୍ୱର: ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟଠୁ ତୃତୀୟ ପର୍ଯ୍ୟାୟ ମତଦାନରେ ହିଂସା ସବୁ ସୀମା ଟପିଥିଲା । ତେଣୁ ମଙ୍ଗଳବାର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ କିଭଳିି ଶାନ୍ତି ଶୃଙ୍ଖଳାର ସହ ସମାପନ ହେବ ସେନେଇ ରାଜ୍ୟ ନିର୍ବାଚନ କମିଶନ ଅଧିକ ସୁରକ୍ଷା ବ୍ୟବସ୍ଥା କରିଛନ୍ତି । କାରଣ ନିର୍ବାଚନୀ ହିଂସା ରୋକିବା ଏବେ ଚାଲେଞ୍ଜ ସଦୃଶ ହୋଇଛି । ସେଥିପାଇଁ ଚିହ୍ନଟ ୨୫୬୩ ସମ୍ବେଦନଶୀଳ ବୁଥ୍‌ରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ସହ ସବୁଠି ବ୍ୟାପକ ପୁଲିସ୍ ମୁତୟନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସୋମବାର ରାଜ୍ୟ ନିର୍ବାଚନ ଆୟୁକ୍ତ ଆଦିତ୍ୟ ପ୍ରସାଦ ପାଢ଼ୀ ଗଣମାଧ୍ୟମକୁ କହିଛନ୍ତି ଯେ ଚତୁର୍ଥ ପର୍ଯାୟରେ ୨୭ଟି ଜିଲ୍ଲାର ୬୪ଟି ବ୍ଲକ୍‌ରେ ୧୬୩ଟି ଜିଲ୍ଲା ପରିଷଦ ଜୋନ୍ ପାଇଁ ଭୋଟ୍ ହେବ । ମୋଟ୍ ୧୭,୦୮୯ଟି ବୁଥ୍‌ରେ ମତଦାନ ହେଉଥିବାବେଳେ ୫୧ ଲକ୍ଷ ୩୧ ହଜାର ୭୨୭ ଭୋଟ୍‌ର ନିଜର ମତ ସାବ୍ୟସ୍ତ କରିବେ । ୨୫୦ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ ହୋଇଛନ୍ତି । ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଯାଜପୁର ଜିଲ୍ଲାରେ ଅଧିକ ହିଂସାକାଣ୍ଡ ହୋଇଥିଲା । ତେବେ ଝାରସୁଗୁଡ଼ା, ବୌଦ୍ଧ, ଦେବଗଡ଼, ବ୍ରହ୍ମପୁର ଓ ଖୋର୍ଦ୍ଧା ଜିଲ୍ଲାରେ ମତଦାନ ଶାନ୍ତିପୂର୍ଣ୍ଣ ଥିଲା । ଯାଜପୁର ହିଂସା ପାଇଁ ସେହି ଜିଲ୍ଲାର ୯ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଢେଙ୍କାନାଳରେ ୬, ଜଗତସିଂହପୁରରେ ୬ ଏବଂ ପୁରୀ ଜିଲ୍ଲାରେ ୨୪ ଜଣଙ୍କୁ ପୁଲିସ୍ ଗିରଫ କରିଛି ।

ଏମାନଙ୍କ ବିରୋଧରେ ନିର୍ବାଚନୀ ହିଂସା ଭିଆଇଥିବାର ଅଭିଯୋଗ ହୋଇଥିଲା । ଅନ୍ୟପକ୍ଷରେ ନିର୍ବାଚନ ପୂର୍ବରୁ ମାଓ ଦୌରାତ୍ମ୍ୟ ଆଶଙ୍କାରେ ପୁଲିସ୍ ମାଓ ପ୍ରବଣ ଜିଲ୍ଲାରେ କମ୍ବିଂ ଅପରେସନ ଜାରି ରଖିଛି । ଫଳରେ ହିଂସାକାଣ୍ଡକୁ ଏଡ଼ାଇବା ସହ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ସମ୍ଭବ ହୋଇପାରିବ । ଚତୁର୍ଥ ପର୍ଯ୍ୟାୟ ଭୋଟ୍ ପୂର୍ବରୁ ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରୁ ପୁଲିସ୍ ବାହିନୀକୁ ସଫଳତା ମିଳିଛି । ସେଠାରେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ଯୋଡାମ୍ବ ଥାନା ଅନ୍ତର୍ଗତ ନଦମେଞ୍ଜେରୀ ଗାଁ ନକଟରେ ଜଙ୍ଗଲରେ କମ୍ବିଂ ଅପରେସନ ଚାଲିଥିଲାବେଳେ ମାଓବାଦୀଙ୍କ ଦ୍ୱାରା ପୋତାଯାଇଥିବା ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି ।  ନିର୍ବାଚନ ପୂର୍ବରୁ ଅଘଟଣ ସୃଷ୍ଟି ପାଇଁ ଟିଫିନ୍ ବୋମା, ପ୍ରେସର ବୋମା, କୋଡେକ୍ସ ତାର, ଡିଟୋନେଟର, ବ୍ୟାନର, ବ୍ୟାଟେରୀ ମାଟି ତଳେ ପୋତା ଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking