ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦିଲ୍ଲୀ ହାଇକୋର୍ଟଙ୍କ ରାୟକ ସୁପ୍ରିମକୋର୍ଟରେ ଚାଲେଞ୍ଜ କରି କେନ୍ଦ୍ର ଓ ଦିଲ୍ଲୀ ସରକାର କରଥିବା ଅପିଲକୁ ସର୍ବୋଚ୍ଚ ଅଦାଲତ ଶୁଣାଣି ପାଇଁ ଗ୍ରହଣ କରିଛନ୍ତି । ଶୁକ୍ରବାର ଏ ସମ୍ପର୍କରେ ଶୁଣାଣି ହେବ । ଜଷ୍ଟିସ୍ ଏନଭି ରମାନା, ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ୍ କ୍ରିଷ୍ଣମୁରାରିଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ କେଏମ୍ ନଟରାଜ ଗୁରୁବାର ଜଣାଇଥିଲେ ଯେ, ନିର୍ଭୟା ଦୋଷୀଙ୍କର ରିଭ୍ୟୁ ପିଟିସନ୍ ଖାରଜ ହେବା ସତ୍ୱେ ତିହାର୍ ଜେଲ୍ କର୍ତୁପକ୍ଷ ଦୋଷୀଙ୍କୁ ଫାଶୀଦଣ୍ଡ ଦେବାକୁ ସକ୍ଷମ ହୋଇନାହାନ୍ତି । କ୍ୟୁରେଟିଭ୍ ପିଟିସନ୍ ଏବଂ ୪ ଦୋଷୀଙ୍କ ମଧ୍ୟରୁ ୩ ଜଣଙ୍କ ରାଜକ୍ଷମା ଆବେଦନ ଇତିମଧ୍ୟରେ ଖାରଜ ହୋଇଯାଇଛି ।
ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଅନ୍ୟତମ ଦୋଷୀ ଅକ୍ଷୟ କୁମାର ସିଂହର ରାଜକ୍ଷମା ଆବେଦନକୁ ଗତ ବୁଧବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାରଜ କରିଥିଲେ । ରାଷ୍ଟ୍ରପତି ପୂର୍ବରୁ ଅନ୍ୟ ୨ ଅଭିଯୁକ୍ତ ମୁକେଶ ସିଂହ ଓ ବିନୟ କୁମାର ଶର୍ମାର ରାଜକ୍ଷମା ଆବେଦନ ଖାରଜ କରିଥିଲେ । ଇତିମଧ୍ୟରେ ଦିଲ୍ଲୀ ହାଇକୋର୍ଟ ୪ ଦୋଷୀଙ୍କୁ ୭ ଦିନ ସମୟସୀମା ଦେଇଛନ୍ତି । ଏହି ୭ ଦିନ ମଧ୍ୟରେ ସେମାନଙ୍କୁ ଆଇନଗତ ପଦକ୍ଷେପ ନେବାଲାଗି କୁହାଯାଇଛି । ତେବେ ହାଇକୋର୍ଟଙ୍କ ଏହି ରାୟ ବିରୋଧରେ କେନ୍ଦ୍ର ଓ ଦିଲ୍ଲୀ ସରକାର ସୁପ୍ରିମକୋର୍ଟଙ୍କୁ ଯାଇଛନ୍ତି । ନିର୍ଭୟା ଦୋଷୀମାନେ ଆଇନର ଗଳାବାଟରେ ଖସିଯିବା ପାଇଁ ଉପାୟ ଖୋଜୁଥିବା ବେଳେ ଫାଶୀଦଣ୍ଡକୁ ଜାଣିଶୁଣି ବିଳମ୍ବିତ କରୁଛନ୍ତି ।
ଆଇନର ସବୁ ଦିଗକୁ ପ୍ରୟୋଗ କରି ମୁକ୍ତ ହେବାକୁ ଉଦ୍ୟମ କରିବା ସେମାନଙ୍କର ସାମ୍ବିଧାନିକ ଅଧିକାର ବୋଲି ଅପରାଧିମାନେ ଦାବି କରୁଛନ୍ତି । ବଂଚିଥିବା ପର୍ଯ୍ୟନ୍ତ ସେମାନେ ଏହି ଉଦ୍ୟମ ଜାରି ରଖିବେ ବୋଲି ସୂଚନା ଦେଇଛନ୍ତି । ତେଣୁ ରାଜକ୍ଷମା ପାଇଁ ସେମାନେ ଏକକାଳୀନ ଆବେଦନ ନକରି ଜଣଙ୍କ ପରେ ଜଣେ ଆବେଦନ କରିବା ଦ୍ୱାରା ନ୍ୟାୟିକ ପ୍ରକ୍ରିୟା ବିଳମ୍ବିତ ହେଉଛି । ତେବେ ସେମାନଙ୍କୁ ୭ ଦିନ ସମୟ ଦିଆଯିବ । ଶେଷ ସୁଯୋଗ ବୋଲି ଆଇନ ବିଶେଷଜ୍ଞମାନେ ବିଚାର କରୁଛନ୍ତି । ୭ ଦିନ ପରେ ପୁଣି ଡେଥ୍ ୱାରେଂଟ ଜାରି କରାଯିବାର ସମ୍ଭାବନା ରହିଛି ।