ରାତି ହେଉ କି ଦିନ, ଶୋଭାଯାତ୍ରା ବେଳେ ଅତ୍ୟଧିକ ଶବ୍ଦ କରି ଡିଜେ ବ୍ୟାଣ୍ଡ୍ ବଜାଇବା ବେଆଇନ୍ । ଏଥିପାଇଁ ନିର୍ଦ୍ଦିଷ୍ଟ ନିୟମାବଳି ବି ରହିଛି । ତେବେ ପୂଜା ପାର୍ବଣରେ ଏ ନିୟମକୁ ଫୁ କରି ଲୋକଙ୍କୁ ଅସହ୍ୟ ଶବ୍ଦ ପ୍ରଦୂଷଣ ଭିତରକୁ ଠେଲି ନେଉଛନ୍ତି କିଛି ଆୟୋଜକ ଓ ଉଶୃଙ୍ଖଳିତ ଯୁବକ । ତେବେ ଡିଜେ ସାଉଣ୍ଡ ସହିନପାରି ନିକଟରେ କେନ୍ଦ୍ରାପଡ଼ା ପାଟୁକୁରା ଅଞ୍ଚଳରେ ଏକାଧିକ ଲୋକ ଅସୁସ୍ଥ ହୋଇପଡ଼ିଥିବା ନେଇ ଥାନାରେ ଏତଲା ଏବଂ ଖୋର୍ଦ୍ଧାରେ ପୋଲିସ ସହ ଗଣ୍ଡଗୋଳ ଘଟଣା ପରେ ଏ ପ୍ରସଙ୍ଗ ପୁଣି ଚର୍ଚ୍ଚାକୁ ଆସିଛି ।
ରାତି ଅଧରେ ବିକଟାଳିଆ ଶବ୍ଦ, ଉତୁପାତିଆ ନାଚ । ଡିଜେ ବ୍ୟାଣ୍ଡର ଶଦ୍ଦର ତୀବ୍ରତା ଏତେ ଅଧିକ ଯେ, କାନ ବନ୍ଦ କରି ଶୁଣିଲେ ବି ପରଦା ଫାଟିଯିବାର ଭୟ । ଆଉ ତାରି ଭିତରେ ବେତାଳିଆ ନୃତ୍ୟରେ ବିଭୋର ଯୁବଗୋଷ୍ଠୀ । କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ଅଞ୍ଚଳରେ ଗଣେଶ ପୂଜା ଭସାଣ ଉତ୍ସବ ଲାଗି ମଙ୍ଗଳବାର ରାତିରେ ଏମିତି ଏକାଧିକ ଡିଜେ ବ୍ୟାଣ୍ଡ୍ ବଜାଇ ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରାରେ ଯାଉଥିଲେ କିଛି ପୂଜା କମିଟି । ତେବେ ଡିଜେ ବ୍ୟାଣ୍ଡର ଅତ୍ୟଧିକ ଶବ୍ଦ ପାଇଁ ସ୍ଥାନୀୟ ଲୋକେ ବିରୋଧ କରି ସାଉଣ୍ଡ୍ କମାଇବାକୁ କହିଥିଲେ । କିନ୍ତୁ ଶୋଭାଯାତ୍ରାକାରୀମାନେ ଶୁଣିନଥିଲେ ।
ଆଉ ଏପଟେ ଏକାଧିକ ଡିଜେ ବ୍ୟାଣ୍ଡର ଅତି ଉଚ୍ଚ ଓ ବିରକ୍ତିକର ଶବ୍ଦ ଅନେକଙ୍କ ପାଇଁ ଅସହ୍ୟ ହୋଇଥିଲା । ଏପରିକି ଏହି ସାଉଣ୍ଡ ସହିିନପାରି ପୁରୁଷୋତ୍ତମପୁର ଗାଁର ପ୍ରମୋଦ କୁମାର କର ନାମକ ଜଣେ ବ୍ୟକ୍ତି ବେହୋସ ଯାଇଥିଲେ । ପରେ ତାଙ୍କୁ ପାଟକୁରା ମେଡିକାଲ ନେବାରୁ ସେ ହୃଦଘାତର ଶିକାର ହୋଇଥିବା ଡାକ୍ତର କହିବା ସହ ତାଙ୍କୁ କଟକ ରେଫର କରିଥିଲେ । ସେଦିନର କାନଫଟା ଡିଜେ ସାଉଣ୍ଡ ପାଇଁ ବ୍ରହ୍ମପୁର, ମଳିକ ସାହି, ଘୋଡ଼ାଶାଳ, ବଜ୍ରବାଣ ଆଦି ଗାଁର ୧୫ରୁ ଅଧିକ ଶିଶୁ, ବୃଦ୍ଧବୃଦ୍ଧା ଓ ହୃଦରୋଗୀ ଅସୁସ୍ଥ ହୋଇଥିବା କୁହାଯାଉଛି । ତେଣୁ ଏ ଘଟଣା ପରେ ଗତକାଲି ଗାଁ ଲୋକେ ଏକାଠି ହୋଇ ପାଟକୁରା ଥାନାରେ ଏତଲା ଦେଇଛନ୍ତି ।