20.1 C
Bhubaneswar
Thursday, January 23, 2025
Homeଓଡିଶାଓୟୁଏଟି ଅଧ୍ୟାପିକାଙ୍କ ଆତ୍ମହତ୍ୟା ମାମଲା : ମୃତ୍ୟୁ ପୂର୍ବରୁ ସାହାଯ୍ୟ ଚାହିଁଥିଲେ!

ଓୟୁଏଟି ଅଧ୍ୟାପିକାଙ୍କ ଆତ୍ମହତ୍ୟା ମାମଲା : ମୃତ୍ୟୁ ପୂର୍ବରୁ ସାହାଯ୍ୟ ଚାହିଁଥିଲେ!

ଭୁବନେଶ୍ୱର: ଓୟୁଏଟି ସହାୟକ ଅଧ୍ୟାପିକା ବାସନ୍ତୀ ଜେନାଙ୍କ ଆତ୍ମହତ୍ୟା ମାମଲାରେ ଅନେକ ରହସ୍ୟ ଲୁଚିରହିଛି । ଏହା ଏକ ଆତ୍ମହତ୍ୟା ହୋଇଥିଲେ ବି ପୁଲିସ ଘଟଣାକୁ ଗୁରୁତର ସହ ନେଇଛି । ବାସନ୍ତୀ ମୃତ୍ୟୁ ପୂର୍ବରୁ ୧୦୦’କୁ ଡାଏଲ କଲ୍ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ତେବେ ସେ କାହିଁକି କଲ୍ କରିଥିଲେ, ହେଲ୍‌ପ ଲାଇନ୍ ସହ କଥା ହୋଇଛନ୍ତି ନା ନାହିଁ, ତାହା ରହସ୍ୟ ଘେରରେ ରହିଛି । ସେନେଇ ପୁଲିସକୁ କୌଣସି ସୁରାକ୍ ମିଳିପାରିନାହିଁ । ଜଣେ ସାହାଯ୍ୟ ପାଇଁ ଜରୁରୀକାଳିନ ନମ୍ବରକୁ ଫୋନ୍ କରିଥାଏ । ତେଣୁ ବାସନ୍ତୀ ମୃତ୍ୟୁ ପୂର୍ବରୁ କିଛି ସାହାଯ୍ୟ ଚାହୁଁଥିଲେ ବୋଲି ଅନୁମାନ କରାଯାଉଛି । ବୋଧହୁଏ ସେ ମାନସିକ ସ୍ଥିତିରେ ଭାଙ୍ଗିପଡ଼ିଥିଲେ । ତେଣୁ ସାହାଯ୍ୟ ନମିଳିବାରୁ ସେ ବାଧ୍ୟହୋଇ ଆତ୍ମହତ୍ୟା କରିଥିବା ନେଇ ଚର୍ଚ୍ଚା ମଧ୍ୟ ହେଉଛି ।

ଏସମ୍ପର୍କରେ ଥାନାଧିକାରୀ ପଦ୍ମନାଭ ପ୍ରଧାନ କହିଛନ୍ତି, ଅଧ୍ୟାପିକା ବାସନ୍ତୀଙ୍କ ସ୍ୱାମୀ ଦେବୀପ୍ରସନ୍ନ ସବୁବେଳେ ମଦ ପିଅନ୍ତି । ସେ ଜଣେ ଅଧ୍ୟାପକ ହୋଇ ମଧ୍ୟ ନିଶାଡିଙ୍କ ସହ ବସାଉଠା କରନ୍ତି । ଯାହାକୁ ନେଇ ଦମ୍ପତ୍ତିଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ହେଉଥିଲା । ଯେତେବେଳେ ଝଗଡା ହୁଏ, ସେତେବେଳେ ବାସନ୍ତୀ ୧୦୦କୁ ଡାଏଲ୍ କରି ସାହାଯ୍ୟ ମାଗନ୍ତି । ଏହାପରେ ପୁଲିସ ଯାଇ ସେମାନଙ୍କ କଥା ବୁଝେ । ୩ରୁ ୪ମାସ ତଳେ ଦମ୍ପତ୍ତିଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ପୁଲିସ ଯାଇ ସମାଧାନ କରିଥିଲା । ଏହାପରେ ବି ତାଙ୍କ ସ୍ୱାମୀ ନବଦଳିବାରୁ ସେ ଏଭଳି ଚରମ ନିଷ୍ପତି ନେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।

ଅନ୍ୟପକ୍ଷେ ବାସନ୍ତୀ ମୃତ୍ୟୁ ପୂର୍ବରୁ ୧୦୦କୁ କଲ୍ କରିଥିଲେ ବୋଲି ଶୁଣିବାକୁ ମିଳୁଛି । ଏଦିଗକୁ ନେଇ ମଧ୍ୟ ତଦନ୍ତ ଜାରି ରହିଛି । ତାଙ୍କ ମୋବାଇଲ ଫୋନ୍‌ରେ ପାର୍ଟନ ଲକ୍ ପଡ଼ିଛି । ସେଥିପାଇଁ ମୋବାଇଲ ଯାଞ୍ଚ କରାଯାଇପାରିନାହିଁ । ତେଣୁ ତାଙ୍କ ମୋବାଇଲ ନମ୍ବରର ସିଡିଆର୍‌(କଲ୍ ଡିଟେଲ୍ସ ରିପୋର୍ଟ) ଟେଲିକମ୍ କମ୍ପାନୀକୁ ମଗାଯାଇଛି । ରିପୋର୍ଟ ଆସିବା ପରେ ୧୦୦କୁ ଡାଏଲ୍ କରିଥିଲେ ନା ନାହିଁ ଯାଞ୍ଚ କରାଯିବ । ସେ ଯଦି ୧୦୦କୁ କଲ୍ କରିଥିବେ, ତା’ହେଲେ ତାଙ୍କର କଲ୍ ରେକର୍ଡ ଥିବ । ସେ କେଉଁ ସାହାଯ୍ୟ ଚାହୁଁଥିଲେ ତାହା ସାମ୍ନାକୁ ଆସିଯିବ । ରିପୋର୍ଟ ଆସିବା ପରେ ଏଦିଗରେ ଅଧିକ ତଦନ୍ତ କରାଯିବ ବୋଲି ଥାନାଧିକାରୀ କହିଛନ୍ତି ।

ସୂଚନା ଅନୁଯାୟୀ, ବାସନ୍ତୀ ଓ ଦେବୀପ୍ରସନ୍ନ ୨୦୧୨ ମସିହାରେ ବିବାହ କରିଥିଲେ । ତାଙ୍କର ୬ବର୍ଷର ପୁଅ ମଧ୍ୟ ଅଛି । ପୁଅର ମାନସିକ ସ୍ଥିତି ଟିକେ ଭଲ ନାହିଁ । ଯାହାକୁ ନେଇ ବାସନ୍ତୀ ଚିନ୍ତାରେ ରହୁଥିଲେ । ସେମାନେ ଉଭୟେ ଓୟୁଏଟି ସରକାରୀ କ୍ୱାର୍ଟର୍ସରେ ରହୁଥିଲେ । ଗୁରୁବାର ରାତି ପ୍ରାୟ ୮ଟା ବେଳେ ଦେବୀ ତାଙ୍କ ପୁଅକୁ ବାହାରକୁ ବୁଲେଇବାକୁ ନେଇ ଯାଇଥିଲେ ।

ସେ ୧୦ଟାରୁ ସାଢ଼େ ୧୦ଟା ସମୟ ମଧ୍ୟରେ ଆସିଥିଲେ । ଏହି ସମୟରେ ଗେଟ୍ ଭିତରପଟୁ ବନ୍ଦ ଥିଲା । ଗେଟ୍ ବାଡ଼େଇବା ପରେ ବି କେହି ଖୋଲିନଥିଲେ । ସେ ଗେଟ୍ ଡେଇଁ ଯାଇ ଦେଖିବାରୁ ବାସନ୍ତୀ ଘରେ ଫ୍ୟାନରେ ଝୁଲୁଥିଲେ । ଏହାଦେଖି ସେ ତୁରନ୍ତ ପଡ଼ୋଶୀଙ୍କ ସହଯୋଗରେ ତାଙ୍କୁ ମେଡ଼ିକାଲ ନେଇଯାଇଥିଲେ । ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ । ଏସମ୍ପର୍କରେ ଖଣ୍ଡଗିରି ଥାନା ପୁଲିସ ଖବରପାଇ ରାତି ପ୍ରାୟ ୧୧ଟା ବେଳକୁ ହସ୍ପିଟାଲରେ ପହଞ୍ଚିଥିଲା । ପୁଲିସ କ୍ୟାପିଟାଲ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ କରାଇବା ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking