24.1 C
Bhubaneswar
Sunday, October 20, 2024
Homeଓଡିଶାସ୍ଥିତି ପରଖିଲେ ଗଣଶିକ୍ଷା ମନ୍ତ୍ରୀ : ପ୍ରଥମ ଦିନରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ୧୪ ଲକ୍ଷ ୪୨,...

ସ୍ଥିତି ପରଖିଲେ ଗଣଶିକ୍ଷା ମନ୍ତ୍ରୀ : ପ୍ରଥମ ଦିନରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ୧୪ ଲକ୍ଷ ୪୨, ୭୯୦

ଦେବଗଡ଼ରେ ଉପସ୍ଥାନ ୯୧%
ଭୁବନେଶ୍ୱର: ରାଜ୍ୟର ସବୁ ସରକାରୀ ଓ ଘରୋଇ ସ୍କୁଲ ଓ କଲେଜ ଖୋଲିଛି । ୮ମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଅଫ୍‌ଲାଇନ୍ ପାଠପଢ଼ା ଆରମ୍ଭ ହୋଇଛି । ଫଳରେ ରାଜ୍ୟର ସବୁ ସ୍କୁଲ୍ ଚଳଚଞ୍ଚଳ ହୋଇଛି । ଦୀର୍ଘଦିନ ପରେ ସ୍କୁଲ ଯାଉଥିବାରୁ ଛାତ୍ରଛାତ୍ରୀଙ୍କ ଭିତରେ ମଧ୍ୟ ବେଶ୍ ଉତ୍ସାହ ଥିବା ଦେଖିବାକୁ ମିଳିଛି । ତେବେ ୩୭,୫୩୩ଟି ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଉପଜାତି ପରିଚାଳିତ ବିଦ୍ୟାଳୟ ଏବଂ ଅଣ ଅନୁଦାନପ୍ରାପ୍ତ ବେସରକାରୀ ବିଦ୍ୟାଳୟରେ ଅଧ୍ୟୟନରତ ୨୪, ୪୫, ୪୦୭ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରଥମ ଦିବସରେ ୧୪,୪୨,୭୯୦ ଜଣ ଛାତ୍ରଛାତ୍ରୀ ଶ୍ରେଣୀକକ୍ଷରେ ଉପସ୍ଥାନ ରଖିଥିଲେ ।

ଦେବଗଡ଼ ଜିଲ୍ଲାରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ସର୍ବାଧିକ ୮୫% ବିଦ୍ୟାର୍ଥୀଙ୍କ ଉପସ୍ଥାନ ଥିବାବେଳେ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ମଧ୍ୟ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ସର୍ବାଧିକ ୯୧% ରହିଥିଲା । କେନ୍ଦ୍ରାପଡ଼ା ଜିଲ୍ଲାରେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ୭୭% ହୋଇଥିଲା । ଉଚ୍ଚ ମାଧ୍ୟମିକ କ୍ଷେତ୍ରରେ ଦେବଗଡ଼ ସହିତ ବାଲେଶ୍ୱର, ବଲାଙ୍ଗିର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର ଏବଂ ସମ୍ବଲପୁର ଜିଲ୍ଲାରେ ଉପସ୍ଥାନ ହାର ଭଲ ଥିଲା । ମାଧ୍ୟମିକ ସ୍ତରରେ ଅନୁଗୋଳ, କେନ୍ଦ୍ରାପଡ଼ା, କେନ୍ଦୁଝର, କଟକ, ଗଞ୍ଜାମ, ରାୟଗଡ଼ା ଏବଂ ବରଗଡ଼ ଜିଲ୍ଲାରେ ଉପସ୍ଥାନ ଉତ୍ସାହଜନକ ଥିବା ଜଣାଯାଇଛି । ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡ଼ିକରେ  ଉପସ୍ଥାନ ମଧ୍ୟ ଉତ୍ସାହଜନକ ରହିଥିବା ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି ।

ସମସ୍ତ ବିଦ୍ୟାଳୟରେ ଶତପ୍ରତିଶତ ଶିକ୍ଷକ ଏବଂ କର୍ମଚାରୀଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇ ସାରିଛି । ବିଦ୍ୟାଳୟରେ ପଢ଼ୁଥିବା ୧୫ରୁ ୧୮ ବର୍ଷ ବୟସର ପିଲାମାନଙ୍କ ମଧ୍ୟରୁ ୫୫ ପ୍ରତିଶତଙ୍କୁ ଟିକା ଦିଆଯାଇ ସାରିଥିବାବେଳେ ଅବଶିଷ୍ଟ ୪୫ ପ୍ରତିଶତଙ୍କୁ ଖୁବ୍‌ଶୀଘ୍ର ଟିକା ପ୍ରଦାନ କରାଯିବାକୁ ବ୍ୟବସ୍ଥା ହୋଇଛି । ତେବେ ବିଦ୍ୟାଳୟଗୁଡ଼ିକ ଖୋଲିବା ପୂର୍ବରୁ ଶିକ୍ଷକ ଓ ଅନ୍ୟ କର୍ମଚାରୀମାନଙ୍କ ଦ୍ୱାରା ସାନିଟାଇଜେସନ୍ କରାଯାଇଥିଲା । ଶିକ୍ଷକମାନଙ୍କୁ ଥର୍ମାଲ ସ୍କ୍ରିନିଂ, ସାମାଜିକ ଦୂରତା ଏବଂ ମାସ୍କ ପରିଧାନ ପରି ଉପଯୁକ୍ତ କୋଭିଡ୍ ମାର୍ଗଦର୍ଶିକାର କଡ଼ା ଅନୁପାଳନ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି । ଶିକ୍ଷକ ଓ ନିରୀକ୍ଷଣ ଅଧିକାରୀମାନଙ୍କୁ  ବିଦ୍ୟାର୍ଥୀ ଏବଂ କର୍ମଚାରୀଙ୍କ ସ୍ୱାସ୍ଥ୍ୟଜନିତ ସମସ୍ୟା ସମ୍ବନ୍ଧରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି ।

ବିଦ୍ୟାଳୟ ଖୋଲିବା ପରେ କୌଣସି ସମସ୍ୟା ଉପୁଜିଲେ ଏହାକୁ ତଦାରଖ କରିବାକୁ ଓସେପା ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ସେଲ୍ ଖୋଲାଯାଇଛି । ଗତ ରବିବାର ଶିକ୍ଷାନୁଷ୍ଠାନଗୁଡ଼ିକରେ ଥିବା ସମସ୍ତ ହଷ୍ଟେଲଗୁଡ଼ିକ ଖୋଲାଯାଇଥିଲା । କ୍ୟାମ୍ପସ୍‌କୁ ବିଶୋଧନ କରାଯିବା ସହ କ୍ଲାସରୁମ୍‌ରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କିଭଳି ସାମାଜିକ ଦୂରତା ରହିବ ସେନେଇ ବ୍ୟବସ୍ଥା ହୋଇଥିଲା । ସିଟ୍‌ଗୁଡ଼ିକ ମଧ୍ୟରେ ଯଥା ସମ୍ଭବ ଦୂରତା ରକ୍ଷା କରାଯାଇଛି ।

ପ୍ରଥମ ଦିନ ସ୍କୁଲ ପରିଦର୍ଶନ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ମନ୍ତ୍ରୀ ଶ୍ରୀ ଦାଶ ଗୋପ ନିଗମାନନ୍ଦ ହାଇସ୍କୁଲ ପରିଦର୍ଶନ କରିବା ସହ ପାଠପଢ଼ା ଏବଂ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ତେବେ ପ୍ରଥମ ଦିନରେ ୮୦ ପ୍ରତିଶତ ପିଲା ସ୍କୁଲ ଆସିଛନ୍ତି ଏବଂ ଏହା ଏକ ସକାରାତ୍ମକ ସଙ୍କେତ ବୋଲି ସେ କହିଛନ୍ତି । କରୋନା କଟକଣା ମାନି ଶ୍ରେଣୀଗୃହ ପାଠପଢ଼ା ଆରମ୍ଭ ହୋଇଛି । ଯେହେତୁ ପଢ଼ା ଆରମ୍ଭ ହୋଇଛି, ତେଣୁ ଖୁବ୍‌ଶୀଘ୍ର ଦ୍ୱିତୀୟ ସମ୍ମେଟିଭ ପରୀକ୍ଷା ଦେବାକୁ ପିଲାମାନେ ଏକ୍‌ଦମ ପ୍ରସ୍ତୁତ ଥିବା କହିଛନ୍ତି ମନ୍ତ୍ରୀ । କୋର୍ସ ସାରିବା ସମ୍ପର୍କରେ ସେ କହିଛନ୍ତି ଯେ ଏନେଇ କୌଣସି ସମସ୍ୟା ଉପୁଜିବ ନାହିଁ । ଠିକ୍ ସମୟରେ ସରିବ । ଅନ୍‌ଲାଇନରେ ପଢୁଥିବା ପିଲାମାନେ ସେମାନଙ୍କ ଡାଉଟ୍ କ୍ଲିୟର କରିବେ । ଅଭିଭାବକଙ୍କ ଅନୁମତି ନେଇ ସେମାନେ ସ୍କୁଲ ଆସିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking