ଭୁବନେଶ୍ୱର: ଓଡିଶା ସରକାରଙ୍କ ଅଧୀନରେ ବିଭିନ୍ନ ସରକାରୀ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କର ଛୁଟିକୁ ସରକାର ବିଭିନ୍ନ ଆଳରେ କାଟୁଛନ୍ତି । ଏହି ପରି ଏକ ଅଭିଯୋଗ କରି ଏହାକୁ ଦୃଢ ବିରୋଧ କରିଛନ୍ତି ନୂତନ ପେନସନ ଯୋଜନାଭୁକ୍ତ ମାଧ୍ୟମିକ ଶିକ୍ଷକ ସଙ୍ଘ । ସରକାର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ୮୨ ଦିନ ଛୁଟି ପ୍ରଦାନ କରୁଛନ୍ତି ବୋଲି ବାର୍ଷିକ ଛୁଟି କ୍ୟାଲେଣ୍ଡରରେ ପ୍ରକାଶ କରୁଛନ୍ତି । ତାହା ମଧ୍ୟରେ ୮ ଦିନ ବିଦ୍ୟାଳୟରେ ପାଳନ ହୋଇଥାଏ ଯଥା ଗୁରୁଦିବସ,ଗଣେଶ ପୂଜା,ସରସ୍ୱତୀ ପୂଜା ଇତ୍ୟାଦି ଯାହାକୁ କି ସରକାର ଛୁଟି ତାଲିକାରେ ସ୍ଥାନିତ କରିଛନ୍ତି ।କିନ୍ତୁ ବାସ୍ତବରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉକ୍ତ ଦିନ ବିଦ୍ୟାଳୟ ଯାଇଥାନ୍ତି ଏବଂ ସମସ୍ତ କାର୍ଯ୍ୟ ସହ ମଧ୍ୟାନ ଭୋଜନ ମଧ୍ୟ ଦିଆଯାଇଥାଏ । ତାହେଲେ ସେହି ପାଳନ ଦିବସ ଗୁଡିକ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କ ପାଇଁ ଛୁଟି କେମିତି ହେଲା ବୋଲି ସରକାରଙ୍କୁ ପ୍ରଶ୍ନ କରିଛନ୍ତି ସଙ୍ଘର ସଭାପତି ପ୍ରଦୀପ୍ତ କୁମାର ପ୍ରଧାନ ।
ତେଣୁ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ତାହାକୁ ଛୁଟି ତାଲିକାରୁ କାଟିବା ଜରୁରୀ ଅଟେ । ଏହା ବ୍ୟତୀତ ସରକାର ବିଭିନ୍ନ ରବିବାର ଦିବସରେ ନାନାଦି ପ୍ରକାର ଟ୍ରେନିଙ୍ଗ,ପରୀକ୍ଷା କରି ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କୁ ନିୟୋଜିତ କରୁଅଛନ୍ତି । ୫ଟି ବିଦ୍ୟାଳୟ ମାନଙ୍କରେ ଅଧିକାଂଶ ସମୟରେ ଛୁଟି ଦିବସରେ ନାନାଦି କାର୍ଯ୍ୟକ୍ରମ ସହ ବିଦ୍ୟାଳୟର କାର୍ଯ୍ୟ କରିବାକୁ ନିୟୋଜିତ କରୁଛନ୍ତି । ଯାହା ଫଳରେ ଗୋଟିଏ ଶିକ୍ଷକ ତାହାର ଛୁଟିକୁ ସେ ହରାଉଛି ।
ପୁନଶ୍ଚ ପରିତାପର ବିଷୟ ଯେ ଖରା ଛୁଟିକୁ ଛୁଟିରେ ଗଣନା କରାଯାଉଥିଲେ ମଧ୍ଯ ନିକଟରେ ମୋ ସ୍କୁଲ ତରଫରୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଖରା ଛୁଟିରେ ଶିକ୍ଷକ/ଶିକ୍ଷୟିତ୍ରୀ ମାନେ ରୋଷ୍ଟର ଡିଉଟି କରିବେ ବୋଲି ନିର୍ଦେଶନାମା ଜାରି କରାଯାଇଛି ଯାହାକି ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି,ପ୍ରଶ୍ନ ଉଠୁଛି ଯେଉଁମାନେ ଘର ଠାରୁ ୫୦୦ ରୁ ୬୦୦ କିଲୋମିଟର ଦୂରରେ ରହୁଛନ୍ତି,ବଦଳି ସୁବିଧା ନଥିବାରୁ ବର୍ଷକରେ ଥରେ ଖରା ଛୁଟିରେ ନିଜର ବୁଢ଼ା ବାପା ମା କୁ ଦେଖା କରିପାରୁଥିଲେ, ଯାହାକି ସେମାନଙ୍କ ପାଇଁ ସ୍ୱପ୍ନ ହେବ ।ତେଣୁ ସରକାର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପାଇଁ ଛୁଟି ତାଲିକାକୁ ପରିବର୍ତ୍ତନ କରି ସ୍ପଷ୍ଟ ଛୁଟି ତାଲିକା ପ୍ରକାଶ କରନ୍ତୁ ବୋଲି ରାଜ୍ୟ ସଙ୍ଘର ସମ୍ପାଦକ ଅମରେନ୍ଦ୍ର ସ୍ୱାଇଁ, ମହାସଚିବ ବିଶ୍ୱଜିତ ବିଶ୍ୱାଳ,ମିଡ଼ିଆ ସମ୍ପାଦକ ଚନ୍ଦ୍ର କାନ୍ତ ପଣ୍ଡା.କୋଷାଧକ୍ଷ ପଞ୍ଚାନନ ଜେନା, ଆବାହକ ନିରୋଦ ରଥ ସରକାରଙ୍କ ପାଖରେ ଦାବି ଜଣାଇଛନ୍ତି ।