ବ୍ରହ୍ମପୁର: ଗତ କିଛି ଦିନ ପୂବେ ଚିକିତ୍ସା ଅବହେଳାରୁ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାକୁ ନେଇ ତଦନ୍ତ ଚାଲିଥିବା ବେଳେ ପୁଣି ଚିକିତ୍ସା ଅବହେଳାରୁ ଆଉ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଛି । ଡାକ୍ତର ପରାମର୍ଶ ଦେବାର ୪ ଦିନ ପରେ ମଧ୍ୟ ରୋଗୀଙ୍କୁ ଆଇସିୟୁ ନମିଳିବାରୁ ତାଙ୍କର ମୃତ୍ୟୁ ହୋଇଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ପ୍ରକାଶ ଯେ ଛତ୍ରପୁର ବିପୁଳିଙ୍ଗିର ଶଶିଭୂଷଣ ସାମନ୍ତରାୟଙ୍କ ଛାତି ଯନ୍ତ୍ରଣା ହେବାରୁ ପରିବାର ଲୋକେ ତାଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାର କାଜୁଆଲିଟିରେ ଭର୍ତ୍ତି କରିଥିଲେ । ସେଠାରେ ପରୀକ୍ଷାନିରୀକ୍ଷା ପରେ ଶଶିଭୂଷଣଙ୍କ ଛାତିରେ କଫ ଜମିଥିବା ଡାକ୍ତରମାନେ ଜାଣିବାକୁ ପାଇଥିଲେ । ଯାହାଫଳରେ ତାଙ୍କୁ ଯକ୍ଷ୍ମା ଓ ଛାତି ରୋଗ ବିଭାଗକୁ ପଠାଇଥିଲେ । କିନ୍ତୁ ସେଠାକୁ ବରିଷ୍ଠ ଡାକ୍ତରମାନେ ଚିକିତ୍ସା କରିବାକୁ ଆସୁନଥିବା ପରିବାର ଲୋକେ ଅଭିଯୋଗ କରିଥିଲେ ।
ଶଶିଭୂଷଣଙ୍କ ଅବସ୍ଥା ଗୁରୁତର ଥିବାରୁ ଯେଉଁ ଡାକ୍ତର ଚିିକିତ୍ସା କରିବାକୁ ଆସିଥିଲେ ସେମାନେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରିବାକୁ ପରାମର୍ଶ ଦେଇଥିଲେ । ସେହିକ୍ରମରେ ପରିବାର ଲୋକେ ଶଶିଭୂଷଣଙ୍କୁ ଆଇସିୟୁରେ ଭର୍ତ୍ତି କରିବାକୁ ଡାକ୍ତରଖାନା ମ୍ୟାନେଜରଙ୍କଠାରୁ ଆରମ୍ଭ କରି ଅଧୀକ୍ଷକଙ୍କୁ ମଧ୍ୟ ଅନୁରୋଧ କରାଯାଇଥିଲା । କିନ୍ତୁ ଶଶିଭୂଷଣଙ୍କୁ ଆଇସିୟୁ ମିଳିପାରିନଥିଲା । ଯାହାଫଳରେ ଆଜି ଭୋର ସମୟରେ ଶଶିଭୂଷଣଙ୍କ ମୃତ୍ୟୁ ହୋଇଯାଇଛି । ଏହାକୁ ନେଇ ଆଜି ସକାଳୁ ଯକ୍ଷ୍ମା ଓ ଛାତି ରୋଗ ବିଭାଗରେ ଉତ୍ତେଜନା ପ୍ରକାଶ ପାଇଥିଲା । ଡାକ୍ତର ଓ କର୍ମଚାରୀଙ୍କ ଅବହେଳା ସହ ଆଇସିୟୁ ନମିଳିବାରୁ ଶଶିଭୂଷଣଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ ।
ତେଣୁ ଚିକିତ୍ସାରେ ଅବହେଳା କରିଥିବା ଡାକ୍ତର ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମୃତ ଶଶିଭୂଷଣଙ୍କ ପୁଅ ପ୍ରତାପ ଦାବି କରିଛନ୍ତି । ଏ ନେଇ ସେ ବଡ଼ ଡାକ୍ତରଖାନା ଅଧୀକ୍ଷକଙ୍କୁ ଲିଖିତଭାବେ ଜଣାଇଛନ୍ତି । ସୂଚନାଯୋଗ୍ୟ ଯେ ୫ ଦିନ ପୂର୍ବେ ସାନଖେମୁଣ୍ଡି ବ୍ଲକ ବ୍ରାହ୍ମଣପଙ୍କ ଗ୍ରାମର ପଦ୍ମାବତୀ ସାହୁଙ୍କ ହୃଦ ସମସ୍ୟା ଦେଖାଦେବାରୁ ପରିବାର ଲୋକେ ତାଙ୍କୁ ବଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଚିକିତ୍ସା ଅବହେଳାରୁ ମା’ ପଦ୍ମାବତୀଙ୍କ ମୃତ୍ୟୁ ହୋଇଥିବା ପୁଅ ଅଭିଯୋଗ କରିଥିଲେ ।