26.1 C
Bhubaneswar
Tuesday, September 17, 2024
Homeଅପରାଧଆୟ ବହିର୍ଭୂତ ସମ୍ପତ୍ତି; ନବରଙ୍ଗପୁର ଅତିରିକ୍ତ ଉପ ଜିଲାପାଳଙ୍କ କୁବେର ଖଜାନା

ଆୟ ବହିର୍ଭୂତ ସମ୍ପତ୍ତି; ନବରଙ୍ଗପୁର ଅତିରିକ୍ତ ଉପ ଜିଲାପାଳଙ୍କ କୁବେର ଖଜାନା

– ନଗଦ ୩ କୋଟି ୨ ଲକ୍ଷ ଜବତ
ଭୁବନେଶ୍ୱର: ରାଜ୍ୟ ଭିଜିଲାନ୍ସକୁ ଆଜି ବଡ ଧରଣର ସଫଳତା ମିଳିଛି । ଭିଜିଲାନ୍ସ ହାତରେ ଲାଗିଛି ନବରଙ୍ଗପୁର ଅତିରିକ୍ତ ଉପ ଜିଲାପାଳ ପ୍ରଶାନ୍ତ ରାଉତଙ୍କ କୁବେର ଖଜାନା । ଏତେ ଟଙ୍କା ସେ କେଉଁଠୁ ଆଣିଲେ ଏବଂ ତାଙ୍କ କୁବେର ଖଜାନା ସମ୍ପର୍କରେ କିଏ ଭିଜିଲାନ୍ସକୁ ଖବର ଦେଲା ସେନେଇ ଦିନତମାମ ଚର୍ଚ୍ଚା ଲାଗି ରହିଛି । ଶୁକ୍ରବାର ସକାଳୁ ସକାଳୁ ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ରାଜ୍ୟ ଭିଜିଲାନ୍ସର ଏକ ଟିମ୍ ପ୍ରଶାନ୍ତଙ୍କ କାନନବିହାରସ୍ଥିତ ଘର ଭିତରକୁ ପଶିଥିଲେ । ଆଉ ସେଠାରେ ପହଞ୍ଚିବା ପରେ ପ୍ରଶାନ୍ତଙ୍କ ପାଖରେ ବିଡ଼ା ବିଡ଼ା ଟଙ୍କା ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ । ଘରର ବିଭିନ୍ନ ପାଶ୍ୱର୍ରେ ଟଙ୍କା ଇଆଡ଼େ ସିଆଡ଼େ ଖେଳାଇ ହୋଇ ପଡ଼ିଥାଏ । ଏତେ ଟଙ୍କା ଗଣିବା ଭିଜିଲାନ୍ସ କର୍ମଚାରୀଙ୍କ ପକ୍ଷେ ସମ୍ଭବ ହୋଇ ନ ଥିଲା । ତେଣୁ ମେସିନ୍ ବ୍ୟବହାର କରାଯାଇଥିଲା ।

