33.1 C
Bhubaneswar
Friday, May 3, 2024
Homeଓଡିଶାମହାନଦୀରେ ଆସୁଛି ବନ୍ୟା : ୧୭ରେ ପୁଣି ଘୁର୍ଣ୍ଣିବଳୟ

ମହାନଦୀରେ ଆସୁଛି ବନ୍ୟା : ୧୭ରେ ପୁଣି ଘୁର୍ଣ୍ଣିବଳୟ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି; ଯେଉଁଥିରେ ଲକ୍ଷ ଲକ୍ଷ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି । ଗତ ୨୪ ଘଣ୍ଟା ହେଲା ରାଜ୍ୟରେ ବର୍ଷା କମିଛି, ହେଲେ ହୀରାକୁଦ ଉପର ମୁଣ୍ଡରେ ପ୍ରବଳ ବର୍ଷା ହୋଇଛି । ବୁଧବାର ହୀରାକୁଦ ଓ ମହାନଦୀର ଜଳସ୍ତର ନେଇ ଏସ୍‌ଆର୍‌ସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ସେ କହିଛନ୍ତି, ହୀରାକୁଦ ଜଳସ୍ତର ୬୨୮ ଫୁଟ୍ ଟପିବା ପରେ ଅଧିକ ସଂଖ୍ୟାରେ ଗେଟ୍ ଖୋଲାଯାଇ ଯେତିକି ପାଣି ଆସୁଛି ସେତିକି ନିଷ୍କାସନ କରାଯାଉଛି । ତେଣୁ ମହାନଦୀରେ ଏକ ଛୋଟ ବା ମଧ୍ୟମ ଧରଣର ବନ୍ୟା ଆସିବା ନେଇ ଆଶଙ୍କା କରାଯାଉଛି ।

ତଳିଆ ଅଞ୍ଚଳରେ ସ୍ଥିତି ବେଶି ଖରାପ ହେବାର ସମ୍ଭାବନା ନାହିଁ । ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ଜଣାଯାଇଛି ଯେ ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପର ମୁଣ୍ଡରେ ୪୨.୮୧ ମିମି ଓ ତଳମୁଣ୍ଡରେ ୧୦.୮୭ ମିମି ବର୍ଷା ହୋଇଛି । ଘଣ୍ଟାକୁ ଜଳଭଣ୍ଡାର ମଧ୍ୟକୁ ପ୍ରାୟ ୪ ଲକ୍ଷ କ୍ୟୁସେକ୍ ପାଣି ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ସମାନ ପରିମାଣର ଜଳ ନିଷ୍କାସନ ଜାରି ରହିଛି । ବୁଧବାର ପର୍ଯ୍ୟାୟକ୍ରମେ ହୀରାକୁଦର ୨୮ ଗେଟ୍ ଖୋଲିଛି । ଉଭୟ ବାମ ଓ ଡାହାଣ ସ୍ପିଲ୍‌ୱେ’ର ସୁଇସ୍ ଗେଟ୍ ଦେଇ ପାଣି ମହାନଦୀକୁ ନିଷ୍କାସିତ ହେଉଥିଲାବେଳେ ପାୱାର ଚାନେଲ୍‌, ବିଭିନ୍ନ କେନାଲ ଓ ଶିଳ୍ପସଂସ୍ଥା ପାଇଁ ଜଳ ଛଡ଼ା ଯାଉଛି । ହୀରାକୁଦ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ୬୨୮.୩୩ ଫୁଟ୍ ରଖାଯାଉଛି ବୋଲି ପ୍ରକାଶ କରାଯାଇଛି । ରାଜ୍ୟ ଜଳ ସମ୍ପଦ ବିଭାଗ ପକ୍ଷରୁ ହସ୍ତଗତ ତଥ୍ୟ ମୁତାବକ, ଅଧିକ ଗେଟ୍ ଖୋଲିବା ପରେ ମୁଣ୍ଡଳିରେ ବୁଧବାର ସନ୍ଧ୍ୟା ୮ଟା ସୁଦ୍ଧା ୭ ଲକ୍ଷ କ୍ୟୁସେକ ଜଳ ନିଷ୍କାସିତ ହେଉଛି ।

