ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପୁଅ ନିଶାନ୍ତ କୁମାର ରାଜନୀତି ମୈଦାନକୁ ଓହ୍ଲାଇବେ । ବିହାରରେ ଏବେ ଏପ୍ରକାର ଏକ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି । ବାସ୍ତବରେ କିଛି ଦିନ ପୂର୍ବେ ନିଶାନ୍ତଙ୍କୁ ଏକ ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା । ସେତେବେଳେ କିନ୍ତୁ ନିଶାନ୍ତଙ୍କ ସହ କଥା ହେବାକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୁଯୋଗ ମିଳିପାରିନଥିଲେ ।
କିନ୍ତୁ ଆଜି ନିଶାନ୍ତଙ୍କୁ ପାଟନାର ଏକ ଇଲେକ୍ଟ୍ରୋନିକ୍ସ ଦୋକାନରୁ କିଛି କ୍ରୟ କରୁଥିବାର ଗଣମାଧ୍ୟମ ପ୍ରତିନିଧିମାନେ ଦେଖିନେଇଥିଲେ । ଫଳରେ ତାଙ୍କୁ ଘେରିଯାଇ ସେ କ’ଣ ରାଜନୀତିକୁ ଆସିବେ ବୋଲି ପ୍ରଶ୍ନ କରିଥିଲେ । ଜବାବରେ ନିଶାନ୍ତ କହିଥିଲେ ସେ ଏବେ ଆଧ୍ୟାତ୍ମିକ ପଥରେ ଆଗକୁ ବଢ଼ୁଛନ୍ତି । ମୋବାଇଲରେ ହରେ ରାମ, ହରେ କୃଷ୍ଣ କଥା ଶୁଣିବା ପାଇଁ ସେ ଏକ ସ୍ପିକର କିଣିବାକୁ ଏଠାକୁ ଆସିଥିଲେ । ଏତେ ସବୁ କହିଥିଲେ ମଧ୍ୟ ସେ ସିଧାସଳଖ ରାଜନୀତିକୁ ଏଣ୍ଟ୍ରି କରିବେ କି ନା ସେସମ୍ପର୍କରେ କୌଣସି ମନ୍ତବ୍ୟ ଦେଇନଥିଲେ ।
ଅନ୍ୟପକ୍ଷେ ନିଶାନ୍ତଙ୍କ ଏପ୍ରକାର ବୁଲେଇ ବଙ୍କେଇ ଉତ୍ତର ଦେବାକୁ ଅନେକ ରାଜନୈତିକ ସମୀକ୍ଷକ ଭିନ୍ନ ଦୃଷ୍ଟିକୋଣରୁ ଦେଖୁଛନ୍ତି । ଆଗାମୀ ଦିନରେ ନିଶାନ୍ତ ନିଶ୍ଚିତ ରୂପେ ନିଜ ବାପା ନୀତୀଶ କୁମାରଙ୍କ ଉତ୍ତରାଧିକାରୀ ଭାବେ ରାଜନୀତିରେ ପାଦ ରଖିବେ ବୋଲି ଏବେ ମତ ପ୍ରକାଶ ପାଇଛି । ସେ ଏବେ ଠାରୁ ରାଜନେତାଙ୍କ ଭଳି ଉତ୍ତର ଦେବା ଆରମ୍ଭ କଲେଣି ବୋଲି ମଧ୍ୟ କେତେକ କହିଛନ୍ତି । ସୂଚନାଯୋଗ୍ୟ, ନୀତୀଶ ବରାବର ଭାବେ ବଂଶବାଦ ତଥା ପରିବାରବାଦ ରାଜନୀତିକୁ ସମାଲୋଚନା କରିଆସୁଛନ୍ତି । କିନ୍ତୁ ଏବେ ନିଜ ପୁଅ ପାଇଁ ସେ କେଉଁ ମାର୍ଗ ବାଛିବେ ତାହା କେବଳ ସମୟ କହିବ ।