ଏବେ ପର୍ଯ୍ୟନ୍ତ ୩ କୋଟି ୨ ଲକ୍ଷ ଟଙ୍କା ଭିଜିଲାନ୍ସ ହାତରେ ଲାଗିଲାଣି । ଭିଜିଲାନ୍ସ ଇତିହାସରେ ଏହା ଦ୍ୱିତୀୟ ବୃହତମ ରେଡ଼୍ ବୋଲି କୁହାଯାଉଛି । ଗତ ୨୦୨୨ରେ ଇଞ୍ଜିନିୟର କାର୍ତ୍ତିକେଶ୍ୱର ରାଉଳଙ୍କ ଘରୁ ୩ କୋଟି ୪୧ ଲକ୍ଷ ନଗଦ ଟଙ୍କା ମିଳିଥିଲା । ଭିଜିଲାନ୍ସ ନିଜ ରେକର୍ଡ ଭାଙ୍ଗୁ ଭାଙ୍ଗୁ ଅଳ୍ପକେ ରହିଗଲା । କେବଳ ଭୁବନେଶ୍ୱର କାନନବିହାର ଘରୁ ୨ କୋଟି ୧୩ ଲକ୍ଷ ୩୭ ହଜାର ୫୦୦ଟଙ୍କା ମିଳିଥିଲା । ସେହପରି ନବରଙ୍ଗପୁରରୁ ୮୮ ଲକ୍ଷ ୯୩ ହଜାର ୩୦୦ଟଙ୍କା ମିଳିଛି । ଭୁବନେଶ୍ୱର, ନବରଙ୍ଗପୁରର ଏବଂ ଭଦ୍ରକ ଜିଲ୍ଲାର ୯ଟି ଠିକଣା ଉପରେ ଭିଜିଲାନ୍ସ ରେଡ୍ କରିଥିଲା । ରେଡ୍ ବେଳେ ଅତିରିକ୍ତ ଉପ ଜିଲାପାଳ ପଡୋଶୀଙ୍କ ସହାୟତାରେ ଟଙ୍କା ଛପାଇବାକୁ ବହୁ ଚେଷ୍ଟା କରି ଶେଷରେ ବିଫଳ ହୋଇଥିଲେ । ଅଚାନକ ଭିଜିଲାନ୍ସ କର୍ମଚାରୀଙ୍କୁ ଦେଖି ସମ୍ପୃକ୍ତ ସରକାରୀ ବାବୁ ଜଣଙ୍କ ହଡ଼ବଡେଇ ଯାଇଥିଲେ । ଗେଟ୍ ଖୋଲିବା ପୂର୍ବରୁ ୬ଟି ଟଙ୍କାଭର୍ତ୍ତି ପେଟିକୁ ଛାତ ଉପର ବାଟେ ସେ ପଡୋଶୀଙ୍କ ଘରକୁ ଫୋପାଡ଼ି ଦେଇଥିଲେ ।

କିନ୍ତୁ ପରବର୍ତ୍ତି ସମୟରେ ଭିଜିଲାନ୍ସ କର୍ମଚାରୀ ଏହି ଟଙ୍କାର ସନ୍ଧାନ ଖୋଜି ବାହାର କରିଥିଲେ । ପଡ଼ୋଶୀ ଘରେ ଲୁଚା ଯାଇଥିବା ଟଙ୍କାକୁ ଭିଜିଲାନ୍ସ ନିଜ ହେପାଜତକୁ ଆଣିଥିଲା । ଟଙ୍କା ବ୍ୟତୀତ ତାଙ୍କ ଘରୁ ବହୁ କୋଟି ଟଙ୍କାର ସମ୍ପତ୍ତି ଭିଜିଲାନ୍ସ ହାତରେ ଲାଗିଛି । ଯେଉଁଥିରେ ରହିଛି ସୁନା ବିସ୍କୁଟ୍ ଏବଂ ଦାମୀ ସୁନା ଏବଂ ରୁପା ଅଳଙ୍କାର । ଯାହାର ମୁଲ୍ୟ ୨୧.୩୫ ଲକ୍ଷ ଟଙ୍କା ବୋଲି ଆକଳନ କରାଯାଇଛି । ସେହିପରି ୪୧ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଏବଂ ଇନ୍‌ସୁରାନ୍ସ ଥିବା ଭିଜିଲାନ୍ସ କର୍ମଚାରୀ ପାଇଛନ୍ତି । ଭୁବନେଶ୍ୱର ଇଣ୍ଡସଲ୍ୟାଣ୍ଡ ବ୍ୟାଙ୍କରେ ତାଙ୍କର ଏକ ବେନାମୀ ଆକାଉଣ୍ଟ ରହିଛି । ଯେଉଁଥିରେ ୨୧ ଲକ୍ଷ ନଗଦ ଟଙ୍କା ଡ଼ିପୋଜିଟ କରାଯାଇଛି । ୨୦୧୯ରୁ ଉକ୍ତ ଟଙ୍କା ବିଭିନ୍ନ ସମୟରେ ଡିପୋଜିଟ୍ କରାଯାଇଥିବା ନେଇ ଭିଜିଲାନ୍ସ ଖୋଲତାଡ଼ରୁ ଜଣପାଡିଛି । ୨ଟି ଚାରି ଚକିଆ ଏବଂ ଗୋଟିଏ ୨ ଚକିଆ ଗାଡ଼ିକୁ ସିଜ୍ କରାଯାଇଛି । ଯାହାର ମୂଲ୍ୟ ୩୭ ଲକ୍ଷ ଟଙ୍କା ଟଙ୍କା ହେବ ବୋଲି କୁହାଯାଇଛି । ଇନୋଭା କାର ତାଙ୍କର ବେନାମୀ ସମ୍ପତ୍ତି ବୋଲି କୁହାଯାଇଛି ।

ଜମି କିଣାରେ ମଧ୍ୟ ପ୍ରଶାନ୍ତ ଆଗଧାଡ଼ିରେ ରହିଛନ୍ତି । କଟକ ଏବଂ ଭୁବନେଶ୍ୱର ବହୁ ମୂଲ୍ୟବାନ ଜମିକୁ ସେ ନିଜ ଚାକରି କାଳ ମଧ୍ୟରେ କିଣିଥିବା ଜଣାପଡିଛି । ଟୁଇନ୍ ସିଟିରେ ମୋଟ ୪ଟି ପ୍ଲଟ କିଣିଥିଲା ବେଳେ ନବରଙ୍ଗପୁରର ଉମରକୋର୍ଟରେ ତାଙ୍କର ଏକ ବେନାମୀ ସମ୍ପତ୍ତି ଠାବ କରାଯାଇଛି । ସମସ୍ତ ପ୍ଲଟର ମୂଲ୍ୟ ନିର୍ଦ୍ଧାରଣ ଭିଜିଲାନ୍ସର ସ୍ୱତନ୍ତ୍ର ଟିମ୍ ଜାରି ରଖିଛି । ତେବେ ତାଙ୍କୁ ଭିଜିଲାନ୍ସ କଟକ ସେଲ୍ ଡିଭିଜନ୍ ଦ୍ୱାରା ଅଟକ ରଖାଯାଇ ପଚରାଉଚରା କରାଯାଉଥିଲା ବେଳେ ରେଡ୍ ଶେଷ ହେବା ପରେ ତାଙ୍କୁ ଗିରଫ କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି । ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ତାଙ୍କର ଚାକିରୀର କାଳ ସ୍ୱଚ୍ଛ ନ ଥିଲା । ବିରସା ବ୍ଲକରେ ବିଡିଓ ଥିଲା ବେଳେ ୧ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା । ଏହାପରେ ତାଙ୍କୁ ଚାକିରିରି ନିଲମ୍ବନ କରାଯାଇଥିଲା । ୨୦୧୮ରୁ ୨୦୨୦ ମଧ୍ୟରେ ପ୍ରଶାନ୍ତ ୧ବର୍ଷ ୧ ମାସ ପର୍ଯ୍ୟନ୍ତ ନିଲମ୍ବିତ ହୋଇଥିଲେ । ସେ ଜଣେ ଓଏଏସ୍ ଅଧିକାରୀ । ୧୯୯୬ ସେ ଚାକିରିରେ ଯୋଗ ଦେଇଥିଲେ । ବିଭିନ୍ନ ସମୟରେ କେନ୍ଦ୍ରପଡ଼ା, ଯାଜପୁର, ବାଲେଶ୍ୱର ଏବଂ ବରଗଡ଼ରେ ତହସିଲଦାର ଭାବେ କାର୍ଯ୍ୟରତଥିଲେ । ସେହିପରି ଯାଜପୁର, କଟକ, କେନ୍ଦ୍ରାପଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ବିଡିଓ ଭାବେ କାର୍ଯ୍ୟ କରିଥିଲେ । ଚାକିରିରେ ପୁନଃ ନିଯୁକ୍ତି ପାଇବା ପରେ ସେ ଅତିରିକ୍ତ ଉପ ଜିଲାପାଳ ଭାବେ ନିଯୁକ୍ତ ପାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking