ଚଣ୍ଡିଗଡ: ପଞ୍ଜାବ ପୁଲିସକୁ ଦୀର୍ଘ ଛଅଦିନ ଧରି ଚକ୍ମା ଦେଇଆସୁଥିବା ଖଲିସ୍ତାନ ନେତା ଅମ୍ରିତପାଲ ସିଂହ ହରିୟାଣାରେ ବୁଲୁଥିବାର ଦୃଶ୍ୟ ସିସିଟିଭି ଫୁଟେଜରୁ ଜଣାପଡିଛି । ଗାଢ ନୀଳରଙ୍ଗର ଜିନ୍ସ ଓ ଧଳା ସାର୍ଟ ପରିଧାନ କରିଥିବା ଅମ୍ରିତପାଲ ଜଣେ ମହିଳାଙ୍କ ଘରୁ ବାହାରୁଥିବାବେଳେ ଏକ ଛତା ସାହାଯ୍ୟରେ ମୁହଁ ଲୁଚାଉଥିବା ସିସିଟିଭି ଫୁଟେଜରୁ ଜଣାପଡିଛି । ପୁଲିସ ଇତିମଧ୍ୟରେ ଅମ୍ରିତପାଲ ଓ ତାହାର ସହଯୋଗୀ ପପଲ୍ପ୍ରୀତ ସିଂହଙ୍କୁ ଆଶ୍ରୟ ଦେଇଥିବା ଅଭିଯୋଗରେ କୁରୁକ୍ଷେତ୍ର ନିବାସୀ ବଲଜିତ କୌର ନାମ୍ନୀ ମହିଳାଙ୍କୁ ଗୁରୁବାର ଗିରଫ କରିଛି ।
ଏହି ଘଟଣା ସୋମବାର ଘଟିଛି ବୋଲି ସିସିଟିଭି ଫୁଟେଜ ଟାଇମିଂରୁ ଜଣାପଡିଛି । ଗିରଫ ପରେ ବଲଜିତ୍ଙ୍କୁ ପଞ୍ଜାବ ପୁଲିସକୁ ହସ୍ତାନ୍ତର କରାଯାଇଛି ବୋଲି କୁରୁକ୍ଷେତ୍ର ଏସ୍ପି ସୂଚନା ଦେଇଛନ୍ତି । ଗତ ଶନିବାରଠାରୁ ପଞ୍ଜାବ ପୁଲିସର ସ୍ୱତନ୍ତ୍ର ଟିମ୍ ଅମ୍ରିତପାଲକୁ ଗିରଫ କରିବାକୁ ଉଦ୍ୟମ ଚଳାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ସଫଳ ହୋଇପାରିନାହିଁ । ଗିରଫଦାରୀ ଏଡାଇବାକୁ ଅମ୍ରିତପାଲ ମୋଟ ୫ଟି ଗାଡି ବଦଳାଇଥିବା ପୁଲିସ ପକ୍ଷରୁ କୁହାଯାଇଛି । ପଞ୍ଜାବ ପୁଲିସର ବିଫଳତାରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିସାରିଛନ୍ତି । ୮୦ ହଜାର ପୁଲିସ କ’ଣ କରୁଛନ୍ତି ବୋଲି ମଧ୍ୟ ହାଇକୋର୍ଟ ପ୍ରଶ୍ନ କରିଛନ୍ତି ।
ପୁଲିସ ପଞ୍ଝାରୁ ବର୍ତ୍ତିବାକୁ ଅମ୍ରିତପାଲ ଇତିମଧ୍ୟରେ ଏକାଧିକ ଥର ଚେହେରା ବଦଳାଇଥିବା ପୁଲିସ ଆଶଙ୍କା କରୁଛି । ପଞ୍ଜାବ ପୁଲିସ ପକ୍ଷରୁ ଏହି ପ୍ରସଙ୍ଗରେ ମଙ୍ଗଳବାର ଅମ୍ରିତପାଲର ୭ଟି ବିଭିନ୍ନ ଡିଜାଇନ୍ର ଫଟୋ ଜାରି କରାଯାଇଛି । ସେ ବିଭିନ୍ନ ସମୟରେ କାର୍ ବଦଳାଉଥିବାବେଳେ ନିଜର ପୋଷାକ ମଧ୍ୟ ପରିବର୍ତ୍ତନ କରୁଥିବା ଦେଖାଯାଇଛି ।
ଦାଢି ଓ କେଶ କାଟିଥିବାରୁ ଅମ୍ରିତପାଲକୁ ଚିହ୍ନିବା କଷ୍ଟକର ହୋଇପଡୁଛି ବୋଲି ପୁଲିସ କହିଛି । ପୁଲିସ ଇତିମଧ୍ୟରେ ଅମ୍ରିତପାଲର ୧୨୫ ଜଣ ସମର୍ଥକଙ୍କୁ ଗିରଫ କରିସାରିଥିବାବେଳେ ଏକାଧିକ କାର୍ ଓ ବାଇକ୍ ଜବତ କରିସାରିଛି । ଅମ୍ରିତପାଲର ନେତୃତ୍ୱରେ ପରିଚାଳିତ ‘ୱାରିସ ପଞ୍ଜାବ ଦେ’ ସଂଗଠନର ଏକାଧିକ ସଦସ୍ୟଙ୍କ ବିରୋଧରେ ଏନ୍ଏସ୍ଏ (ଜାତୀୟ ନିରାପତ୍ତା ଆଇନ) ଲାଗୁ କରାଯାଇଛି ।