ଜାରକା ଜଳସେଚନ ଡିଭିଜନର ବ୍ରାହ୍ମଣୀ ନଦୀ ବନ୍ଧରେ ୩ଟି ଘାଇ ସୃଷ୍ଟି ହୋଇଛି । ଯାଜପୁର ଜିଲ୍ଲା ରସୁଲପୁର ବ୍ଲକର ବନ୍ଧଡ଼ିହଠାରେ ବ୍ରାହ୍ମଣୀ ଦକ୍ଷିଣ ପାର୍ଶ୍ୱରେ ୧୦ ମିଟର ଘାଇ ସୃଷ୍ଟି ହୋଇଥିବାବେଳେ ବରୀର ମାଟିଆପଡ଼ାଠାରେ ତଥା ବ୍ରାହ୍ମଣୀର ବାମ ପାର୍ଶ୍ୱରେ ୧୧ ମିଟର ଘାଇ ସୃଷ୍ଟି ହୋଇଛି । ଖୋର୍ଦ୍ଧା ଜଳସେଚନ ଡିଭିଜନର ଟାଙ୍ଗି ବ୍ଲକ କରିପଡାଠାରେ କୁଶୁମିଧାର ନଦୀରେ ୩୦ ମିଟର ଘାଇ ସୃଷ୍ଟି ହୋଇଛି । ବୁଧବାର ସନ୍ଧ୍ୟା ୮ଟା ସୁଦ୍ଧା ନରାଜଠାରେ ମହାନଦୀର ଜଳସ୍ତର ବଢ଼ୁଥିବା ନଜରକୁ ଆସିଛି । ନରାଜରେ ୨୬.୪୧ ମିଟର ବିପଦ ସଙ୍କେତ ଥିବାବେଳେ ୨୫.୭୫ ମିଟର ଉଚ୍ଚରେ ଜଳ ପ୍ରବାହିତ ହୋଉଛି । ସେହିପରି ବ୍ରାହ୍ମଣୀ ନଦୀର ୩ ସ୍ଥାନରେ ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି । ବୈତରଣୀ ଆଖୁଆପଦାଠାରେ ଜଳସ୍ତର ବିପଦ ସଙ୍କେତ ଟପିଛି ।

୧୭.୮୩ ମିଟର ବିପଦ ସଙ୍କେତ ଥିବାବେଳେ ସେଠାରେ ଜଳସ୍ତର ୧୮.୨୬ ମିଟରରେ ସ୍ଥିର ରହିଛି । ବୁଢାବଳଙ୍ଗ ନଦୀର ଏନ୍‌ଏଚ୍ ୫ଠାରେ ବିପଦ ସଙ୍କେତ ୮.୧୩ ମିଟର ଥିବାବେଳେ ସେଠାରେ ଜଳସ୍ତର ୭.୬୬ ମିଟର ରହିଛି । ସେହିପରି ବଂଶଧରା ଓ ଋଷିକୁଲ୍ୟା ନଦୀର ଜଳସ୍ତର ମଧ୍ୟ ସ୍ଥିର ରହିଥିବାବେଳେ ବାଲେଶ୍ୱର ମଥାନିଠାରେ ଜଳକା ନଦୀର ଜଳସ୍ତର ୬.୬୦ ମିଟରରେ ପ୍ରବାହିତ ହେଉଛି । କ୍ରମଶଃ ଏହାର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏଠାରେ ବିପଦ ସଙ୍କେତ ୫.୫୦ ମିଟର ରହିଛି । ଖାଲି ସେତିକି ନୁହେଁ, ସୁବର୍ଣ୍ଣରେଖା ନଦୀର ଜଳସ୍ତର ରାଜଘାଟ ଓ ଜାମସୋଲାଘାଟଠାରେ ମଧ୍ୟ ବଢ଼ିବାରେ ଲାଗିଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି ।
ପ୍ରାଥମିକ ତଥ୍ୟ ମୁତାବକ ରାଜ୍ୟରେ ମୋଟ ୬ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ୨ ଜଣ ବ୍ୟକ୍ତି ନିଖୋଜ ଅଛନ୍ତି ।

କେନ୍ଦ୍ରପଡା ଜିଲ୍ଲାରେ ୩ ବ୍ୟକ୍ତି କାନ୍ଥ ପଡ଼ି ଏବଂ ଖୋର୍ଦ୍ଧା, ଗଞ୍ଜାମ, ସୁବର୍ଣ୍ଣପୁର ଜିଲ୍ଲାରେ ଜଣେ ଲେଖା ମୃତ୍ୟୁବରଣ କରିଛନ୍ତି । କଟକ ଓ ବଲାଙ୍ଗିରରୁ ଜଣେ ଲେଖା ବ୍ୟକ୍ତି ନିଖୋଜ ଅଛନ୍ତି । ବୃଷ୍ଟିପାତ ଯୋଗୁଁ ରାଜ୍ୟର ୨୪ ଜିଲ୍ଲାର ମୋଟ ୧୩୯ ବ୍ଲକ ଅନ୍ତର୍ଗତ ୪୯୬୪ ଗ୍ରାମ ଓ ୩୩ ପୌରପରିଷଦ ପ୍ରଭାବିତ ହୋଇଛି । ମୋଟ ୨୩ ଲକ୍ଷ ୮୨ ହଜାର ୭୯୫ ଲୋକ ବିପନ୍ନ ହୋଇଥିବାବେଳେ ୭୫୪୦ ବାସଗୃହ କ୍ଷତିଗ୍ରସ୍ତ ହୋଇଛି । ପ୍ରାୟ ୧ ଲକ୍ଷ ୨୨ ହଜାର ୪୫୮ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି । ୨୦,୫୫୨ ଜଣଙ୍କୁ ତଳିଅଞ୍ଚଳରୁ ଉଦ୍ଧାର କରାଯାଇ ଅସ୍ଥାୟୀ ଆଶ୍ରୟସ୍ଥଳରେ ଥଇଥାନ କରାଯାଇଥିବାବେଳେ ସ୍ଥାନାନ୍ତରିତ ଲୋକମାନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି । ପ୍ରାୟ ୧୫୦ ମାଗଣା ଭୋଜନ କେନ୍ଦ୍ର ଖୋଲା ହୋଇଛି । ସେପଟେ ଯାଜପୁର ବରୀ ବ୍ଲକ ବାଲିଆ ସ୍ୱାଇଁଖଣ୍ଡ ନିକଟରେ ଆଉ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ବାପ-ପୁଅ ପାଣି ସୁଅରେ ଭାସି ଯାଇଛନ୍ତି ।

ସେମାନେ ହେଲେ ଗଙ୍ଗାଧରପୁରର କୁଶ ସିଂ ଓ ତାଙ୍କ ପୁଅ କୈଳାସ ସିଂ । ନିଜ ଗାଈକୁ ଧରି ଫେରୁଥିବା ବେଳେ ବାପା କୁଶ ସିଂ ବର୍ଷାପାଣିରେ ଭାସିଯିବା ପରେ ବାପାଙ୍କୁ ଉଦ୍ଧାର କରିବା ଉଦ୍ୟମରେ ପୁଅ ମଧ୍ୟ ଭାସିଯାଇଥିବା ଜଣାପଡ଼ିଛି । ଅଗ୍ନିଶମ ବାହିନୀର ସ୍ୱତନ୍ତ୍ର ଟିମ୍ ଘଟଣା ସ୍ଥଳରେ ପହଞ୍ଚି ବାପପୁଅ ଉଭୟଙ୍କୁ ଖୋଜାଖୋଜି କରିଛି । ବହୁ ଖୋଜାଖୋଜି ପରେ ବାପ ପୁଅଙ୍କ ପତ୍ତା ମିଳିପାରି ନାହିଁ । ସ୍ଥିତିର ମୁକାବିଲା ପାଇଁ ବାଲଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ମୋଟ ୫ ଓଡିଆର୍‌ଏଫ୍ ଟିମ୍ ଓ ୨ ଏନ୍‌ଡିଆର୍‌ଏଫ୍ ଟିମ୍ ନିୟୋଜିତ ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ କ୍ଷତିଗ୍ରସ୍ତଙ୍କୁ ସହାୟତା ରାଶି ଖୁବଶୀଘ୍ର ଯୋଗାଇ ଦିଆଯିବ । ସହାୟତା ରାଶି ସହ ବାଲିଚର ସହାୟତା, କୃଷିଭିତ୍ତିକ ସହାୟତା ଏବଂ ମୃତ ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ଅନୁକମ୍ପା ମୂଳକ ସହାୟତା ରାଶି ଯୋଗାଇ ଦିଆଯିବ ବୋଲି ଏସଆରସି ଶ୍ରୀ ଜେନା କହିଛନ୍ତି । ଏହାଛଡ଼ା ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଭିତ୍ତିଭୂମିର ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ତୁରନ୍ତ ସାରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking