ଭୁବନେଶ୍ୱର : ଆଜି ଓଡ଼ିଶା-ମୋ ପରିବାର ମାଧ୍ୟମରେ ବିଭିନ୍ନ ଦୁର୍ଘଟଣାରେ ନିଜର ଅଙ୍ଗ ହରାଇଥିବା ଚାରିଜଣ ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ଯୋଗାଇ ଦିଆଯାଇଛି ।
ସୂଚନାନୁସାରେ, ଯାଜପୁର ଜିଲ୍ଲା କୁଆଖିଆ ଅଞ୍ଚଳର ୪୯ବର୍ଷିୟ ମହେନ୍ଦ୍ର କୁମାର ଆଇଚ ଙ୍କର,୨୦୧୪ ମସିହାରେ ହୃଦ୍ ଘାତ ଏବଂ ଗୋଡରେ ସଂକ୍ରମଣ ହୋଇଥିବା ବେଳେ ତାଙ୍କୁ କଟକ ଶାନ୍ତି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ପରବର୍ତ୍ତୀ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲକୁ ପଠାଯାଇଥିଲା । ତାଙ୍କର ସଂକ୍ରମଣକୁ ରୋକିବା ପାଇଁ ଦୁର୍ଭାଗ୍ୟବଶତଃ, ଡାହାଣ ଗୋଡର ଆଣ୍ଠୁ ଉପରକୁ କାଟି ଦିଆଯାଇଥିଲା । ସେ ଏକ ହସ୍ପିଟାଲରୁ କୃତ୍ରିମ ଗୋଡ଼ ଲଗାଇଥିଲେ । କିନ୍ତୁ, ତାହା ତାଙ୍କୁ ଆରାମଦାୟକ ଲାଗିନଥିଲା । ଓଡ଼ିଶା-ମୋ ପରିବାର ପକ୍ଷରୁ କୃତ୍ରିମ ଅଙ୍ଗ ଯୋଗାଣ ସମ୍ପର୍କରେ ଖବର ପାଇବା ପରେ, ତାଙ୍କୁ ଏକ କୃତ୍ରିମ ଗୋଡ଼ ଯୋଗାଇ ଦେବାକୁ ବିଜୁ ଜନତା ଦଳ ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ(ଓଡ଼ିଶା-ମୋ ପରିବାର)ଙ୍କୁ ଅନୁରୋଧ କରିଥିଲେ । ଠିକ୍ ସେହିପରି,ଅନ୍ୟ ୩ଜଣ ଭିନ୍ନକ୍ଷମ, ଶ୍ୟାମ ସୁନ୍ଦର ନାୟକ (୪୮)ବର୍ଷ, ଲକ୍ଷ୍ମୀପ୍ରିୟା ସାହୁ(୪୧)ବର୍ଷ ଏବଂ ପ୍ରଶାନ୍ତ କୁମାର ସ୍ଵାଇଁ(୬୦)ବର୍ଷବିଭିନ୍ନ ଦୁର୍ଘଟଣାରେ ନିଜର ହାତ ଓ ଗୋଡ଼ ହରାଇ ବେସାହାରା ହୋଇଯାଇଥିଲେ । ହାତ ଓ ଗୋଡ଼ ବିନା ଜୀବନ ଜିଇବା ଯେ କେତେ କଷ୍ଟକର, ସେ କଥା ଏମାନଙ୍କ ମୁହଁରୁ ସ୍ପଷ୍ଟ ବାରି ହୋଇ ପଡୁଥିଲା । ନିଜର ଦୈନନ୍ଦିନ କାମ କରିବା ପାଇଁ ଏମାନେ ଅନ୍ୟମାନଙ୍କ ଉପରେ ଭରଷା କରୁଥିଲେ, ଯାହାକି ସେମାନଙ୍କୁ ଅତି ଦୁଃଖ ଦେଉଥିଲା । ଏହି ଭିନ୍ନକ୍ଷମ ବ୍ୟକ୍ତି ମାନେ ଓଡ଼ିଶା-ମୋ ପରିବାର ପକ୍ଷରୁ କୃତ୍ରିମ ଅଙ୍ଗ ଯୋଗାଣ ସମ୍ପର୍କରେ ସୂଚନା ପାଇବା ପରେ କୌଣସି ପ୍ରକାରେ ଓଡ଼ିଶା-ମୋ ପରିବାର ହେଲ୍ପଲାଇନ ଏବଂ ଶ୍ରୀ ସାମନ୍ତରାୟଙ୍କୁ ଯୋଗାଯୋଗ କରିଥିଲେ । ଏମାନଙ୍କର କରୁଣ କାହାଣୀ ସମ୍ପର୍କରେ ସୂଚନା ପାଇବା ପରେ ଓଡ଼ିଶା-ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇ କ୍ୟାପିଟାଲ ହସ୍ପିଟାଲ ପରିସରଭୁକ୍ତ ଏ.ଆର.ସି ସହିତ ସମନ୍ଵୟ ରକ୍ଷା କରି ଚାରିଜଣଙ୍କୁ ଆଜି କୃତ୍ରିମ ଅଙ୍ଗ ଯୋଗାଇ ଦିଆଯାଇଛି । କୃତ୍ରିମ ଅଙ୍ଗ ଲାଗିବା ସମୟରେ ଶ୍ରୀ ସାମନ୍ତରାୟଙ୍କ ସମେତ ସ୍ୱାସ୍ଥ୍ୟ ଉପଦେଷ୍ଟା ଡ଼ଃ ସତ୍ୟଜିତ ଦାଶ(ଓଡ଼ିଶା-ମୋ ପରିବାର), ଯୁବ ସମାଜସେବୀ ଅଶ୍ଵିନୀ ସେଠୀ ଏବଂ ଓଡ଼ିଶା-ମୋ ପରିବାରର ସଦସ୍ୟମାନେ ଉପସ୍ଥିତ ଥିଲେ ।
କୃତ୍ରିମ ଅଙ୍ଗ ଲାଗିବା ପରେ ଚାରିଜଣ ଭିନ୍ନକ୍ଷମଙ୍କ ମୁହଁରେ ଖୁସିର ଲହରୀ ଖେଳିଯାଇଥିଲା । ସେମାନେ ଏଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା-ମୋ ପରିବାରକୁ ଅଶେଷ ଧନ୍ୟବାଦ ଜଣାଇଥିଲେ ।