ଅନୁଗୁଳ : ବଜ୍ରପାତ ନେଲା ଜୀବନ । ଜଣେ ମୃତ, ୩ ଗୁରୁତର । ଅନୁଗୁଳ ଜିଲ୍ଲା ପାଲଲହଡା ଥାନା କରଡାପାଳ ପଞ୍ଚାୟତ ନାଥପଶି ଗାଁରେ ଘଟିଛି ଅଘଟଣ । ଗାଁର ମୋତେୟା ବାରିଜ ପରିବାର ଓ କିଛି ଗ୍ରାମବାସୀଙ୍କ ସହ ଚାଷ କାମ କରୁଥିବା ବେଳେ ହଠାତ୍ ବଜ୍ରପାତ ହୋଇଥିଲା ।ବଜ୍ରପାତରେ ମୋତେୟା ବାରିଜ ଘଟଣାସ୍ଥଳରେ ଟଳିପଡ଼ିଥିଲେ । ସେହିପରି ତାଙ୍କ ସମ୍ପର୍କୀୟ ମହିଳା ସାନ୍ତିଲତା ପୁର୍ତ୍ତି, କଲେଜ ଛାତ୍ରୀ ନିରୁପାୟ ବେହେରା ଏବଂ ପଞ୍ଚମ ଶ୍ରେଣୀ ଛାତ୍ରୀ ପ୍ରିୟା ପୁର୍ତ୍ତି ଗୁରୁତର ଆହତ ହୋଇଛନ୍ତି । ଘଟଣା ସମୟରେ ସେଠାରେ ଥିବା ଅନ୍ୟ ୧୨ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଖବର ପାଇ ୧୦୮ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ପାଲଲହଡା ଡାକ୍ତରଖାନାକୁ ନେଇଥିଲା । ସେଠାରେ ଡାକ୍ତର ମୋତେୟା ବାରିଜଙ୍କୁ ମୃତ ଘୋଷଣା କରିଥିଲେ । ଗୁରୁତର ଆହତ ୩ ଜଣଙ୍କର ଚିକିତ୍ସା ଜାରି ରହିଛି । ଅନ୍ୟ ୧୨ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଘରକୁ ପଠାଯାଇଛି ।










