ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଚନାବାହାଲ ଗାଁରେ କ୍ୱାକ୍ ଭୁଲ୍ ଇଞ୍ଜେକ୍ସନ୍ ଦେବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ମୃତ ବ୍ୟକ୍ତିଙ୍କ ନାଁ ଶିବ ମହାନନ୍ଦ । ଅଭିଯୋଗ ଅନୁଯାୟୀ ଆଜି ସକାଳେ ଶିବ ତାଙ୍କ ଘରେ ଟାଙ୍ଗିଆର ଏକ କାଠକୁ ଦୁଇ ଫାଳ କରୁଥିଲେ । ଏହି ସମୟରେ ଟାଙ୍ଗିଆ ତାଙ୍କ ଗୋଡ଼ରେ ବାଜିଥିଲା ଓ ପ୍ରଚୁର ରକ୍ତସ୍ରାବ ହୋଇଥିଲା । ଫଳରେ ପରିବାର ଲୋକେ ନିକଟସ୍ଥ ବାଗବାହାଲି ଗାଁର କ୍ୱାକ୍ ପ୍ରମୋଦ କୁମାର ମହାକୁରଙ୍କୁ ଖବର ଦେଇଥିଲେ ।
ସେ ଘରକୁ ଆସି ଶିବ ମହାନନ୍ଦଙ୍କୁ ଏକ ଇଞ୍ଜେକ୍ସନ ଦେଇଥିଲେ । ଇଞ୍ଜେକ୍ସନ ନେବା ପରେ ଶିବ ମହାନନ୍ଦ ସଙ୍ଗେ ସଙ୍ଗେ ଅଚେତ ହୋଇଯାଇଥିଲେ । କିଛି ସମୟ ପରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହା ଦେଖି କ୍ୱାକ୍ ପ୍ରମୋଦ କୁମାର ମହାକୁର ସେଠାରୁ ଫେରାର ହୋଇଯାଇଥିଲେ । ପରିବାର ଲୋକେ ଶିବ ମହାନନ୍ଦଙ୍କୁ କଣ୍ଟାବାଞ୍ଜି ଡାକ୍ତରଖାନାକୁ ନେଇଥିଲେ । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । କ୍ୱାକ୍ ଭୁଲ୍ ଇଞ୍ଜେକ୍ସନ ଦେବା ଯୋଗୁ ଶିବ ମହାନନ୍ଦଙ୍କର ମୃତ୍ୟୁ ହୋଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । କଣ୍ଟାବାଞ୍ଜି ପୁଲିସ ଘଟଣାର ତଦନ୍ତ କରୁଛି ।