31.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶପଞ୍ଜଶିରର ୬୦% ଆମ ନିୟନ୍ତ୍ରଣରେ: ଏନ୍‌ଆରଏଫ୍‌

ପଞ୍ଜଶିରର ୬୦% ଆମ ନିୟନ୍ତ୍ରଣରେ: ଏନ୍‌ଆରଏଫ୍‌

କାବୁଲ: ଆଫଗାନିସ୍ତାନର ପଞ୍ଜ୍‌ଶିର ପ୍ରଦେଶ ସେମାନଙ୍କ ଅକ୍ତିଆରକୁ ଆସିଛି ବୋଲି ତାଲିବାନ ଦାବି କରୁଥିବାବେଳେ ବିରୋଧୀ ଏନ୍‌ଆରଏଫ୍ (ନ୍ୟାସନାଲ ରେଜିଷ୍ଟାନ୍ସ ଫ୍ରଣ୍ଟ୍‌) କିନ୍ତୁ ଏହାକୁ ଅସ୍ୱୀକାର କରୁଛି । ପଞ୍ଜ୍‌ଶିରର ୬୦ ପ୍ରତିଶତ ଅଞ୍ଚଳ ଏବେମଧ୍ୟ ସେମାନଙ୍କ ନିୟନ୍ତ୍ରଣରେ ରହିଛି ବୋଲି ଏନ୍‌ଆରଏଫ୍ ନେତା ଅଲ୍ଲୀ ନାଜାରି କହିଛନ୍ତି । ସିଏନ୍‌ଏନ୍‌କୁ ଦେଇଥିବା ସାକ୍ଷାତକାରରେ ସେ ଆହୁରି କହିଛନ୍ତି ଯେ ପଞ୍ଜ୍‌ଶିର ଦଖଲ କରିବା ଉଦ୍ୟମରେ ତାଲିବାନ ସଂଗଠନର ବିପୁଳ କ୍ଷତି ଘଟିଛି । ଏନ୍‌ଆରଏଫ୍ ଯୋଦ୍ଧାଙ୍କ ଆକ୍ରମଣରେ ଶତାଧିକ ତାଲିବାନୀ ଆତଙ୍କୀ ପ୍ରାଣ ହରାଇଥିବାବେଳେ ସମ ସଂଖ୍ୟକ ଗୁରୁତର ଆହତ ହୋଇ ଛତ୍ରଭଙ୍ଗ ଦେଇଥିବା ସେ କହିଛନ୍ତି ।

ତାଲିବାନ ପକ୍ଷରୁ ପଞ୍ଜ୍‌ଶିର ଦଖଲ ନେଇ ଯେଉଁ ସୂଚନା ଦିଆଯାଉଛି, ସେଥିରେ ସତ୍ୟତା କମ ଓ ପ୍ରଚାର ଅଧିକ ରହିଛି ବୋଲି ନାଜାରି କହିଛନ୍ତି । ତାଲିବାନୀମାନେ କେବଳ ପଞ୍ଜ୍‌ଶିର ଉପତ୍ୟକାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାକୁ ଦଖଲ କରିଛନ୍ତି । ପଞ୍ଜ୍‌ଶିରର ଭୌଗୋଳିକ ସ୍ଥିତି ଏତେ ଜଟିଳ ଯେ, କୌଣସି ବାହ୍ୟ ଆକ୍ରମଣକାରୀ ଏହାକୁ ସହଜରେ ଦଖଲ କରିପାରିବେ ନାହିଁ ବୋଲି ସେ କହିଛନ୍ତି। ଏହି ଦୁର୍ଗମ ପାର୍ବତ୍ୟାଞ୍ଚଳରେ ଏକାଧିକ ସବ୍ ଭ୍ୟାଲି (ସଂଖ୍ୟାଧିକ କ୍ଷୁଦ୍ର ଉପତ୍ୟକା) ରହିଥିବାବେଳେ ସେଗୁଡିକ ମଧ୍ୟରୁ ୬୦-୬୫% ଏବେ ମଧ୍ୟ ଏନ୍‌ଆରଏଫ୍ ନିୟନ୍ତ୍ରଣରେ ରହିଥିବା ସେ କହିଛନ୍ତି । ରଣନୀତି ଅନୁଯାୟୀ ପଞ୍ଜ୍‌ଶିରର ମୁଖ୍ୟ ରାସ୍ତାରୁ ଏନ୍‌ଆରଏଫ୍ ଯୋଦ୍ଧାଙ୍କୁ ପ୍ରତ୍ୟାହାର କରାଯାଇଛି । ଆଗାମୀ ଦିନରେ ସେମାନେ ପୁଣି ପୂର୍ବସ୍ଥାନକୁ ଫେରିବେ ବୋଲି ସେ ସୂଚନା ଦେଇଛନ୍ତି । ଅପରପକ୍ଷରେ ଏନ୍‌ଆରଏଫ୍‌ର ଦୁଇ ପ୍ରମୁଖ ନେତା ଅମରୁଲ୍ଲା ସାଲେହ୍ ଓ ଅହମ୍ମଦ ମାସୁଦ ତାଜିକିସ୍ତାନ ପଳାଇଥିବା ସମ୍ବାଦକୁ ତାଜିକିସ୍ତାନରେ ଅବସ୍ଥାପିତ ଆଫ୍‌ଗାନ ରାଷ୍ଟ୍ରଦୂତ ଜାହିର ଅଘ୍‌ବର ଖଣ୍ଡନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking