ଭୁବନେଶ୍ବର: କଟକ-ଭୁବନେଶ୍ୱର କମିଶନରେଟ ପୁଲିସର ଆଜି ହେଉଛି ୧୨ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ କମିଶନରେଟ ପୁଲିସ ନୂଆ କାର୍ଯ୍ୟକ୍ରମ ହାତକୁ ନେଇଛି । ଏଥିରେ ମହିଳା ସଶକ୍ତିକରଣକୁ ଗୁରୁତ୍ୱ ଦେବା ସହ ମହିଳାମାନଙ୍କୁ ସମ୍ମାନ ଦେବା ପାଇଁ କଠୋର ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି କରିଛି । ଏନେଇ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ମହିଳାମାନଙ୍କୁ ହଇରାଣ କରୁଥିବା ଯୁବକ ଓ ବ୍ୟକ୍ତିମାନଙ୍କ ପାଇଁ କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି ।
ଏଣିକି ମହିଳାଙ୍କୁ କମେଣ୍ଟ କିମ୍ବା ହଇରାଣ ହରକତ କଲେ ଆଉ ନିସ୍ତାର ପାଇବେନି ରୋଡ୍ ରୋମିଓ। ଅଭିଯୋଗରେ ସତ୍ୟତା ଥିଲେ ଉକ୍ତ ଯୁବକଙ୍କୁ ବର୍ଷେ ପାଇଁ ତଡ଼ିପାର କରାଯିବ। ଏଥିସହ ମହିଳା ଏସପିଓ ନିଯୁକ୍ତ କରାଯାଇ ସେମାନଙ୍କୁ ପୁଲିସ କ୍ଷମତା ମଧ୍ୟ ଦେବାର ପଦକ୍ଷେପ ନିଆଯାଇଛି ।
ଏଥିପାଇଁ କମିସନରେଟ୍ ପୁଲିସ୍ ପକ୍ଷରୁ ସାଧାରଣ ମହିଳାଙ୍କୁ ନେଇ ଏକ ସ୍ବତନ୍ତ୍ର ପୁଲିସ ଅଫିସର ବା ଏସପିଓ ଭାବେ ନିଯୁକ୍ତି ଦିଆଯାଇଛି। ଯେଉଁଥିରେ ପାଖାପାଖି ୨୪୬ଜଣ ମହିଳା ସାମିଲ ହୋଇଛନ୍ତି। ତେବେ ବଡ଼ କଥା ହେଉଛି, ଏହି ଏସପିଓମାନେ ପୁଲିସକୁ ସବୁପ୍ରକାରର ସୂଚନା ଦେବେ। ଏପରିକି ସେମାନେ ଚାହିଁଲେ ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରିପାରିବେ। ଏଥିପାଇଁ ଏମାନଙ୍କୁ ସାମିୟକ ଭାବେ ୩ମାସ ପାଇଁ ନିଯୁକ୍ତି ଦିଆଯାଇଛି। କାହାକୁ ସୁରକ୍ଷା ଦରକାର, କେଉଁଠି ମହିଳାଙ୍କ ଉପରେ ଅତ୍ୟାଚାର ହେଉଛି ଏସବୁ ଦିଗରେ କଡ଼ା ନଜର ରଖିବେ ଏସପିଓର ସଦସ୍ୟମାନେ।
ଝିଅମାନଙ୍କୁ ରାସ୍ତାରେ କମେଂଟ ବା ହଇରାଣ ହରକତ କରୁଥିବା ନଜର ଆସିଲେ ତାକୁ ଏକ ନାଲିକାର୍ଡ ନୋଟିସ ଦିଆଯିବା ସହ ସେହି ଯୁବକର ଅଭିଭାବକ କିମ୍ବା ଓକିଲ ଏବାବଦରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯିବ। ଆଉ ଯଦି ସେମାନଙ୍କ ଉତ୍ତର ସନ୍ତୋଷଜନକ ନହୁଏ ତେବେ ଉକ୍ତ ଯୁବକ ଜଣକ ଯେଉଁ ଜାଗାରେ ମହିଳାଙ୍କୁ ହଇରାଣ ବା କମେଂଟ ମାରୁଥିଲେ ସେଠାରୁ ତାଙ୍କୁ ସ୍ବତନ୍ତ୍ର ଆଇନ ବଳରେ ବର୍ଷେ ଯାଏଁ ସେ ସ୍ଥାନକୁ ଆସିବାକୁ ନିଷିଦ୍ଧ କରାଯିବ ବା ବର୍ଷେ ପାଇଁ ଉକ୍ତ ସ୍ଥାନରୁ ତଡ଼ିପାର କରାଯିବ ବୋଲି କହିଛନ୍ତି ପୁଲିସ୍ କମିସନର ସୁଧାଂଶୁ ଷଡଙ୍ଗୀ।