ଭୁବନେଶ୍ୱର: ଓଡ଼ିଶାର ପଶ୍ଚିମାଞ୍ଚଳର ଏକ ପାରମ୍ପରିକ ଗଣପର୍ବ ନୂଆଖାଇ। ଏହା ନବାନ୍ନ ଭାବେ ମଧ୍ୟ ଜଣାଶୁଣା। ଏହି ପର୍ବକୁ ସାଧାରଣତଃ ଧାନ ଅମଳର ଖୁସିରେ ପାଳନ କରାଯାଏ।
ପାଞ୍ଜି ଅନୁସାରେ ଏହା ଭାଦ୍ରବ ମାସର ଶୁକ୍ଳ ପଞ୍ଚମୀ ତିଥିରେ (ଗଣେଶ ଚତୁର୍ଥୀର ପରଦିନ) ପାଳିତ ହୋଇଥାଏ। ଏହି ଦିନ ପ୍ରତି ଗ୍ରାମରେ ଅକାଣ୍ଡିଆ ଚାଉଳର କ୍ଷୀରି ରନ୍ଧାଯାଏ ଯାହାକୁ “ନବାନ୍ନ” ବା “ନବାର୍ଣ୍ଣ” ବୋଲି କୁହାଯାଏ। ଗ୍ରାମର ଦେହୁରୀ ସେହି ନବାନ୍ନକୁ ପୂର୍ବଜମାନଙ୍କୁ ଅର୍ପଣ କରିଥାନ୍ତି ଆଉ ଭୋଗ ରୂପେ ସମସ୍ତଙ୍କୁ ବାଣ୍ଟିଥାନ୍ତି।
ଓଡ଼ିଶାର ପ୍ରତ୍ୟେକ ପର୍ବ କୃଷି ସହିତ ଜଡିତ ଥିବା ବେଳେ ‘ନୂଆଖାଇ’ ମଧ୍ୟ ସେଥିରୁ ଗୋଟିଏ। ଧାନ ଅମଳର ଖୁସିରେ ଚାଷୀମାନେ ଏହାକୁ ପାଳନ କରିଥାନ୍ତି। ବର୍ଷା ଶେଷ ହେବାପରେ ଶରତ ଋତୁ ଧରା ପୃଷ୍ଠରେ ଅବତରଣ କରେ। ଏହି ସମୟରେ ଚାଷୀ ଜମିରେ ବେଉଷଣ କାମ ଆରମ୍ଭ କରେ ଓ ପରେ ସହଳ ଅମଳକ୍ଷମ ଧାନ ଗର୍ଭଧାରଣ କରି କେଣ୍ଡା ପକେଇବାର କାମ କରିଥାଏ।
ଚାଷୀ ପ୍ରଥମକରି ଅମଳକ୍ଷମ ଧାନକୁ ଇଷ୍ଟଦେବୀଙ୍କଠାରେ ସମର୍ପଣ କରିବାକୁ ହିଁ ନବାନ୍ନ ଭକ୍ଷଣ କୁହାଯାଏ। ଏହାକୁ ପଶ୍ଚିମ ଓଡ଼ିଶାର ଆଞ୍ଚଳିକ ଭାଷାରେ ‘ନୂଆଁଖାଇ’ କୁହାଯାଏ। ନୂଆଖାଇ ପାଳନ ନିମନ୍ତେ ଆଗରୁ “ଲଗ୍ନ” ବା “ତିଥି” ନିର୍ଣ୍ଣୟ କରି ପୂଜା ଆଦି ସହ ଆରିସା ପିଠା ଭୋଗ କରାଯାଇଥାଏ।
ନୂଆଖାଇ ଏକ ଗଣପର୍ବ। ଗ୍ରାମ ବା ସହରର ପଡ଼ା ଅଞ୍ଚଳରେ ନୂଆଖାଇ ଦିନ ନବାନ୍ନ ଦେଇ ପୂଜା ବିଧି ସମାପ୍ତ ହେବା ପରେ ପରିବାରର ମୁଖ୍ୟଙ୍କ ହାତରୁ ସମସ୍ତେ ନବାନ୍ନ ଭୋଗ ଗ୍ରହଣ କରନ୍ତି। ଏହାକୁ ଖାଇ ପରିବାରର ସମସ୍ତ ସଦସ୍ୟ ବୟସ୍କମାନଙ୍କୁ ଭୂମିଷ୍ଠ ପ୍ରଣାମ ସହ ଆଶୀର୍ବାଦ ଗ୍ରହଣ କରନ୍ତି। ପରେ ପିଠା ପଣା ସହ ନବାନ୍ନ ଭୋଜି ଖାଇ ଗ୍ରାମ ବା ପଡ଼ୋଶୀରେ ଥିବା ସମସ୍ତ ବୟୋଜ୍ୟେଷ୍ଠମାନଙ୍କୁ ଭେଟି ପ୍ରଣାମ କରିଥାନ୍ତି।
ଏହି ସମୟରେ ଗ୍ରାମର ଲୋକମାନେ ନିଜ ଭିତରେ ପୂର୍ବରୁ ଥିବା ଭେଦ ଭାବ ଭୁଲି ଯାଇଥାନ୍ତି। ପରିବାର ମଧ୍ୟରେ ଥିବା ମତଭେଦ ମଧ୍ୟ ଏହି ସମୟରେ ସମାଧାନ ହୋଇଥାଏ। ସମସ୍ତେ ପୁଣି ଏକଜୁଟ ହୋଇଯାଆନ୍ତି ଆଉ ମିଳିମିଶି ରହନ୍ତି। ଏହା ହେଉଛି ନୂଆଖାଇ ପର୍ବର ଏକ ବିଶେଷତା।
ନୂଆଖାଇ ପରଦିନକୁ ନୂଆଖାଇ ବାସି ବୋଲି କୁହାଯାଏ। ଏହି ଦିନଟିକୁ ମଉଜ ମଜଲିସର ଦିନ ଭାବେ ପାଳନ କରାଯାଏ। ନୂଆଖାଇ ଦିନ ନିଜର ଇଷ୍ଟଦେବୀଙ୍କୁ ଭୋଗଲାଗି କରୁଥିବାରୁ ସେଦିନ ପ୍ରାୟତଃ କେହି ଆଇଁଷ ଖାଆନ୍ତି ନାହିଁ। ସେଥିପାଇଁ ଏହି ଦିନକୁ ପାଳନ କରାଯାଏ।
ଏହିଦିନ ବଳକା ନବାନ୍ନ, କ୍ଷୀରି-ପିଠା ଖିଆହେବା ସହ ମାଂସ ରନ୍ଧାଯାଇଥାଏ। ବାସି ପରଦିନ “ତିଆସି” ପାଳନ ହୁଏ ଓ ଏହିଦିନ ଗ୍ରାମବାସୀମାନେ ମାଂସ ସମେତ ବିଭିନ୍ନ ଖାଦ୍ୟ ଓ ମଦ୍ୟ ପାନକରି ଓ ପାରମ୍ପରିକ ଖେଳ (ଯଥା ଡୁଡୁ, ଖୋଖୋ, ବାଡ଼ି-ଖିଚା, କୁସ୍ତି) ଖେଳି ସମୟ ଅତିବାହିତ କରିଥାନ୍ତି।